ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକମାନେ ଅଜଣା ନମ୍ବରରୁ ଆସୁଥିବା କଲ୍ ବିଷୟରେ ଜାଣିବା ଲାଗି ଏବେ ଘରୋଇ ସଂସ୍ଥା ଟ୍ରୁକଲର୍ ଦ୍ବାରା ପରିଚାଳିତ ସେବା ବ୍ୟବହାର କରୁଛନ୍ତି। ଯେଉଁମାନେ ସେହି ଆପ୍ ଡାଉନ୍ଲୋଡ୍ କରି ସକ୍ରିୟ କରିଛନ୍ତି, ସେମାନେ ଅଜଣା ନମ୍ବରୁ ଆସିଥିବା କଲ୍ର ପରିଚୟ ଜାଣିପାରୁଛନ୍ତି। ଟେଲିକମ୍ ବିଭାଗ ସେହିଭଳି ଏକ ସେବା ଆରମ୍ଭ କରିବାକୁ ଯାଉଛି। ତାହାର ପରୀକ୍ଷଣ ଖୁବ୍ଶୀଘ୍ର ଆରମ୍ଭ ହେବ। ଅବାଞ୍ଛିତ କଲ୍ ସମସ୍ୟାର ମୁକାବିଲା ଲାଗି ଏହାକୁ ବିକାଶ କରାଯାଇଛି। ପରୀକ୍ଷଣ ସଫଳ ହେଲେ ତାହାକୁ କାର୍ଯ୍ୟକାରୀ କରାଯିବ।
ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଚାହୁଛି ଭାରତରେ ତିଆରି ହେଉଥିବା ସ୍ମାର୍ଟଫୋନ୍ଗୁଡ଼ିକରେ ବାଧ୍ୟତାମୂଳକ ଭାବେ ଏହି ବ୍ୟବସ୍ଥା ରହୁ। ସେଥିପାଇଁ ଫୋନ୍ ନିର୍ମାତାମାନଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଧାରଣ କରଯାଉ। ଅଜଣା ନମ୍ବରର ପରିଚୟ ଜାଣିବା ଲାଗି ପରୀକ୍ଷଣ ବେଳେ ସବୁ ଟେଲିକମ୍ କମ୍ପାନି ଭାଗ ନିଅନ୍ତୁ ବୋଲି ଟ୍ରାଇ ଚାହୁଛି। ତେବେ ହ୍ବାଟସ୍ଆପ୍ ଭଳି ଆପ୍କୁ ଏହି ପରୀକ୍ଷଣରେ ସାମିଲ କରାଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଅଜଣା ନମ୍ବରର ପରିଚୟ ଚିହ୍ନଟ କରିବାର ସବୁଠୁ ବଡ଼ ଅସୁବିଧା ହେଉଛି କଲ୍ କରୁଥିବା ବ୍ୟକ୍ତି କେଉଁ ନେଟ୍ୱର୍କ ବ୍ୟବହାର କରୁଛନ୍ତି ତାହା ଜାଣିବା କଷ୍ଟକର। କିଛି ଲୋକ ମୋବାଇଲ୍ ନେଟ୍ୱର୍କ ବ୍ୟବହାର କରୁଥିବା ବେଳେ ଅନ୍ୟମାନେ ଇଣ୍ଟରନେଟ୍ ଜରିଆରେ ଫୋନ୍ କରୁଛନ୍ତି। ତେଣୁ କେଉଁ ସ୍ତରରେ ଏହି ବ୍ୟବସ୍ଥା ଲାଗୁ କଲେ ଲୋକମାନେ ଉପକୃତ ହେବେ ତାହା ଚିହ୍ନଟ କରିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଟେଲିକମ୍ ବିଭାଗ ତାହା ଉପରେ କାମ କରୁଛି।
Follow Us