Ahmedabad Local
ନୂଆଦିଲ୍ଲୀ: ଆମେରିକାର ବିଦ୍ୟୁତ୍ ଯାନ ନିର୍ମାତା ଟେସ୍ଲା ଭାରତରେ ସୋ’ରୁମ୍ ଖୋଲିବ। କମ୍ପାନି ଏଥିପାଇଁ ୩ଟି ବଡ଼ ସହରରେ ସୋରୁମ୍ ପାଇଁ ସ୍ଥାନ ଅନୁସନ୍ଧାନ ଚଳାଇଛି। କମ୍ପାନି ପ୍ରତ୍ୟେକ ସୋରୁମ୍ ସହିତ ସର୍ଭିସ ସେଣ୍ଟର ପାଇଁ ୨୦ ହଜାରରୁ ୩୦ ହଜାର ବର୍ଗଫୁଟର ବାଣିଜ୍ୟିକ ସ୍ଥାନ ଖୋଜୁଛି। ଗତ ଜାନୁଆରିରେ ଟେସ୍ଲା ଭାରତରେ ଏହାର କମ୍ପାନି ସ୍ଥାପନ ପାଇଁ ପଞ୍ଜୀକରଣ କରିଛି। ଉକ୍ତ ଭାରତୀୟ କମ୍ପାନି ମାଧ୍ୟମରେ ଟେସ୍ଲା ବିଦେଶରୁ ବର୍ତ୍ତମାନ କାର୍ ଆମଦାନି କରି ବିକ୍ରି କରିବା ଯୋଜନା ରଖିଛି।
ଚଳିତବର୍ଷ ଜୁନ୍ ସୁଦ୍ଧା କମ୍ପାନି ବିକ୍ରି ଆରମ୍ଭ କରିବ ବୋଲି ଚର୍ଚ୍ଚା ହେଉଛି। ଯେଉଁ ୩ଟି ବଡ଼ ସହରରେ କମ୍ପାନି ସୋରୁମ୍ ଖୋଲିବା ପାଇଁ ଉଦ୍ୟମ ଚଳାଇଛି ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ରହିଛି। ଏଥିସହିତ କମ୍ପାନି ଇନଭେଷ୍ଟ୍ ଇଣ୍ଡିଆ ନାମକ ସଂସ୍ଥାର ପୂର୍ବତନ ବରିଷ୍ଠ ଅଧିକାରୀ ମନୁଜ୍ ଖୁରାନାଙ୍କୁ ନିଯୁକ୍ତି ଦେଇଛି। ସେ କମ୍ପାନିର ନୀତି ଏବଂ ବ୍ୟବସାୟିକ ବିକାଶ କାର୍ଯ୍ୟ ବୁଝିବେ ବୋଲି କୁହାଯାଉଛି। ଗତବର୍ଷ ଅକ୍ଟୋବରରେ ଭାରତ ପ୍ରବେଶ ନେଇ ଟେସ୍ଲାର ପ୍ରତିଷ୍ଠାତା ଏଲନ ମସ୍କ ସୂଚନା ଦେଇଥିଲେ। ଏବେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହିତ ସୋ’ରୁମ୍ ପାଇଁ ସ୍ଥାନ ଖୋଜିବା ଉଦ୍ୟମ ଚଳାଇଥିବାରୁ ଭାରତ ପ୍ରବେଶ ନେଇ କମ୍ପାନି ତତ୍ପର ଥିବା ବିଷୟ ସ୍ପଷ୍ଟ ହୋଇଛି। ତେବେ ଭାରତରେ ସଫଳତା ହାସଲ କରିବା ଟେସ୍ଲା ପାଇଁ ସେତେଟା ସହଜ ହେବନାହିଁ। ପ୍ରଥମତଃ ବିଦ୍ୟୁତ୍ ଯାନ ପାଇଁ ଭାରତରେ ସେତେ ଅଧିକ ସଂଖ୍ୟାରେ ଭିତ୍ତିଭୂମି ସୁବିଧା ନାହିଁ। ଏଥିସହିତ ବିଦେଶରୁ ଆମଦାନି ହେଉଥିବା କାର୍ ଉପରେ ସରକାର ବିପୁଳ ମାତ୍ରାରେ ଟିକସ ଆଦାୟ କରୁଛନ୍ତି। ଏହାଛଡ଼ା ଭାରତରେ ବିଦ୍ୟୁତ୍ ଯାନ ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସେତେଟା ଆଗ୍ରହ ଦେଖାଯାଇ ନାହିଁ।
Follow Us