ପାରାଦୀପ ବନ୍ଦରକୁ ସଫଳତା: ତିନୋଟି ବର୍ଗରେ ‘ସାଗର ଶ୍ରେଷ୍ଠ’ ସମ୍ମାନ

ପାରାଦୀପ ବନ୍ଦରକୁ ସଫଳତା: ତିନୋଟି ବର୍ଗରେ ‘ସାଗର ଶ୍ରେଷ୍ଠ’ ସମ୍ମାନ

ଜଗତସିଂହପୁର: କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨-୨୩ ରେ ବୃହତ୍‌ ବନ୍ଦରଗୁଡ଼ିକୁ ସର୍ବକାଳୀନ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ‘ସାଗର ଶ୍ରେଷ୍ଠ’ ସମ୍ମାନ ପ୍ରଦାନ କରାଯାଇଛି। ଏଥିରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ପାରାଦୀପ ବନ୍ଦର। ପାରାଦୀପ ବନ୍ଦର ପ୍ରାଧିକରଣକୁ ଉଲ୍ଲେଖନୀୟ ତିନୋଟି ବର୍ଗରେ ସମ୍ମାନିତ କରାଯାଇଛି। ସମଗ୍ର ପ୍ରଦର୍ଶନରେ ବୃହତ୍‌ ବନ୍ଦର ମଧ୍ୟରେ ପାରାଦୀପ ବନ୍ଦରକୁ ୧ନଂ ମାନ୍ୟତା, ଜାହାଜ ବର୍ଥ ଡେ-ଆଉଟ୍‌ପୁଟ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ୨୦୨୨-୨୩ରେ ରେକର୍ଡ ସଂଖ୍ୟକ ପଣ୍ୟ କାରବାର କରିଥିବାରୁ ପାରାଦୀପ ବନ୍ଦରକୁ ସର୍ବଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍‌, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଓ ସଚିବ ସୁଧାନ୍ସ ପନ୍ଥଙ୍କ ଉପସ୍ଥିତିରେ ବନ୍ଦର ଅଧ୍ୟକ୍ଷ ପିଏଲ୍ ହରନାଦ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ। ବନ୍ଦର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଅଧ୍ୟକ୍ଷ ଶ୍ରୀ ହରନାଦ ପାରାଦୀପ ଫେରିବା ପରେ ଆଜି କହିଛନ୍ତି ଯେ ପାରାଦୀପ ବନ୍ଦର ଟିମ୍‌ର ମିଳିତ କାର୍ଯ୍ୟଶୈଳୀ ଓ ଉତ୍ସାହ ଲାଗି ଏହା ଏକ ଗୁରୁତ୍ବପୂର୍ଣ୍ଣ ସ୍ବୀକୃତି। ତେବେ ଏହି ସଫଳତା ଓ ମାଇଲଖୁଣ୍ଟ ପ୍ରତିଷ୍ଠା ପାଇଁ କର୍ମଚାରୀ, ଅଧିକାରୀଙ୍କ ସମେତ ବନ୍ଦର ବ୍ୟବହାରକାରୀଙ୍କୁ ବନ୍ଦର ଅଧ୍ୟକ୍ଷ ଶ୍ରେୟ ଦେଇଥିଲେ। ଏହାସହ କେନ୍ଦ୍ର ମନ୍ତ୍ରଣାଳୟ, ମନ୍ତ୍ରୀ ସୋନୋୱାଲଙ୍କ ବଳିଷ୍ଠ ନେତୃତ୍ବ ଓ ମାର୍ଗଦର୍ଶନରେ ଚଳିତ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ନୂତନ କୀର୍ତ୍ତିମାନ ସ୍ଥାପନର ଲକ୍ଷ୍ୟ ରଖିଛି ବୋଲି ସୂଚନା ଦେଇଥିଲେ। ପାରାଦୀପ ବନ୍ଦର ଗତ ଆର୍ଥିକ ବର୍ଷରେ ୧୯.୦୨ ନିୟୁତ ମେଟ୍ରିକ୍‌ ଟନ୍ ଅଧିକ ଓ ପୂର୍ବ ବର୍ଷ ଅପେକ୍ଷା ୧୬.୫୬ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି ଯାହାକି ଦେଶର ସମଗ୍ର ବନ୍ଦର ମଧ୍ୟରେ ସର୍ବାଧିକ।

ଉପକୂଳ ନୌବାଣିଜ୍ୟ ପଣ୍ୟ କାରବାରରେ ପାରାଦୀପ ବନ୍ଦର ୫୮.୪୨ନିୟୁତ ମେଟ୍ରିକ୍‌ ଟନ୍ ପଣ୍ୟ କାରବାର କରିଛି। ପୂର୍ବ ବର୍ଷ ଅପେକ୍ଷା ୧୬.୨୨ ନିୟୁତ ମେଟିକ୍ ଟନ୍ ବା ୩୮ ପ୍ରତିଶତ ଅଧିକ ଅଭିବୃଦ୍ଧି ହାସଲ କରିଛି। ସେହିପରି ତାପଜ କୋଇଲା ଉପକୂଳ ପରିବହନରେ ୧୪ ନିୟୁତ ମେଟ୍ରିକ୍‌ ଟନ୍ ଅଭିବୃଦ୍ଧି ହୋଇଛି ଯାହାକି ୫୦ ପ୍ରତିଶତ ଅଧିକ। ଏଣୁ ପାରାଦୀପ ବନ୍ଦର ସାମଗ୍ରିକ ଭାବେ ଭାରତର ଉପକୂଳ ନୌବାଣିଜ୍ୟ କ୍ଷେତ୍ରରେ ଏକ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ପରିଣତ ହେବାରେ ଲାଗିଛି। ଗତ ଆର୍ଥିକ ବର୍ଷରେ ବର୍ଥ ଉତ୍ପାଦକତା ୩,୧୦୫୦ ମେଟ୍ରିକ୍ ଟନ୍ ରହିଥିଲା ଯାହାକି ଦେଶରେ ବୃହତ୍ ବନ୍ଦର ମଧ୍ୟରେ ସର୍ବାଧିକ ଥିଲା ବୋଲି ଅଧ୍ୟକ୍ଷ ଶ୍ରୀ ହରନାଦ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe