ରାଶି ଅନ୍ୟତ୍ର ସ୍ଥାନାନ୍ତର ହୋଇନି, ଜିଏସ୍‌ଟି କାରସାଦି ରିପୋର୍ଟକୁ କେନ୍ଦ୍ରର ଖଣ୍ଡନ

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦୁଇଟି ଆର୍ଥିକ ବର୍ଷରେ ପ୍ରାୟ ୪୭ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର କରିଥିବା ନେଇ ସିଏଜି ସୂଚନା ଦେଇଥିଲେ। ସିଏଜି ଦାବି ଉପରେ ଆଜି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଜିଏସ୍‌ଟି କ୍ଷତିପୂରଣ ରାଶି ଅନ୍ୟତ୍ର ସ୍ଥାନାନ୍ତର କରାଯାଇନାହିଁ ବୋଲି ସରକାର କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ସମସ୍ତ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରାଯାଇଛି। କ୍ଷତିପୂରଣ ସେସ୍‌ ଆକାରରେ ଯାହା ସଂଗ୍ରହ ହୋଇଥିଲା ତାହାକୁ ଶେଷ ହିସାବ ପାଇଁ ରଖାଯାଇଥିଲା। ତାହାକୁ ଅନ୍ୟତ୍ର ବ୍ୟବହାର କୁହାଯାଇପାରିବ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ଟିକସ ଓ ସେସ୍‌ ବାବଦରେ ଯାହା ସଂଗ୍ରହ କରାଯାଏ ତାହାକୁ ଭାରତୀୟ ସଂଗଠିତ ପାଣ୍ଠିରେ ପ୍ରଥମେ ରଖାଯାଏ। ସେଠାରୁ ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ। ସଂଗ୍ରହ ହୋଇଥିବା ଟିକସର ଚୂଡ଼ାନ୍ତ ରାଶି ଆର୍ଥିକ ବର୍ଷ ଶେଷ ହେବା ପରେ ଜଣାପଡ଼େ। ତେଣୁ ଆକଳନ ଠାରୁ ଯାହା ଅଧିକ ଆୟ ହୋଇଥାଏ ତାହା ଭାରତୀୟ ସଂଗଠିତ ପାଣ୍ଠିରେ ରହିଯାଏ। ତେଣୁ କିଛି ଦିନ ପାଇଁ ସଂଗଠିତ ପାଣ୍ଠିରେ ଟଙ୍କା ରହିଯିବାକୁ କୌଣସି ପ୍ରକାରରେ ଅନ୍ୟତ୍ର ସ୍ଥାନାନ୍ତର କୁହାଯାଇପାରିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି।

୨୦୧୭-୧୮ରେ ୬୨,୬୧୧ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ସେସ୍‌ ଆଦାୟ ହୋଇଥିଲା। ସେହି ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ୪୪,୧୪୬ କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଥିଲା। ୨୦୧୮-୧୯ରେ ୯୫,୦୮୧ ‌କୋଟି ଟଙ୍କାର କ୍ଷତିପୂରଣ ସେସ୍‌ ଆଦାୟ ହୋଇଥିଲା। ସେହିବର୍ଷ ପାଇଁ ରାଜ୍ୟଗୁଡ଼ିକୁ ୬୯,୨୭୫ କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଥିଲା। ଦୁଇ ବର୍ଷର ବଳକା ଟଙ୍କା ଅର୍ଥାତ ୪୭,୨୭୧ କୋଟି ଟଙ୍କା ବଳକା ରହିଥିଲା, ଯାହା ଚୂଡ଼ାନ୍ତ ହିସାବ ଅପେକ୍ଷାରେ ଥିଲା। ୨୦୧୯-୨୦ରେ ସରକାର ୯୫,୪୪୪ କୋଟି ଟଙ୍କାର ସେସ୍‌ ସଂଗ୍ରହ କରିଥିଲେ। କିନ୍ତୁ ରାଜ୍ୟଗୁଡ଼ିକୁ ତା’ଠାରୁ ଯଥେଷ୍ଟ ଅଧିକ ୧,୬୫,୩୦୨ କୋଟି ଟଙ୍କାର କ୍ଷତିପୂରଣ ରାଶି ଦେଇଥିଲେ। ଆଦାୟ ହୋଇଥିବା ସେସ୍‌ ବାଦ ଯେଉଁ ପାଣ୍ଠି ଦରକାର ପଡ଼ିଥିଲା ତାହା ପୂର୍ବ ଦୁଇ ବର୍ଷରେ ବଳକା ରହିଥିବା ପାଣ୍ଠିରୁ ବ୍ୟବହାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe