୨୦ ଲକ୍ଷର ଗ୍ରାଚ୍ୟୁଇଟି ଟିକସମୁକ୍ତ ହେବ

Advertisment
ଚିନ୍ତା ବଢ଼ାଇଲା ପ୍ରତ୍ୟକ୍ଷ ଟିକସ

Photo by : wp.com

ନୂଆଦିଲ୍ଲୀ: ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ୨୦ ଲକ୍ଷ ଟଙ୍କାର ଟିକସମୁକ୍ତ ଗ୍ରାଚ୍ୟୁଇଟି ସୁବିଧା ଖୁବ୍‌ଶୀଘ୍ର ପାଇବାକୁ ଯାଉଛନ୍ତି। ଗ୍ରାଚ୍ୟୁଇଟି ପ୍ରଦାନ ସଂଶୋଧନ ବିଲ୍‌ -୨୦୧୭କୁ ଗତ ଶୀତ ଅଧିବେଶନରେ ସଂସଦରେ ଆଗତ କରାଯାଇ ସାରିଛି। ଆସନ୍ତା ବଜେଟ ଅଧିବେଶନରେ ଏହା ଗୃହୀତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାହେଲେ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଉପରୋକ୍ତ ସୁବିଧା ମିଳିବା ରାସ୍ତା ଫିଟିଯିବ।ଏବେ ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ୫ ବର୍ଷ ବା ତଦୂର୍ଦ୍ଧ ବର୍ଷ ପାଇଁ ଚାକିରି କରିଥିଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସମୁକ୍ତ ଗ୍ରାଚ୍ୟୁଇଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି। କିନ୍ତୁ ବିଲ୍‌ରେ ସଂଶୋଧନ ଆଣିବା ପାଇଁ ଶ୍ରମ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର ଗତମାସ ୧୮ ତାରିଖରେ ଲୋକସଭାରେ ବିଲ୍‌ ଆଗତ କରିଛନ୍ତି। ଗ୍ରାଚ୍ୟୁଇଟି ପ୍ରଦାନ ଆଇନ-୧୯୭୨ରେ ସଂଶୋଧନ ଆଣିବା ଲାଗି ନୂଆ ବିଲ୍‌ ଆଗତ ହୋଇଛି। କାରଖାନା, ଖଣି, ତୈଳକ୍ଷେତ୍ର, ବୃକ୍ଷରୋପଣ, ବନ୍ଦର, ରେଳ କମ୍ପାନି, ଦୋକାନ ଏବଂ ଅନ୍ୟ ପ୍ରତିଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ ଲାଗି ୧୯୭୨ରେ ଆଇନ ପ୍ରଣୟନ ହୋଇଥିଲା। ୧୦ କିମ୍ବା ତଦୂର୍ଦ୍ଧ କର୍ମଚାରୀ କାର୍ଯ୍ୟ କରୁଥିବା କୌଣସି ପ୍ରତିଷ୍ଠାନରେ ଅତିକମ୍‌ରେ ୫ ବର୍ଷର ନିରବଚ୍ଛିନ୍ନ ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଏହି ଆଇନ ପ୍ରଯୁଜ୍ୟ ରହିଛି। କର୍ମଚାରୀମାନେ ବର୍ଷକୁ ୧୫ ଦିନର ଦରମା ଆକାରରେ ଗ୍ରାଚ୍ୟୁଇଟି ରାଶି ପ୍ରଦାନ କରାଯାଇଥାଏ। କର୍ମଚାରୀମାନେ ଯେତିକି ବର୍ଷ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଗ୍ରାଚ୍ୟୁଇଟି ବାବଦରେ ସେତିକି ବର୍ଷ ପାଇଁ ବାର୍ଷିକ ୧୫ ଦିନ ଲେଖାଏଁ ଦରମା ପ୍ରଦାନ କରାଯାଇଥାଏ। ତେବେ ଏହାର ସର୍ବାଧିକ ସୀମା ୧୦ ଲକ୍ଷ ଟଙ୍କା ରହିଛି। ୨୦୧୦ ମସିହାରେ ଏହି ସୀମା ନିର୍ଧାରଣ କରାଯାଇଛି। କିନ୍ତୁ ସପ୍ତମ ବେତନ କମିସନର ସୁପାରିସ କାର୍ଯ୍ୟକାରୀ ହେବା ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe