ନୂଆଦିଲ୍ଲୀ: ସ୍ବଦେଶୀ ଚକରେ ଗଡ଼ିବ ଟ୍ରେନ୍। ଆମଦାନି ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ। ରେଳବାଇ ଦେଶ ଭିତରେ ଅଧିକ ଚକ ତିଆରି କରିବା ଲାଗି ଯୋଜନା ରଖିଛି। ଦେଶ ଭିତରେ ୮୦ ହଜାର ଚକ ତିଆରି କରିବା ଲାଗି ଗତବର୍ଷ ଟେଣ୍ଡର ଆହ୍ବାନ କରାଯାଇଥିଲା। ରାମକ୍ରିଷ୍ଣ ଫୋର୍ଜିଂସ୍ ଓ ଟିଟାଗଡ୍ ୱାଗନ୍ସ ଟେଣ୍ଡର ପାଇଥିବା ଜଣାପଡ଼ିଛି। ଆସନ୍ତା ୨୦ ବର୍ଷ ପାଇଁ ଏହି ଦୁଇ ସଂସ୍ଥାର ମିଳିତ ଉଦ୍ୟମରେ ଗଠିତ କନ୍ସୋର୍ଟିୟମ୍ ଚକଗୁଡ଼ିକୁ ନିର୍ମାଣ କରିବ। ଅନୁମତି ପାଇବାର ୩୬ ମାସ ଭିତରେ ରାମକ୍ରିଷ୍ଣ ଫୋର୍ଜିଂସ୍ ଏହାର କାରଖାନା ନିର୍ମାଣ କରିବ। ପ୍ରଥମେ ରେଳବାଇର ଆବଶ୍ୟକତାକୁ ଏହା ପୂରଣ କରିବ ଓ ତା’ପରେ ଚାହିଲେ ବିଦେଶକୁ ରପ୍ତାନି ମଧ୍ୟ କରିପାରିବ।
୧୯୬୦ ପରଠାରୁ ରେଳବାଇ ମୁଖ୍ୟତଃ ଚେକ୍ ଗଣରାଜ୍ୟ, ବ୍ରାଜିଲ, ରୋମାନି, ଜାପାନ, ଚୀନ୍, ୟୁକ୍ରେନ୍, ରୁଷ୍ ଓ ବ୍ରିଟେନ୍ରୁ ଚକ ମଗାଉଥିଲା। ରୁଷ୍, ଚୀନ୍ ଓ ୟୁରୋପୀୟ ଦେଶଗୁଡ଼ିକ ଉପରେ ଏହା ଅତ୍ୟଧିକ ନିର୍ଭରଶୀଳ ରହିଛି। ମାତ୍ର ଗତବର୍ଷ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରେଳବାଇ ଯେଉଁ ଚକ ପାଇଁ ବରାଦ ଦେଇଥିଲା ତାହା ପାଇବାରେ ଅସୁବିଧା ସାମ୍ନା କରିଥିଲା। ସେଥିପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ରେକ୍ ଉତ୍ପାଦନ ବିଳମ୍ବିତ ହୋଇଛି। ଏବେ ଚୀନ୍ ଜରିଆରେ ରେଳବାଇ ଏହାର ଚକ ଆବଶ୍ୟକତାକୁ ପୂରଣ କରୁଛି। ୨୦୨୨-୨୩ରେ ୫୨୦ କୋଟି ଟଙ୍କାରେ ଚୀନ୍ ଓ ରୁଷ୍ରୁ ୮୦ ହଜାର ଚକ ଅଣାଯାଇଥିଲା। ଅବଶିଷ୍ଟ ୪୦,୦୦୦ ଚକ ସରକାରୀ ଇସ୍ପାତ କଂପାନି ସେଲ୍ରୁ ଅଣାଯାଇଛି। ରେଳବାଇର ଏକ ଆକଳନରୁ ଜଣାପଡ଼ିଛି ଯେ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରିବା ପରେ ୨୦୨୬ ସୁଦ୍ଧା ବାର୍ଷିକ ୨ ଲକ୍ଷ ଚକ ଦରକାର ହେବ। ବର୍ତ୍ତମାନ ଦେଶ ଭିତରେ କେବଳ ସେଲ୍ ୪୦ ହଜାର ଚକ ତିଆରି କରିପାରିବ।
Follow Us