ଟାଟାର ବିମାନ କଂପାନି ସ୍ବପ୍ନ

Advertisment

ଏୟାର ଏସିଆ, ଭିସ୍ତାରା ପରେ ଜେଟ୍‌ ଉପରେ ନଜର

ଏୟାର ଏସିଆ, ଭିସ୍ତାରା ପରେ ଜେଟ୍‌ ଉପରେ ନଜର

ଦେଶରେ ଶସ୍ତା ହେବ ବିମାନ ଭଡା, ଇନ୍ଧନ ଦର ୧୧% କମିଲା

ମୁମ୍ବାଇ: ବିମାନ କଂପାନିର ସମ୍ପୂର୍ଣ୍ଣ ମାଲିକ ହେବାକୁ ସ୍ବପ୍ନ ଦେଖୁଥିବା ରତନ ଟାଟାଙ୍କ ଟାଟା ଗ୍ରୁପ୍ ଏବେ ଜେଟ୍‌ ଏୟାରୱେଜ୍ ଉପରେ ନଜର ପକାଇଛି। ଜେଟ୍‌ର ସିଂହ ଭାଗ ଅଂଶଧନ କିଣିବା ଉପରେ ଟାଟା ବିଚାର କରୁଛି। ଏଥର କିନ୍ତୁ ଏକାକୀ ଅଂଶଧନ କିଣିବ। କୌଣସି ତୃତୀୟ ପକ୍ଷକୁ ଡିଲ୍‌ରେ ସାମିଲ କରିବ ନାହିଁ।
ପୂର୍ବରୁ ଟାଟା ଗ୍ରୁପ୍ ପକ୍ଷରୁ ଏୟାରଏସିଆ ଓ ଭିସ୍ତାରାରେ ପୁଞ୍ଜିନିବେଶ କରାଯାଇଛି। କିନ୍ତୁ ଏଥିରେ ଟାଟାର ସିଧାସଳଖ ନିୟନ୍ତ୍ରଣ ନାହିଁ। ଅନ୍ୟ ନିବେଶକମାନଙ୍କ ସହ ମିଶି ଟାଟା ଏହି ପୁଞ୍ଜିନିବେଶ କରିଛି। କିନ୍ତୁ ଜେଟ୍‌ ଏୟାରୱେଜ୍ ଅଂଶଧନକୁ ଏହା ଏକାକୀ କିଣିବାକୁ ଚାହୁଛି। ଜେଟ୍‌ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଷ୍ଟାଫ୍୍‌ମାନଙ୍କୁ ଠିକ୍ ଭାବେ ଦରମା ଦେଇପାରୁନାହିଁ। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଭାରତୀୟ ବିମାନ ଚଳାଚଳ ବଜାରରେ ତିଷ୍ଠିବାକୁ ଏହା ନୂତନ ପୁଞ୍ଜିନିବେଶ ଆବଶ୍ୟକ କରୁଛି। ସଙ୍କଟରେ ଥିବା ଜେଟ୍‌କୁ ଉଦ୍ଧାର କରି ତାହା ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ଟାଟା ଲକ୍ଷ୍ୟ ରଖିଛି। ଅବଶ୍ୟ ଟାଟାକୁ ନେଇ ଯେଉଁ ସବୁ ଆଲୋଚନା ହେଉଛି ତାହା କେବଳ କଳ୍ପନାଜଳ୍ପନା ବୋଲି ଜେଟ୍‌ ପକ୍ଷରୁ କୁହାଯାଇଛି। ଦୁଇ ପକ୍ଷ ମଧ୍ୟରେ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ ବୋଲି ଜେଟ୍‌ ପକ୍ଷରୁ କୁହାଯାଇଛି। ଭାରତ ପରାଧୀନ ଥିବା ବେଳେ ୧୯୩୨ ମସିହାରେ ଜେଆର୍‌ଡି ଟାଟାଙ୍କ ଦ୍ବାରା ଟାଟା ଏୟାରଲାଇନ୍ସ ସ୍ଥାପନ କରାଯାଇଥିଲା। ପରବର୍ତି ସମୟରେ ତାହା ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲା ଓ ଏହା ଏବେ ଏୟାର ଇଣ୍ଡିଆ ନାମରେ ପରିଚାଳିତ ହେଉଛି। ସେହିଦିନଠାରୁ ଟାଟା କେବେବି ବିମାନ ଚଳାଚଳ ବ୍ୟବସାୟରେ ପ୍ରବେଶ କରିବାକୁ ଉଦ୍ୟମ କରିନଥିଲା। କିଛି ବର୍ଷ ହେଲାଣି ଟାଟା ପୁଣି ଥରେ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ ଆରମ୍ଭ କରିଛି। ପ୍ରଥମେ ଏୟାରଏସିଆ ଓ ପରେ ଭିସ୍ତାରରେ ଏହା ଅଂଶଧନ କିଣିଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ମଧ୍ୟ ଟାଟା ଆଗ୍ରହୀ ଥିଲା ବୋଲି କୁହାଯାଉଛି। ଯଦିଓ କଂପାନି ପକ୍ଷରୁ ଏବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଜେଟ୍‌ରେ କଂପାନି ଅଂଶଧନ କିଣିବାକୁ ଚାହୁଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଏ ସଂକ୍ରାନ୍ତରେ କଂପାନି କତୃର୍ପକ୍ଷ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe