ତୁଟିବ ୭୦ ବର୍ଷର ସମ୍ପର୍କ, ଟାଟାରୁ ସାଇରସ୍‌ଙ୍କ ପରିବାର ଅଲଗା ହେବ

Advertisment
ତୁଟିବ ୭୦ ବର୍ଷର ସମ୍ପର୍କ, ଟାଟାରୁ ସାଇରସ୍‌ଙ୍କ ପରିବାର ଅଲଗା ହେବ

Free Press Journal

ନୂଆଦିଲ୍ଲୀ: ସାଇରସ୍‌ ମିସ୍ତ୍ରୀଙ୍କ ପରିବାରର କଂପାନି ସାପୋର୍‌ଜି ପାଲୋଞ୍ଜି ଗ୍ରୁପ୍ (ଏସ୍‌ପି ଗ୍ରୁପ୍) ଟାଟା ସହ ଥିବା ୭୦ ବର୍ଷର ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛି। ଉପଯୁକ୍ତ ସମାଧାନ ମିଳିଲେ କଂପାନି ସବୁଦିନ ପାଇଁ ଟାଟା ଠାରୁ ଅଲଗା ହୋଇଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି। ରତନ ଟାଟାଙ୍କ କଂପାନି ଟାଟା ସନ୍ସରେ ଏସ୍‌ପି ଗ୍ରୁପ୍‌ର ୧୮.୫ ପ୍ରତିଶତ ଅଂଶଧନ ରହିଛି। ରତନ ଟାଟା ଓ ସାଇରସ୍‌ ମିସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ଝଗଡ଼ା ଅର୍ଥନୀତି ଓ ଜୀବନଜୀବିକାକୁ ପ୍ରଭାବିତ କରିବାର ଆଶଙ୍କା ରହିିଥିବାରୁ ଉଭୟ ସଂସ୍ଥା ମଧ୍ୟରେ ବିଚ୍ଛେଦ ହେବା ଜରୁରୀ ବୋଲି ଏସ୍‌ପି ଗ୍ରୁପ୍ ପକ୍ଷରୁ କୁହାଯାଇଛି। ଅ‌ାପୋଷ ବିଶ୍ବାସ, ଭରସା ଏବଂ ବନ୍ଧୁତ୍ବକୁ ନେଇ ଟାଟା ଓ ଏସ୍‌ପି ଗ୍ରୁପ୍ ମଧରେ ଦୀର୍ଘ ୭୦ ବର୍ଷ ଧରି ସମ୍ପର୍କ ରହିଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଉଭୟ ସଂସ୍ଥା ପରସ୍ପର ଠାରୁ ଅଲଗା ହୋଇଯିବା ସମସ୍ତଙ୍କ ପାଇଁ ଭଲ ହେବ ବୋଲି ଏସ୍‌ପି ଗ୍ରୁପ୍ ଭାବୁଛି।

ଆଜି ସୁପ୍ରିମକୋର୍ଟରେ ସାଇରସ୍‌ ମିସ୍ତ୍ରୀଙ୍କୁ ଧକ୍କା ଲାଗିଥିଲା। ଟାଟାରେ ଥିବା ଅଂଶଧନର କିଛି ଅଂଶ ବନ୍ଧକ ରଖି ପାଣ୍ଠି ଯୋଗାଡ଼ କରିବା ଲାଗି ଏସ୍‌ପି ଗ୍ରୁପ୍ ଯେଉଁ ପ୍ରୟାସ କରିଥିଲା ତାହାକୁ ଟାଟା ଗ୍ରୁପ୍ ବିରୋଧ କରିବା ସହ ସେହି ପଦକ୍ଷେପ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲା। ସେୟାର ବନ୍ଧକ ବିରୋଧରେ ଟାଟା ସନ୍ସ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେ ଓ ବିଚାରପତି ଏ ଏସ୍‌ ବୋପାନ୍ନା ଓ ଭି ରାମସୁବ୍ରମଣିଅନଙ୍କ ଖଣ୍ଡପୀଠରେ ହୋଇଥିଲା। ଯେଉଁ ସେୟାରଗୁଡ଼ିକୁ ପୂର୍ବରୁ ବନ୍ଧକ ରଖଯାଇଛି ତାହା ଉପରେ ଅକ୍ଟୋବର ୨୮ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଉଭୟ ଟାଟା ସନ୍ସ ଓ ଏସ୍‌ପି ଗ୍ରୁପ୍‌କୁ କୋର୍ଟ ନିର୍ଦେଶ ଦେଇଛନ୍ତି।

ସାଇରସ୍‌ଙ୍କ ପରିବାରର କଂପାନି ଏସ୍‌ପି ଗ୍ରୁପ୍‌ ଉପରେ ବିପୁଳ ପରିମାଣର ଋଣ ବକେୟା ରହିଛି। ତାହାକୁ ପରିଶୋଧ କରିବା ଲାଗି କଂପାନି ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରୁଛି। ସେହି ଧାରାରେ ଏହି ସଂସ୍ଥା ଟାଟା ସନ୍ସରେ ଥିବା ଅଂଶଧନକୁ ବନ୍ଧକ ରଖିବା ଆରମ୍ଭ କରିଥିଲା। ସେ ବିଷୟରେ ଜାଣିବା ପରେ ଟାଟା ପକ୍ଷରୁ ତାହାର ବିରୋଧ କରାଯିବା ସହ ଗତ ‌ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଟାଟାରେ ଥିବା ସେୟାରଗୁଡ଼ିକୁ ବନ୍ଧକ ରଖି ଏସ୍‌ପି ଗ୍ରୁପ୍ ୧୧ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାକୁ ଯୋଜନା ରଖିଥିଲା। କାନାଡାର ପ୍ରାଇଭେଟ୍ ଇକ୍ବିଟି ସଂସ୍ଥା ବ୍ରୁକ୍‌ଫିଲ୍ଡ ଆସେଟ୍‌ ମ୍ୟ‌ାନେଜମେଣ୍ଟ୍‌ ଠାରୁ ୩୭୫୦ କୋଟି ଟଙ୍କା ଆଣିବା ଲାଗି କଂପାନି ବୁଝାମଣା ମଧ୍ୟ ସ୍ବାକ୍ଷର କରିଥିଲା। ଟାଟା ସନ୍ସରେ ଏସ୍‌ପି ଗ୍ରୁପ୍‌ର ଯେଉଁ ଅଂଶଧନ ରହିଛି ତାହାର ବଜାର ମୂଲ୍ୟ ଏବେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଟାଟା ତରଫରୁ ମାମଲା ପରିଚାଳନା କରିଥିବା ବରିଷ୍ଠ ଆଇନଜୀବୀ ହରିଷ ସା‌ଲ୍‌ଭେ କହିଛନ୍ତି ଯେ ସେୟାରକୁ କିଣିବାର ଅଧିକାର ଟାଟା ପାଖରେ ରହିଛି। ମାତ୍ର ଏସ୍‌ପି ଗ୍ରୁପ୍‌ ତହାକୁ ବନ୍ଧକ ରଖୁଛି। ଯଦି ଏସ୍‌ପି ଗ୍ରୁପ୍ ଟାଟାରେ ଥିବା ନିଜର ଅଂଶଧନକୁ ବିକ୍ରି କରିବାକୁ ଚାହିବ ତେବେ ଟାଟା ତାହା କିଣିବା ଲାଗି ପ୍ରସ୍ତୁତ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି। ଏହି ଖବର ପ୍ରଚାରିତ ହେବାର କିଛି ସମୟ ପରେ ଏସ୍‌ପି ଗ୍ରୁପ୍ ଟାଟା ଠାରୁ ଅଲଗା ହେବା ଲାଗି ପ୍ରସ୍ତୁତ ଥିବା ଜଣାଇଛି।

୨୦୧୨ରେ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ରତନ ଟାଟା ଅବସର ନେଇଥିଲେ। ସେହିବର୍ଷ ଟାଟା ପରିବାର ବାହାରର ପ୍ରଥମ ସଦସ୍ୟ ଭାବେ ସାଇରସ୍‌ଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ କିିଛି ବର୍ଷର ପରିଚାଳନା ଭିତରେ ଟାଟା ଓ ସାଇରସ୍‌ଙ୍କ ଭିତରେ ମତଭେଦ ଦେଖାଦେଇଥିଲା। ଟାଟା ଡୋକୋମୋ, ନାନୋ କାର୍ ଏବଂ କୋରସ୍‌ ଅଧିଗ୍ରହଣ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ଭଲ ଫଳ ନଦେବାରୁ ସେଗୁଡ଼ିକୁ ବନ୍ଦ କରିବା ଲାଗି ସାଇରସ୍‌ ଉଦ୍ୟମ ଆରମ୍ଭ କରିଥିଲେ। ସେହି ପଦକ୍ଷେପଗୁଡ଼ିକୁ ରତନ ଟାଟା ସହ୍ୟ କରିପାରିନଥିଲେ। ଏକ ବିବାଦୀୟ ପରିସ୍ଥିତିରେ କଂପାନିର ବୋର୍ଡ ବୈଠକ ଆରମ୍ଭ ହେବା ପୂର୍ବରୁ ସାଇରସ୍‌ଙ୍କୁ ବିଦା କରାଯାଇଥିଲା। ଏହାକୁ ସାଇରସ୍‌ ନିଜ ପ୍ରତି ଅନ୍ୟାୟ ଭାବେ ଗ୍ରହଣ କରିବା ସହ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଜାତୀୟ କଂପାନି ଲ' ଟ୍ରିବ୍ୟୁନାଲ୍‌ରେ ଆବେଦନ କରିିଥିଲେ। ସାଇରସ୍‌ଙ୍କୁ ପୁନର୍ବାର କଂପାନିର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦେଶ ଦେଇଥିଲେ। ତାହା ବିରୋଧରେ ଟାଟା ସୁପ୍ରିମେକୋର୍ଟରେ ଆବେଦନ କରି ଆଶ୍ବସ୍ତି ପାଇଛି। ତେବେ ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ଏବେବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe