ବର୍ଷକୁ ୧.୬୧ ଲକ୍ଷ କୋଟି ହରାଇବ କେନ୍ଦ୍ର

ବର୍ଷକୁ ୧.୬୧ ଲକ୍ଷ କୋଟି ହରାଇବ କେନ୍ଦ୍ର

indianexpress.com

ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଫଳରେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦନ ଶୁଳ୍କ ହ୍ରାସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି, ଆଜିର ନିଷ୍ପତ୍ତି ଫଳରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ବିଭିନ୍ନ କ୍ଷେତ୍ର ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ିବ। ନାଗରିକଙ୍କୁ ଏହା ଆଶ୍ବସ୍ତ କରିବ ଏବଂ ସେମାନଙ୍କ ବଞ୍ଚିବା ସହଜ ହେବ ବୋଲି ମୋଦୀ କହିଛନ୍ତି।

ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ଥିବାରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି ଦେବେ ବୋଲି ଘୋଷଣା କରିଛନ୍ତି। ବର୍ଷକୁ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ଏହି ରିହାତି ମିଳିବ। ସରକାରଙ୍କ ଆଜିର ନିଷ୍ପତ୍ତି ଫଳରେ ଉଜ୍ଜ୍ବଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ଦେଶର ମା ଓ ଭଉଣୀମାନଙ୍କୁ ଏହା ସହାୟକ ହେବ। ତେବେ ଏଥିପାଇଁ ସରକାରଙ୍କୁ ବାର୍ଷିକ ୬୧ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ତେଣୁ ଉତ୍ପାଦନ ଶୁଳ୍କ ହ୍ରାସ ଏବଂ ଗ୍ୟାସ ଉପରେ ହିତାଧିକାରୀଙ୍କୁ ରିହାତି ଦ୍ବାରା ସରକାରଙ୍କୁ ୧.୬୧ ଲକ୍ଷ କୋଟି ଟଙ୍କାର ବୋଝ ସହିବାକୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ ସ୍ବାଗତ କରିଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ଏହି ହ୍ରାସ ଲୋକଙ୍କୁ ନ୍ୟାୟ ଦେବନି ବୋଲି କହିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଗତ ଦୁଇମାସରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଯାଇଛି ଏବଂ ପେଟ୍ରୋଲ ୧୦୦ ଟଙ୍କା ଟପିସାରିଛି। ତେଣୁ ୯ ଟଙ୍କା ହ୍ରାସ ଲୋକଙ୍କୁ ନ୍ୟାୟ ଦେବନି ବୋଲି ସେ କହିଚନ୍ତି। ୨୦୨୨ ମାଚ୍ଚ ୨୧ରେ ପେଟ୍ରୋଲ ଦର ଲିଟର ପିଛା ୯୫ ଟଙ୍କା ୪୧ ପଇସା ଥିଲା। ଆଜି ଏହା ୧୦୫ ଟଙ୍କା ୪୧ ପଇସା ରହିଛି। ୬୦ ଦିନରେ ଦର ୧୦ ଟଙ୍କା ବଢ଼ିଛି। ତେଣୁ ୯ ଟଙ୍କା ୫୦ ପଇସା ହ୍ରାସ କରି ଲୋକଙ୍କୁ ବୋକା ବନାଅ ନାହିଁ ବୋଲି ସେ କହିଛନ୍ତି। ସେହିଭଳି କଂଗ୍ରେସ ନେତା ଜୟବୀର ସେରଗିଲ୍ କହିଛନ୍ତି ଗତ ୮ ବର୍ଷ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୫୩୧ ପ୍ରତିଶତ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୨୦୬ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିଯୋଗୁ ଲୋକଙ୍କ ଠାରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe