Representational Picture
ନୂଆଦିଲ୍ଲୀ: ଗ୍ରାହକଙ୍କୁ ଫ୍ଲାଟ୍ ପ୍ରଦାନ ସଂପର୍କରେ ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗ (ଏନସିଡିଆର୍ସି) ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ସରି ନଥିଲେ କିମ୍ବା ଘରର କମ୍ପ୍ଲିସନ୍ ସାର୍ଟିଫିକେଟ୍ ପ୍ରମାଣପତ୍ର ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଦାନ କରି ନଥିଲେ ଘରକୁ କ୍ରେତାଙ୍କୁ ନେବାପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ଏହା କରିଲେ ତାହାକୁ ବେଆଇନ ବ୍ୟବସାୟ ଭାବେ ଗଣାଯିବ ବୋଲି ଏନ୍ସିଡିଆର୍ସି ଏକ ରାୟରେ କହିଛନ୍ତି। ଅଧିକାଂଶ ସମୟରେ ବିଲଡରମାନଙ୍କ ଠାରୁ ଏପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାହକମାନଙ୍କ ପାଇଁ ଏନସିଡିଆର୍ସିର ଉକ୍ତ ରାୟ ସହାୟକ ହେବ।
ଏକ ମାମଲାର ବିଚାର କରି ବିଚାରପତି ସି ବିଶ୍ବନାଥ ଏବଂ ରାମ ସୁରତ ରାମ ମୌର୍ଯ୍ୟ ବେଙ୍ଗାଲୁରୁର ଏକ ରିଅଲ ଇଷ୍ଟେଟ କମ୍ପାନିକୁ କ୍ରେତାଙ୍କୁ ଘର ବାବଦ ପ୍ରାୟ ୩.୫ କୋଟି ଟଙ୍କା ସୁଧ ସହ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପ୍ଲିସନ୍ ସାର୍ଟିଫିକେଟ୍ ବିନା ଘର ନେବାକୁ ଗ୍ରାହକ ମନା କରିଦେଇଥିଲେ। ଏଥିସହିତ ବିଲଡରଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗର ବିଚାର କରି ଆୟୋଗ ଉପରୋକ୍ତ ରାୟ ଦେଇଛନ୍ତି। ଏଥିସହିତ ଆୟୋଗ ଏହା ମଧ୍ୟ କହିଛନ୍ତି ଯେ ଘର ନିର୍ମାଣ କାମ ଦୁଇ ବର୍ଷରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ଏହା ସତ୍ତ୍ବେ ଫ୍ଲାଟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିଲା କିମ୍ବା ବାସୋପଯୋଗୀ ନଥିଲା। ଅଭିଯୋଗକାରୀ ଯେତେବେଳେ ବିଲଡରଙ୍କ ନିକଟକୁ ଘର ପାଇଁ ଯାଇଥିଲେ ସେତେବେଳେ ବିଲଡର ତାଙ୍କୁ କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ। ସେହି କାଗଜରେ ଲେଖାଯାଇଥିଲା ଯେ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଘରକୁ ସେ ଗ୍ରହଣ କରୁଛନ୍ତି। ଘରର ଚାବି ନେବାକୁ ଚାହୁଥିଲେ ଏଥିରେ ଦସ୍ତଖତ କରିବାକୁ ହେବ ବୋଲି କୁହାଯାଇଥିଲା। ଏହା ବ୍ୟବସାୟ ଦୃଷ୍ଟିରୁ ଠିକ୍ ନୀତି ନୁହେଁ ବୋଲି ଆୟୋଗ କହିଛନ୍ତି। ଏହି ଘରର କ୍ରେତା ଥିଲେ ସୁମନ କୁମାର ଝା ଏବଂ ପ୍ରତିଭା ଝା। ସେମାନେ ୨୦୧୩ ମସିହାରେ ଚେନ୍ନାଇରେ ମନ୍ତ୍ରି ଟେକ୍ନୋଲୋଜି ନାମକ କମ୍ପାନି ଠାରୁ ୩୯୦୦ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ଭିଲା ବୁକ୍ କରିଥିଲେ ।
Follow Us