କ୍ରିପ୍ଟୋ ଆୟ ଉପରେ ଲାଗିବ ଟିକସ

Advertisment

ବଜେଟ୍‌ରେ ଘୋଷଣା ହେବ

ବଜେଟ୍‌ରେ ଘୋଷଣା ହେବ

କ୍ରିପ୍ଟୋ ଆୟ ଉପରେ ଲାଗିବ ଟିକସ

forbes

ନୂଆଦିଲ୍ଲୀ: ଯଦିଓ କ୍ରିପ୍ଟୋକରେନ୍ସିକୁ ଦେଶରେ ଆଇନଗତ ମାନ୍ୟତା ମିଳିନାହିଁ, ତଥାପି ଯୁବପିଢ଼ିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ିବାରେ ଲାଗିଛି। ଏଥିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ସେଥିପାଇଁ ଆୟକର ନିୟମରେ ଆବଶ୍ୟକ ସଂଶୋଧନ କରାଯିବ। ଏବିଷୟରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା ହେବାର ସମ୍ଭାବନା ରହିଛି।

ଏ ସମ୍ପର୍କରେ ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି ଯେ କିଛି ଲୋକ କ୍ରିପ୍ଟୋକରେନ୍ସି ଉପରେ ହେଉଥିବା ଦୀର୍ଘମିଆଦୀ ଆୟ ଉପରେ ଟିକସ ଦେଉଛନ୍ତି। ଯେହେତୁ ବହୁ ଲୋକ କ୍ରିପ୍ଟୋକରେନ୍ସି ବ୍ୟବହାର କରିବା ଆରମ୍ଭ କରିଛନ୍ତି, ତେଣୁ ଏଥିରୁ ହେଉଥିବା ଆୟକୁ କିଭଳି ଟିକସ ପରିସରରେ ସାମିଲ କରାଯିବ ସେନେଇ ବିଚାର ବିମର୍ଶ ଚାଲିଛି। ଆସନ୍ତାବର୍ଷ ବଜେଟ୍‌ରେ ଏହାକୁ ନେଇ କିଛି ନିର୍ଦି‌ଷ୍ଟ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବଜାଜ୍ କହିଛନ୍ତି। କ୍ରିପ୍ଟୋକରେନ୍ସିରୁ ହେଉଥିବା ଆୟକୁ ପୁଞ୍ଜି ଲାଭ ଭାବେ ବିଚାର କରି ଟିକସ ଲଗାଯିବ। ଯେଉଁ ସଂସ୍ଥାଗୁଡ଼ିକ କ୍ରିପ୍ଟୋରେ କାରବାର କରିବା ସୁବିଧା ଦେଉଛନ୍ତି ସେମାନଙ୍କୁ ବ୍ରୋକରେଜ୍ ବା ଟ୍ରେଡିଂ ପ୍ଲାଟଫର୍ମ ଭାବେ ବିଚାର କରାଯିବ। ସେହି ଅନୁସାରେ ସେମାନଙ୍କ ଠାରୁ ଜିଏସ୍‌ଟି ସଂଗ୍ରହ କରାଯିବ। ଆମ ଦେଶରେ ପ୍ରଚଳନରେ ଥିବା ଜିଏସ୍‌ଟି ଆଇନ ‌ବେଶ ସ୍ପଷ୍ଟ। ଯଦି କେହି ବ୍ରୋକର ଭାବେ ଲୋକମାନଙ୍କୁ ସାହାଯ୍ୟ କରି ତାଙ୍କ ଠାରୁ ଫି’ ସଂଗ୍ରହ କରୁଛି ତେବେ ସେମାନଙ୍କୁ ସେହି ଆୟ ଉପରେ ଜିଏସ୍‌ଟି ଗଣିବାକୁ ପଡ଼ିବ ‌ବୋଲି ସେ କହିଛନ୍ତି।

କ୍ରିପ୍ଟୋକରେନ୍ସିକୁ ନେଇ ଦେଶରେ ଏବେ ବଡ଼ ଧରଣର ମାନସମନ୍ଥନ ଜାରି ରହିଛି। ଏହାକୁ କିଭଳି ନିୟନ୍ତ୍ରଣ କରାଯିବ ସେନେଇ ବିଭିନ୍ନ ଅଂଶୀଦାରଙ୍କ ସହ ସରକାର ଆଲୋଚନା କରୁଛନ୍ତି। କ୍ରିପ୍ଟୋକୁ ନିଷିଦ୍ଧ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦାବି କରୁଛନ୍ତି। କିନ୍ତୁ ସରକାର ତାଙ୍କ କଥାକୁ ସମ୍ପୂର୍ଣ୍ଣ ଗ୍ରହଣ କରିପାରୁନାହାନ୍ତି। ଏକ ମଝି ବାଟ ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଯାହା ଆଭାସ ମିଳିଛି ସେଥିରୁ ଜଣାପଡ଼ୁଛି ଯେ ନିକଟ ଭବିଷ୍ୟତରେ କ୍ରିପ୍ଟୋକୁ ଭାରତରେ ମୁଦ୍ରାର ମାନ୍ୟତା ଦିଆଯିବ ନାହିଁ। କିନ୍ତୁ ସୁନା, ସେୟାର କିମ୍ବା ବଣ୍ଡ୍‌ ଭଳି ଏହାକୁ ଏକ ସମ୍ପତ୍ତି ବର୍ଗ ଭାବେ ଗ୍ରହଣ କରାଯିବ। ଏହା ହେଲେ ଲୋକମାନେ ସେଥିରେ ନିବେଶ କରି ଆୟ କରିପାରିବେ। କ୍ରିପ୍ଟୋରେ କାରବାର ସୁବିଧା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ତାହା ଚାହୁଛନ୍ତି। କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ବିଲ୍ ତିଆରି କରିଛନ୍ତି। ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍‌ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।

କ୍ରିପ୍ଟୋକରେନ୍ସିକୁ ନେଇ ଦେଶରେ ରହିଥିବା ଉତ୍ସାହକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତିତ ହୋଇପଡ଼ିଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ନେଇ ରହିଥିବା ଆଗ୍ରହ ତାଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ବାଧ୍ୟ କରିଛି। କ୍ରିପ୍ଟୋକରେନ୍ସିକୁ ଲୋକମାନେ ଭଲ ଭାବେ ବୁଝିନଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ବୋଲି ମଧ୍ୟ ସମସ୍ତେ ଜାଣନ୍ତି। କାରବାର କରିବା ଲାଗି ଏହା କେବଳ ଏକ ସୁବିଧାଜନକ ମାଧ୍ୟମ ଭାବେ ଉଭା ହୋଇଛି। ଏଥିରେ ଜମାରାଶିର ନିରାପତ୍ତାର କୌଣସି ଗ୍ୟାରେଣ୍ଟି ନାହିଁ। ‌ତେଣୁ ବିଭ୍ରାନ୍ତୀକର ବିଜ୍ଞାପନ ଦେଇ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ସଂସ୍ଥାଗୁଡ଼ିକ ଉପରେ ନଜର ରଖିବା ଲାଗି ସରକାର ନୀତିରେ ସ୍ବତନ୍ତ୍ର ବ୍ୟବସ୍ଥା କରିବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe