ପୁଣି ଉଡ଼ିବ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନ

ପୁଣି ଉଡ଼ିବ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନ

ନୂଆଦିଲ୍ଲୀ: ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନ ପୁଣି ଥରେ ଆକାଶରେ ଉଡ଼ିବ। ଆମେରିକାର ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଫେଡେରାଲ୍‌ ଆଭିଏସନ୍‌ ଆଡମିନିଷ୍ଟ୍ରେସନ (ଏଫ୍‌ଏଏ) ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରିଛି। ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୪୬ ଲୋକଙ୍କ ପ୍ରାଣହାନି ହୋଇଥିଲା। ଇଥିଓପିଆନ୍ ଏୟାରଲାଇନ୍ସର ଗୋଟିଏ ଓ ଇଣ୍ଡୋନେସିଆର ଲାୟନ୍ ଏୟାରର ଗୋଟିଏ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁଇ ଘଟଣା ପରେ ୨୦୧୯ ମାର୍ଚ୍ଚରେ ୭୩୭ ମ୍ୟାକ୍ସ ଉଡ଼ାଣକୁ ସମଗ୍ର ବିଶ୍ବରେ ନିଷିଦ୍ଧ କରାଯାଇଥିଲା। ୨୦ ମାସରୁ ଅଧିକ ସମୟ ହେଲାଣି ୭୩୭ ମ୍ୟାକ୍ସ ବିମାନଗୁଡ଼ିକ ଠିଆ ହୋଇରହିଛି। ‌

ଏହାର ଉଡ଼ାଣ ନିଷିଦ୍ଧ ହେବା ପରଠାରୁ ଆମେରିକାର ବିମାନ ଚଳାଚଳ ନିୟାମକ ସଂସ୍ଥା ଏହାର ସୁରକ୍ଷା ଅଡିଟ୍‌ କରୁଥିଲା। ସେହି ପ୍ରକ୍ରିୟା ଶେଷ ହୋଇଥିବାରୁ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ନିଷିଦ୍ଧ ହେବା ପୂର୍ବରୁ ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ ଥିଲା ବିଶ୍ବର ସର୍ବାଧିକ ବିକ୍ରି ହେଉଥିବା ବିମାନ। ତେବେ ଯେଉଁ ସବୁ ସଂସ୍ଥା ୭୩୭ ମ୍ୟାକ୍ସ କିଣିଥିଲେ ସେମାନଙ୍କୁ ଉଡ଼ାଣ ପୂର୍ବରୁ ବିମା‌ନରେ କେତେକ ପରିବର୍ତନ ଆଣିବାକୁ ପଡ଼ିବ। ସଫଟ୍‌ଓୟାରରେ ଉନ୍ନତି, ଓୟାରକୁ ଅଲଗା କରିବା, ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ଆଦି କାର୍ଯ୍ୟ କରିବାକୁ ପଡ଼ିବ। ଆକାଶରେ ଉଡ଼ିବା ପୂର୍ବରୁ ବିମାନର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ‌ ହେବ। ଆଗାମୀ କିଛି ଦିନ ମଧ୍ୟରେ ବିଶ୍ବର ବିଭିନ୍ନ ଦେଶର ୭୩୭ ମ୍ୟାକ୍ସ ବିମାନ ଉଡ଼ାଣକୁ ପୁଣି ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି। ସେହି ଧାରାରେ ଭାରତର ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ମଧ୍ୟ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe