ନୂଆଦିଲ୍ଲୀ: ବଜେଟ୍ରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟବିତ୍ତଙ୍କ ପାଇଁ ଅନୁକୂଳ ନିଷ୍ପତ୍ତି ବୋଲି କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଅମଳରେ ଦରମାର ଏକ ଚତୁର୍ଥାଂଶ ଟିକସ ଭାଗେ କଟି ଯାଉଥିଲା। ବିରୋଧୀ ଦଳ କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ ଯେ ନେହେରୁଙ୍କ ଅମଳରେ ୧୨ ଲକ୍ଷ ଟଙ୍କା ବେତନରୁ ଚାରି ଭାଗରୁ ଭାଗେ ରାଶି ଟିକସ ଦେବାକୁ ପଡ଼ୁଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କ ଅମଳରେ ପ୍ରତି ୧୨ ଲକ୍ଷ ଟଙ୍କା ଆୟରୁ ୧୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡ଼ୁଥିଲା। ୧୦-୧୨ ବର୍ଷ ପୂର୍ବେ ମଧ୍ୟ କଂଗ୍ରେସ ଅମଳରେ ୧୨ ଲକ୍ଷ ଟଙ୍କା ଆୟ ଉପରେ ୨ ଲକ୍ଷ ୬୦ ହଜାର ଟଙ୍କାର ଟିକସ ଗଣିବାକୁ ପଡ଼ୁଥିଲା। କିନ୍ତୁ ଗତକାଲି ଘୋଷଣା କରାଯାଇଥିବା ବଜେଟ୍ ଯୋଗୁଁ ୧୨ ଲକ୍ଷ ରୋଜଗାର ଉପରେ କୌଣସି ଟିକସ ଦେବାକୁ ପଡ଼ିବନି ବୋଲି ମୋଦୀ କହିଛନ୍ତି।
ସେ କହିଥିଲେ ଯେ ସ୍ବାଧୀନତା ଭାରତରେ ପୂର୍ବରୁ କେବେବି ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏଭଳି ରିହାତି ମିଳି ନ ଥିଲା। ଭାରତର ବିକାଶରେ ମଧ୍ୟବିତ୍ତ ବର୍ଗଙ୍କ ବଡ଼ ଭୂମିକା ରହିଛି। ଭାରତୀୟ ଜନତା ପାର୍ଟି ହିଁ ମଧ୍ୟବିତ୍ତଙ୍କୁ ସମ୍ମାନ ଜଣାଉଛି ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରୁଛି। ଗତକାଲିର ବଜେଟ୍କୁ ସମେସ୍ତ ମଧ୍ୟବିତ୍ତ ଅନୁକୂଳ ବଜେଟ୍ କହୁଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ଭାରତର ଚାରି ପ୍ରମୁଖ ସ୍ତମ୍ଭ ଚାଷୀ, ମହିଳା, ଯୁବପିଢ଼ି ଓ ଗରିବଙ୍କୁ ସଶକ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଆପ୍ ମୁଖ୍ୟ ଅରବିନ୍ଦ କ୍ରେଜିୱାଲଙ୍କୁ ବଡ଼ ବଡ଼ ଶିଳ୍ପପତିଙ୍କ ଦାସ କହି ସମାଲୋଚନା କରିଛନ୍ତି।
Follow Us