ଖଣି ଜିଲ୍ଲାରେ ସୁବିଧାସୁଯୋଗର ସର୍ବେକ୍ଷଣ ହେବ: ପ୍ରତିଷ୍ଠିତ ସଂସ୍ଥା, ବିଶ୍ବବିଦ୍ୟାଳୟ କରିବେ ୫ ବର୍ଷିଆ ସର୍ବେକ୍ଷଣ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ରେ ବର୍ତ୍ତମାନ ସୁଦ୍ଧା ୩୩ହଜାର ୨୦୪ କୋଟି ଟଙ୍କା ସଂଗୃହୀତ ହୋଇଛି। ସେଥିରୁ ୨୬ହଜାର ୭୮୮ କୋଟି ଆବଣ୍ଟିତ ହୋଇଥିବା ବେଳେ ୧୮ହଜାର ୩୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

mining

ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ରେ ବର୍ତ୍ତମାନ ସୁଦ୍ଧା ୩୩ହଜାର ୨୦୪ କୋଟି ଟଙ୍କା ସଂଗୃହୀତ ହୋଇଛି। ସେଥିରୁ ୨୬ହଜାର ୭୮୮ କୋଟି ଆବଣ୍ଟିତ ହୋଇଥିବା ବେଳେ ୧୮ହଜାର ୩୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନୁମୋଦିତ ପ୍ରକଳ୍ପ ଅନୁସାରେ ୮୦.୭୬% ପାଣ୍ଠି ପ୍ରଦାନ କରାଯାଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରାଜ୍ୟସ୍ତରୀୟ କମିଟି ବୈଠକରେ ସୂଚନା ଦିଆଯାଇଛି। 
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରୁ ଜଣାପଡ଼ିଛି ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଜିଲ୍ଲାଗୁଡ଼ିକରେ ୧୬ଟି ଡିଏମ୍‌ଏଫ୍‌ ଟ୍ରଷ୍ଟ ବୋର୍ଡ ଗଠିତ ହୋଇଛି।

ପ୍ରତିଷ୍ଠିତ ସଂସ୍ଥା, ବିଶ୍ବବିଦ୍ୟାଳୟ କରିବେ ୫ ବର୍ଷିଆ ସର୍ବେକ୍ଷଣ
ଡିଏମ୍ଏଫ୍‌ ଅଡିଟ୍‌ ପାଇଁ ସିଏଜିଙ୍କୁ ଦାୟିତ୍ବ

ଡିଏମ୍‌ଏଫ୍‌ ଅଡିଟ୍‌ ପାଇଁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି)ଙ୍କୁ ଦାୟିତ୍ବ ଦିଆଯାଇଛି। ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ଓ ବିଶ୍ବବିଦ୍ୟାଳୟଙ୍କ ଦ୍ବାରା ୫ବର୍ଷିଆ ଦୀର୍ଘମିଆଦୀ ଭିତ୍ତିରେ ଖଣି ପ୍ରଭାବିତ ଅଞ୍ଚଳରେ ସୁବିଧାସୁଯୋଗ ଉପଲବ୍ଧ ସଂପର୍କିତ ସର୍ବେକ୍ଷଣ କରାଯିବ। ବିଭିନ୍ନ ଡିଏମ୍‌ଏଫ୍‌ ଜିଲ୍ଲାରେ ୫ କିମି ପରିଧି ଭିତରେ ଥିବା ପ୍ରାୟ ୧୧୫୦ଟି ଗ୍ରାମ ପାଇଁ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ଆଦି ମୌଳିକ ସ୍ଥିତି ସଂପର୍କରେ ସର୍ବେକ୍ଷଣ କରାଯାଇଛି। ଏହାକୁ ଡିଏମ୍‌ଏଫ୍‌ ପୋର୍ଟାଲରେ ସ୍ଥାନ ଦିଆଯିବ। ଗୋଟିଏ ଜିଲ୍ଲାରେ ଖଣି ଥାଇ ଏହାଦ୍ବାରା ପ୍ରଭାବିତ ହେଉଥିବା ଜିଲ୍ଲା ଓ ଅନ୍ୟ ପାଖ ଜିଲ୍ଲାର ଗାଁରେ ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରେ ଡିଏମ୍‌ଏଫ୍‌ ପାଣ୍ଠିର ଭାଗୀଦାରିତା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଡିଏମ୍‌ଏଫ୍‌ କାର୍ଯ୍ୟ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ୍‌ର ବିକାଶମୂଳକ କାର୍ଯ୍ୟ, କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନୟନମୂଳକ ଯୋଜନା ସହିତ ସଂ‌ଯୋଜିତ ହେଉଥିବା ବୈଠକରେ କୁହାଯାଇଛି।

ଖଣି ପ୍ରଭାବିତ ଗ୍ରାମଗୁଡ଼ିକରେ ମୌଳିକ ସୁବିଧା ପ୍ରଦାନ ପାଇଁ ସିଏମ୍‌ ‘ସଂପଦା’ ପୋର୍ଟାଲ୍‌ ବିକାଶିତ କରାଯାଉଛି। ଅନୁଗୁଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ସମକାଳୀନ ମୂଲ୍ୟାଙ୍କନ କରି ସେ ବିଷୟରେ ଜିଲ୍ଲାପାଳ ଓ ସହଭାଗୀ ବିଭାଗଗୁଡ଼ିକୁ ଅବଗତ  କରାଯାଇଛି। ଡିଏମ୍‌ଏଫ୍‌ ପାଣ୍ଠି ଉପଯୋଗିତା ଓ ସଂପର୍କିତ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ମାମଲାଗୁଡ଼ିକ ରାଜ୍ୟସ୍ତରୀୟ କମିଟି ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବ ବୋଲି ବୈଠକରୁ ଜଣାପଡ଼ିଛି। ଏହି ବୈଠକରେ ଉନ୍ନୟନ କମିସନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଖଣି ବିଭାଗର ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe