oneindia.com
ନୂଆଦିଲ୍ଲୀ: କରୋନା ମହାମାରୀ ହେଉଛି ଭାରତ ସ୍ବାଧୀନ ହେବା ପରବର୍ତୀ ସମୟର ସବୁଠୁ ବଡ଼ ଆହ୍ବାନ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ୟୁନିଭର୍ସିଟି ଅଫ୍ ସିକାଗୋ ସେଣ୍ଟର୍ ଇନ୍ ଦିଲ୍ଲୀର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତ ପାଇଁ ଏହା ହେଉଛି ଅତ୍ୟନ୍ତ ଦୁଃଖଦ ସମୟ। ବୋଧହୁଏ ସ୍ବାଧୀନତା ପରେ ସବୁଠୁ ବଡ଼ ଆହ୍ବାନ। ଯେତେବେଳେ ମହାମାରୀ ଆରମ୍ଭ ହେଲା ତାହାର ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବାରୁ ତାହା ଅର୍ଥନୈତିକ ଆହ୍ବାନ ସୃଷ୍ଟି କରିଥିଲା। କିନ୍ତୁ ଦ୍ବିତୀୟ ଲହର ଉଭୟ ଅର୍ଥନୈିକ ଓ ବ୍ୟକ୍ତିଗତ ଆହ୍ବାନ ସୃଷ୍ଟି କରିିଛି। ଆଗାମୀ ଦିନରେ ସାମାଜିକ ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି। ଭାରତରେ ଦୈନିକ ସଂକ୍ରମଣ ତିନି ଲକ୍ଷରୁ ଅଧିକ ରହୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। ବିଭିନ୍ନ କାରଣ ଯୋଗୁଁ ସରକାର ସବୁଠାରେ ପହଞ୍ଚି ସାହାଯ୍ୟ କରିପାରୁନାହାନ୍ତି ବୋଲି ରାଜନ କହିଛନ୍ତି। ମହାରାଷ୍ଟ୍ରର ଉଦାହରଣ ଦେଇ ସେ କହିଛନ୍ତି ଯେ ସବୁ ଶଯ୍ୟା ନିକଟରେ ଏହି ରାଜ୍ୟ ଅକ୍ସିଜେନ୍ ପହଞ୍ଚାଇଛି। କିନ୍ତୁ ସବୁ ସରକାରୀ ସ୍ତରରେ ସେଭଳି କାମ ହୋଇପାରିନାହିଁ।
ତାଙ୍କ ମନ୍ତବ୍ୟକୁ ସବୁବେଳେ ସରକାର ବିରୋଧୀ ବୋଲି କୁହାଯାଉଥିବା ସମ୍ପର୍କରେ ରାଜନ କହିଛନ୍ତି ଯେ ଆଇଆଇଟି ଦିଲ୍ଳୀରେ ମୁଁ ଯେଉଁ ବକ୍ତବ୍ୟ ଦେଇଥିଲି ତାହା ସରକାର ବିରୋଧୀ ନଥିଲା। ମୋ ବକ୍ତବ୍ୟକୁ ଅଧିକ ବ୍ୟାଖ୍ୟା କରି ଉପସ୍ଥାପନ କରାଯାଉଛି। ୨୦୧୫ ଅକ୍ଟୋବରରେ ଆଇଆଇଟି ଦିଲ୍ଲୀରେ ଉଦବୋଧନ ଦେଇ ସେ ବାକ୍ ସ୍ବାଧୀନତା ବିଷୟରେ କହିଥିଲେ। ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ଭାବେ ଜଣାଶୁଣା ରାଜନ କହିଥିଲେ ଯେ ସରକାର ସମସ୍ତଙ୍କୁ ଶୁଣିବା ଦରକାର। ସବୁ କିିଛି ସୁବିଧାରେ ହୋଇପାରିବ। ସେଥିପାଇଁ ସରକାର ଭିତରେ ଥିବା ଓ ବାହାରେ ଥିବା ଲୋକମାନଙ୍କୁ କହିବାକୁ ପଡ଼ିବ। ଅନ୍ୟଥା ତାହା ବିପର୍ଯ୍ୟୟର କାରଣ ହୋଇପାରେ ବୋଲି ସେ କହିଥିଲେ। ମୋଦୀ ସରକାରଙ୍କ ନୀତିକୁ ଖୋଲାଖୋଲି ସମାଲୋଚନା କରିବାକୁ ପଛାଉ ନଥିବାରୁ ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରିବାର ଦ୍ବିତୀୟ ସୁଯୋଗ ମିଳିନଥିଲା। ଏବେ ସେ ୟୁନିଭର୍ସିଟି ଅଫ୍ ସିକାଗୋ ବୁଥ୍ ସ୍କୁଲ ଅଫ୍ ବିଜନେସ୍ରେ ପାଠ ପଢ଼ାଉଛନ୍ତି। ତେବେ ଭାରତୀୟ ଅର୍ଥନୀତି ବିଷୟରେ ନିୟମିତ ବ୍ୟବଧାନରେ ମନ୍ତବ୍ୟ ଦେବାକୁ ସେ ଭୁଲୁ ନାହାନ୍ତି।
Follow Us