୨୫ ବର୍ଷରେ ପ୍ରଥମ କ୍ଷତି ସହିବ ଏଏଆଇ, ୧୦୦୦ କୋଟିର କ୍ଷତି ହୋଇପାରେ

Advertisment
୨୫ ବର୍ଷରେ ପ୍ରଥମ କ୍ଷତି ସହିବ ଏଏଆଇ, ୧୦୦୦ କୋଟିର କ୍ଷତି ହୋଇପାରେ

Moneycontrol

ନୂଆଦିଲ୍ଲୀ: ଦେଶରେ ବିମାନବନ୍ଦରଗୁଡ଼ିକର ପରିଚାଳନା ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ନିଜ ଇତିହାସରେ ପ୍ରଥମ ଥର ଲାଗି କ୍ଷତି ସହିବାକୁ ଯାଉଛି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହା ୨୫ ବର୍ଷ ପରେ ପ୍ରଥମ କ୍ଷତି ସହିବ। ଏହି ସଂସ୍ଥାକୁ ୧୯୯୫ରେ ସ୍ଥାପନ କରାଯାଇଥିଲା। ସେହି ବର୍ଷଠାରୁ କୌଣସି ଗୋଟିଏ ବର୍ଷ ଏହାର କ୍ଷତି ହୋଇନାହିଁ।

କରୋନା ମହାମାରୀ ପ୍ରଭାବ ଯୋଗୁଁ ଉଭୟ ଦେଶ ଭିତରେ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଥିପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଆୟ ବହୁତ ହ୍ରାସ ପାଇଛି। ଗତବର୍ଷ ଏପ୍ରିଲ୍-ସେପ୍ଟେମ୍ବରରେ ଏହାର ଆୟ ୫୭୪୫ କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେହି ସମୟରେ ମାତ୍ର ୮୯୪ କୋଟି ଟଙ୍କାର ଆୟ ହୋଇଛି। ବିଶେଷ କରି ଦିଲ୍ଲୀ ଓ ମୁମ୍ବାଇରୁ ଆୟ ହ୍ରାସ ପାଇବାରୁ ଏଏଆଇ କ୍ଷତି ଆଡ଼କୁ ଗତି କରୁଛି। ଏଏଆଇ ଅଧୀନରେ ଦେଶର ୯୧ଟି ବିମାନବନ୍ଦର ପରିଚାଳିତ ହେଉଛି। ଏହି ସବୁ ବିମାନବନ୍ଦର ଦେଇ ଗତ ଜାନୁଆରିରେ ୧,୪୫,୬୮,୧୬୬ ଯାତ୍ରୀ ଯାତ୍ରା କରିଥିଲେ। ଅଗଷ୍ଟ ସୁଦ୍ଧା ଯାତ୍ରୀମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୩ ହଜାର ୪୪୭କୁ ହ୍ରାସ ପାଇଛି। ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଅନେକ ସଂସ୍ଥା ଦୁର୍ବଳ କାରବାର ଯୋଗୁଁ ଏଏଆଇକୁ ପେମେଣ୍ଟ୍‌ ଦେଇପାରୁନାହାନ୍ତି। ଯଦିଓ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି, ମାତ୍ର ଚଳିତ ଆର୍ଥିକ ବର୍ଷ ପାଇଁ ଯେଉଁ ୪୦୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ସଂସ୍ଥା ହାସଲ କରିବା ଉପରେ ଗୁରୁତ୍ବ ଦେଉଛି। ଏହି ପାଣ୍ଠି ମଧ୍ୟରୁ ୩୦୦୦ କୋଟି ଟଙ୍କା ଋଣ ଆକାରରେ ଆସିବ। ଆକ୍ସିସ୍ ବ୍ୟାଙ୍କରୁ ୨୧୦୦ କୋଟି ଟଙ୍କାର ଦୀର୍ଘମିଆଦୀ ଋଣ ଆଣିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଏଏଆଇର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି। ଉଭୟ ଦେଶ ଓ ବିଦେଶରୁ ପାଣ୍ଠି ହାସଲ କରିବା ଲାଗି ଏଏଆଇକୁ ଅନୁମତି ଦିଆଯାଇଛି। ୨୦୨୧ ଜାନୁଆରିରେ ୧୦୦୦ କୋଟି ଟଙ୍କାର ଋଣ ଆଣିବା ଉପରେ କଂପାନି ବିଚାର କରୁଛି। ଲକ୍ଷ୍ନୌ, ଅହମ୍ମଦାବାଦ ଓ ମାଙ୍ଗାଲୋର ବିମାନ ବନ୍ଦର ଘରୋଇକରଣରୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe