ନଗଦ ଜମା ଅନୁପାତ ଚିନ୍ତାଜନକ: ପଶ୍ଚିମବଙ୍ଗ, ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଠାରୁ ଓଡ଼ିଶା ପଛ‌ରେ

Advertisment
ନଗଦ ଜମା ଅନୁପାତ ଚିନ୍ତାଜନକ: ପଶ୍ଚିମବଙ୍ଗ,  ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଠାରୁ ଓଡ଼ିଶା ପଛ‌ରେ

The Hindu

ଭୁବନେଶ୍ବର: ନଗଦ ଜମା ଅନୁପାତ ଅର୍ଥନୀତି ପାଇଁ ଏକ ଗୁୁରୁତ୍ବପୂର୍ଣ୍ଣ ଅଂଶ ‌ହୋଇଥିବା ବେଳେ ଓଡ଼ିଶାର ପ୍ରଦର୍ଶନ ଏ‌କ୍ଷେତ୍ରରେ ନୈରାଶ୍ୟଜନକ ରହିଛି। ଏହି ଦିଗରେ ଲକ୍ଷ୍ୟ ହାସଲ କ୍ରମାଗତ ଭା‌ବେ ହ୍ରାସ ପାଉଥିବାରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକରେ ସେ କହିଛନ୍ତି ଯେ ରାଜ୍ୟର ନଗଦ ଜମା ଅନୁପାତ ୫୬% ରହିଛି ଯାହା ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୀମା ୬୦% ଠାରୁ କମ୍। ଏଦିଗରେ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ସେ ଏସ୍‌ଏଲ୍‌ବିସିକୁ କହିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା ମଧ୍ୟ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ରାଜ୍ୟରେ ଏହି ଅନୁପାତ ୬୦%ରୁ ଅଧିକ ଥିବା ବେଳେ ଓଡ଼ିଶା ପଛୁଆ ରହିଛି। ଆଗାମୀ ଦିନରେ ଏକ ସଫ୍‌ଟଓୟାର ବ୍ୟବସ୍ଥା ମାଧ୍ୟମରେ ଏହି ତଥ୍ୟ ଏସ୍‌ଏଲ୍‌ବିସିକୁ ଉପଲବ୍ଧ କରାଗଲେ ତାହାର ସଠିକ୍ ପରିଚାଳନା ହୋଇପାରିବ ବୋଲି ସେ କହିଛନ୍ତି। ଉନ୍ନୟନ କମିସନର ପ୍ରଦୀପ ଜେନା ମଧ୍ୟ ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏମ୍ଏସ୍‌ଏମ୍ଇ ଋଣ ଲକ୍ଷ୍ୟ ହାସଲ କରିଥିବା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରଶଂସା କରିଛନ୍ତି। ପଛୁଆ ଥିବା ସରକାରୀ ବ୍ୟାଙ୍କଗୁଡ଼ିକ ବାର୍ଷିକ ଋଣ ଲକ୍ଷ୍ୟ ହାସଲ କରିବା ଲାଗି ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୨୨.୫% ଅଧିକ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ନିରବଚ୍ଛିନ୍ନ ଓ କ୍ରମାଗତ ଊଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଉନ୍ନୟନ କମିସନର ଶ୍ରୀ ଜେନା କହିଛନ୍ତି ଯେ କରୋନା ମହାମାରୀ ପାଇଁ ଅଭିବୃଦ୍ଧି ହ୍ରାସ ‌ପାଇଥିବା ବେଳେ କୃଷି, ଏମ୍ଏସ୍‌ଏମ୍ଇ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ମାନଙ୍କୁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନରେ ଉତ୍ସାହଜନକ ଲକ୍ଷ୍ୟ ହାସଲ କରିଛନ୍ତି। ଶାଖା ନଥିବା ଗ୍ରାମ ପଞ୍ଚାୟତରେ ଶାଖା ଖୋଲିବା ଲାଗି ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। କୃଷି କ୍ଷେତ୍ରକୁ ଋଣ ପ୍ରଦାନରେ ଅଧିକ ଗୁରୁତ୍ବ ଦେବା ଲାଗି କୃଷି ଉତ୍ପାଦନ କମିସନର ରା‌ଜକୁମାର ଶର୍ମା ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ବଳରାମ ଯୋଜନାରେ ତୁରନ୍ତ ଋଣ ଦେବାକୁ କୃଷି ସଚିବ ସୁରେଶ କୁମାର ବଶିଷ୍ଟ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।

ଏହି ବୈଠକରେ ଭାରତ ସରକାରଙ୍କ ଅର୍ଥ ସେବା ନିର୍ଦେଶକ ଏ କେ ଡେଗ୍ରା, ୟୁକୋ ବ୍ୟାଙ୍କର ସିଇଓ ଏ କେ ଗୋୟଲ, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନି‌ର୍ଦେଶକ ଏଚ୍‌ ଏନ୍ ପଣ୍ଡା, ନାବାର୍ଡର ସିଜିଏମ୍ ଉଦୟ ଭାସ୍କର, ଷ୍ଟେଟ୍‌ ବ୍ୟାଙ୍କ ସିଜିଏମ୍ ରୁମା ଦେବ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe