ନିରବଙ୍କ ପ୍ରତି ଏତେ ଦରଦ!

Advertisment

ବ୍ରିଟେନ୍‌ କାଗଜପତ୍ର ମାଗିଥିଲା, ଭାରତ ଦେଲାନି

ବ୍ରିଟେନ୍‌ କାଗଜପତ୍ର ମାଗିଥିଲା, ଭାରତ ଦେଲାନି

ନିରବଙ୍କ ପ୍ରତି ଏତେ ଦରଦ!

ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା‌ ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଲଣ୍ଡନର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ରେ ରହୁଥିବା ବି‌ଷୟରେ କିଛି ଦିନ ତଳେ ସ୍ପଷ୍ଟ ହୋଇଛି। ଭାରତ ଛାଡ଼ିବା ପରେ ନିରବ ଲଣ୍ଡନରେ ହିଁ ରହିଥିଲେ। ପିଏନ୍‌ବି ଠକେଇ ପ୍ରଘଟ ହେବାର କିଛି ଦିନ ପରେ ବ୍ରିଟେନ୍‌ ପକ୍ଷରୁ ଭାରତ ସରକାରଙ୍କୁ ସୂଚନା ଦିଆଯାଇଥିଲା ଯେ, ନିରବ ଲଣ୍ଡନରେ ରହୁଛନ୍ତି। କିନ୍ତୁ ଭାରତ ସରକାର ସେତେବେଳେ ଭାବୁଥିଲେ ନିରବ ୟୁରୋପର ଅନ୍ୟ କୌଣସି ଦେଶ କିମ୍ବା ହଂକଂରେ ଲୁଚିଛନ୍ତି। ସେଥିପାଇଁ ବ୍ରିଟେନ୍‌ର ସୂଚନା ପ୍ରତି ବିଶେଷ ଧ୍ୟାନ ଦେଇ ନଥି‌ଲେ। ନିରବଙ୍କୁ ଗିରଫ କରିବା ପାଇଁ ସେହି ସମୟରେ ବ୍ରିଟେନ୍‌ ତରଫରୁ ‌ଭାରତକୁ କେତେକ କାଗଜପତ୍ର ମଗାଯାଇଥିଲା। କିନ୍ତୁ, ଭାରତ ପକ୍ଷରୁ ସେହି ସମୟରେ କାଗଜପତ୍ର ଦେବାରେ ହେଳା କରାଯାଇଥିଲା। ଯଦି ଠିକ୍ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ତେବେ ଗତବର୍ଷ ଠାରୁ ନିରବ ମୋଦୀଙ୍କୁ ବ୍ରିଟେନ୍‌ରେ ଗିରଫ କରାଯାଇପାରିଥାନ୍ତା। ଏକ ଜାତୀୟ ଗଣମାଧ୍ୟମର ୱେବସାଇଟ୍‌ରେ ଏଭଳି ଦାବି କରାଯାଇଛି।
ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ବିପାକ୍ଷିକ ଆଇନଗତ ସହାୟତା ରାଜିନାମା (ଏମ୍ଏଲ୍‌ଏଟି) ସ୍ବାକ୍ଷରିତ ହୋଇଛି। ସେହି ରାଜିନାମା ଆଧାରରେ ନିରବଙ୍କ ସମ୍ପର୍କିତ ସୂଚନା ଦେବାକୁ ୨୦୧୮ ଫେବ୍ରୁଆରିରେ ଭାରତ ପକ୍ଷରୁ ବ୍ରିଟେନ୍‌କୁ ଅନୁରୋଧ କରାଯାଇଥିଲା। ବ୍ରିଟେନ ତୁରନ୍ତ ଏହାକୁ ଗୁରୁତ୍ବର ସହ ନେଇଥିଲା ଏବଂ ସେଠାରେ ଥିବା ସିରିଅସ୍‌ ଫ୍ରଡ୍ ଅଫିସ୍‌ ପାଖକୁ ମାମଲାଟିକୁ ପଠାଇ ଦେଇଥିଲା। ନିରବଙ୍କୁ ଗିରଫ କରିବାକୁ ଫ୍ରଡ୍ ଅଫିସ୍‌ କେତେକ କାଗଜପତ୍ର ମାଗିଥିଲା। ଏହା ବ୍ୟତୀତ ବ୍ରିଟେନ୍‌ର ଏକ ଆଇନଗତ ଟିମ୍ ଭାରତ ଆସି ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କିନ୍ତୁ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି। ଭାରତ କୌଣସି କାଗଜପତ୍ର ନଦେବା ପରେ ବ୍ରିଟେନ୍‌ର ଟିମ୍ ଭାରତ ଆସି ପ୍ରମାଣ ଯୋଗାଡ଼ କରିବାକୁ ଚାହିଁଥିଲେ। ସେଥିପ୍ରତି ମଧ୍ୟ ଭାରତ ଧ୍ୟାନ ଦେଇନଥିଲା। ଯଦି ସେହି ସମୟରେ ଭାରତ ଉଚିତ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ନିରବ କେବେ ଠାରୁ ବ୍ରିଟେନ୍‌ରେ ଗିରଫ ହୋଇପାରିଥାନ୍ତେ।

ଇଡି ଦାଖଲ କଲା ଆଉ ଏକ ଚାର୍ଜସିଟ୍
ନୂଆଦିଲ୍ଲୀ: ମନି ଲଣ୍ଡରିଂ ନିୟମ ଅଧୀନରେ ଋଣ ଠକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମାମଲା ଦାୟର କରାଯାଇଛି। ମୁମ୍ବାଇର ଏକ ଅଦାଲତରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ନିରବଙ୍କ ବିରୋଧରେ ଅନେକ ଅତିରିକ୍ତ ପ୍ରମାଣ ଥିବା ଇଡି ଦାବି କରିଛି। ଇଡି ପକ୍ଷରୁ ନିରବଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଗତବର୍ଷ ମେ’ରେ ଦାଖଲ କରାଯାଇଥିଲା। କିଛି ଦିନ ତଳେ ନିରବଙ୍କୁ ବ୍ରିଟେନ୍‌ର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ରେ ଦେଖିବାକୁ ମିଳିଥିଲା। ଲଣ୍ଡନର ସେଂଟର୍‌ ପଏଣ୍ଟ୍‌ରେ ଏହି ଆପାର୍ଟମେଣ୍ଟ୍‌ ରହିଛି। ସେଥିରେ ତିନିଟି ବିଳାସପୂର୍ଣ୍ଣ ବେଡ୍‌ ରୁମ୍‌ ଥିବା ବେଳେ ଏହି ଘରର ମୂଲ୍ୟ ୮ ନିୟୁତ ଡଲାର ବୋଲି କୁହାଯାଉଛି। ମାସକୁ ୧୭ ହଜାର ଡଲାର ଭଡ଼ା ଦେଇ ନିରବ ସେହି ଆପାର୍ଟମେଣ୍ଟ୍‌ରେ ରହୁଛନ୍ତି। ସେଠାରେ ସେ ନିଜର ନୂଆ ହୀରା କାରବାର ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe