ମୁମ୍ବାଇ: ଆମେରିକାର ବିଦ୍ୟୁତ ଯାନ ନିର୍ମାତା ଟେସ୍ଲା ଭାରତରେ ଏହାର ପ୍ରଥମ ସୋରୁମ୍ ମୁମ୍ବାଇର ବ୍ୟୟବହୁଳ ସ୍ଥାନ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଖୋଲିବ। ବିକେସିର ବାଣିଜ୍ୟିକ ଟାୱାରର ତଳ ମହଲାରେ ୪୦୦୦ ବର୍ଗଫୁଟରେ ଏହି ସୋରୁମ୍ ହେବ। ଏଠାରେ ବର୍ଗଫୁଟ୍ ପିଛା ମାସିକ ୯୦୦ ଟଙ୍କା ଭଡ଼ା ଆଦାୟ କରାଯାଇଥାଏ। ତେଣୁ କମ୍ପାନି ମାସିକ ୩୫ ଲକ୍ଷ ଟଙ୍କା ଭଡ଼ା ବାବଦରେ ଗଣିବ ବୋଲି ଅନୁମାନ କରାଯାଉଛି। ୫ ବର୍ଷ ପାଇଁ କମ୍ପାନି ଭଡ଼ା ରାଜିନାମା କରିଛି ବୋଲି ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଟେସ୍ଲା ଭାରତରେ ସୋରୁମ୍ ଖୋଲିବାକୁ ଯାଉଛି।
ଆମେରିକା ଗସ୍ତ ଅବସରରେ ମୋଦୀ ଟେସ୍ଲା ମୁଖ୍ୟ ମସ୍କଙ୍କୁ ମଧ୍ୟ ଭେଟିଥିଲେ। ମୁମ୍ବାଇ ପରେ ଦିଲ୍ଲୀର ଏରୋସିଟି କମ୍ପ୍ଲେକ୍ସରେ କମ୍ପାନି ଦ୍ବିତୀୟ ସୋରୁମ୍ ଖୋଲିବା ଯୋଜନା ରଖିଛି। ଫଳରେ ଆଗାମୀ କିଛିଦିନ ମଧ୍ୟରେ ଭାରତରେ ଟେସ୍ଲା କାର୍ ବିକ୍ରି ହେବ ବୋଲି ଆଶା କରାଯାଉଛି। ଆମଦାନୀ ହେଉଥିବା ଗାଡ଼ି ଉପରେ ଭାରତ ୧୧୦ ପ୍ରତିଶତ ଶୁଳ୍କ ଲାଗୁ କରୁଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଆପତ୍ତି ଉଠାଇଛନ୍ତି। ଉଚ୍ଚ ଶୁଳ୍କକୁ ଏଡ଼ାଇବା ପାଇଁ ଟେସ୍ଲା ଭାରତରେ କାରଖାନା ସ୍ଥାପନ କରିବା ଆମେରିକା ପାଇଁ ଅନ୍ୟାୟ ବୋଲି ଟ୍ରମ୍ପ୍ କହିଥିଲେ। ଏଥିସହିତ ତାଙ୍କ ଦେଶ ଉପରେ ଯେଉଁ ଦେଶ ଯେତିକି ଟିକସ ଲଗାଉଛି ସେସବୁ ଦେଶ ଉପରେ ସମାନ ମାତ୍ରାର ପାଲଟା ଶୁଳ୍କ ଲଗାଇବା ନେଇ ମଧ୍ୟ ପ୍ରଶାସନକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି।
Follow Us