theprint.in
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କର ପରବଙ୍କୁ ସିବିଆଇ ଇଜିପ୍ଟର କାଇରୋରୁ ଧରିଛି। ଏହାପରେ ସୁଭାଷକୁ ମୁମ୍ବାଇ ଆଣି ସେଠାରେ ଅଦାଲତରେ ହାଜର କରିଛି। ସୁଭାଷ ଫାୟାରଷ୍ଟାର ଡାଇମଣ୍ଡ କମ୍ପାନିର ଡିଜିଏମ୍(ଅର୍ଥ) ଭାବେ କାର୍ଯ୍ୟ କରୁଥିଲା। ଏହି ଠକେଇ ଘଟଣା ସାମ୍ନାକୁ ଆସିବା ପରେ ସେ ଫେରାର ହୋଇଯାଇଥିଲା। ସିବିଆଇର ଅନୁରୋଧ କ୍ରମେ ୨୦୧୮ରେ ଇଣ୍ଟରପୋଲ ନିରବ ମୋଦୀ, ତା ଭାଇ ନିଶାଲ ମୋଦୀ ଏବଂ ସୁଭାଷ ଶଙ୍କର ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଥିଲା। ସୁଭାଷକୁ ମୁମ୍ବାଇର ଅଦାଲତରେ ଆଜି ହାଜର କରିବା ସହିତ ୧୪ ଦିନ ରିମାଣ୍ଡ ମାଗିଥିଲା। ବିଚାରପତି ଏହାକୁ ଅନୁମତି ଦେଇଥିଲେ। ଫଳରେ ସୁଭାଷ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସିବିଆଇ ସୁଭାଷକୁ ମିଶାଇ ୧୮ ଜଣଙ୍କୁ ଗିରଫ କଲାଣି। ୨୦୨୧ରେ ସରକାର ସଂସଦରେ ସୂଚନା ଦେଇଥିଲେ ଯେ ଉକ୍ତ ଠକେଇ ମାମଲାରେ ସିବିଆଇ ମାମଲା ରୁଜୁ କରିଥିବା ୩୩ ଜଣ ଅଭିଯୁକ୍ତ ଗତ ୫ ବର୍ଷ ମଧ୍ୟରେ ଦେଶ ଛାଡ଼ି ବିଦେଶ ପଳାଇଛନ୍ତି।
Follow Us