ଗରମକୁ ଡରିଲେ ଗ୍ରାହକ: ସୋ’ରୁମ୍‌ରେ ଭିଡ଼ କମ୍‌, ଗାଡ଼ି ବିକ୍ରି ପ୍ରଭାବିତ

Advertisment
ଗରମକୁ ଡରିଲେ ଗ୍ରାହକ: ସୋ’ରୁମ୍‌ରେ ଭିଡ଼ କମ୍‌, ଗାଡ଼ି ବିକ୍ରି ପ୍ରଭାବିତ

ନୂଆଦିଲ୍ଲୀ: ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ରଖିଥିଲା।। ଲୋକମାନେ ଖରାରେ ଘରୁ ବାହାରିବାକୁ ଚାହୁନଥି‌ଲେ। ଅଧିକାଂଶ ସୋ’ରୁମ୍‌ରେ ଗ୍ରାହକଙ୍କ ଭିଡ଼ କମିଯାଇଥିଲା। ସେଥିପାଇଁ ଚଳିତ ବର୍ଷ ମେ’ ମାସରେ ଗାଡ଼ି ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କାର୍ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ପ୍ରବଳ ଗରମ କାରଣରୁ ‌ସୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ ପାଇଥିଲା। ଗରମ ସାଙ୍ଗକୁ ‌ନିର୍ବାଚନ ତାତି ଗାଡ଼ି ବିକ୍ରିକୁ ଆହୁରି ପ୍ରଭାବିତ କରିଥିଲା। ଗାଡ଼ି ଡିଲରଙ୍କ ସର୍ବଭାରତୀୟ ସଂଘ ଏଫ୍ଏଡିଏର ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ତୁଳନାରେ ମେ’ରେ ବିଭିନ୍ନ ପ୍ରକାର ଗାଡ଼ିର ବିକ୍ରି ହ୍ରାସ ପାଇଛି। ଏପ୍ରିଲ୍‌ରେ ମୋଟ ୨୨ ଲକ୍ଷ ୦୬ ହଜାର ୦୭୦ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ସେହି ସଂଖ୍ୟା ୨୦ ଲକ୍ଷ ୮୯ ହଜାର ୬୦୩କୁ ଖସିଆସିଛି। ସ୍କୁଟର, ବାଇକ୍‌, କାର୍ ଓ କମର୍ସିଆଲ୍ ଗାଡ଼ି ବିକ୍ରି କମିଛି। ଗତ ଏପ୍ରିଲ୍‌ରେ ୧୬ ଲକ୍ଷ ୪୩ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ତା’ଠାରୁ କମ୍ ଅର୍ଥାତ ୧୫ ଲକ୍ଷ ୩୪ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। ସେହିପରି ଏପ୍ରିଲ୍‌ରେ ୩ ଲକ୍ଷ ୩୫ ହଜାରରୁ ଅଧିକ କାର୍ ବିକ୍ରି ହୋଇଥିବା ବେଳେ ମେ’ରେ ୩ ଲକ୍ଷ ୩ ହଜାର କାର୍ ବିକ୍ରି ହୋଇଛି। କମର୍ସିଆଲ୍‌ ଗାଡ଼ି ବିକ୍ରି ୯୦,୭୦୭ରୁ ହ୍ରାସ ପାଇ ୮୩,୦୫୯ରେ ପହଞ୍ଚିଛି।

ଏଫ୍ଏଡିଏର ସଭାପତି ମନିଷ ରାଜ ସିଂଘାନିଆ କହିଛନ୍ତି ଯେ ଡିଲର୍‌ମାନଙ୍କ କହିବାନୁସାରେ ମେ’ରେ ଯୋଗାଣରେ ସମସ୍ୟା ଥିଲା। କମ୍ପାନିଗୁଡ଼ିକ ତରଫରୁ ବ୍ୟାପକ ମାର୍କେଟିଂ କରାଯାଇନଥିଲା। ଲୋକସଭା ନିର୍ବାଚନ ଓ ଅତ୍ୟଧିକ ଗରମ ମଧ୍ୟ ବିକ୍ରିକୁ ପ୍ରଭାବିତ କରିଥିଲା। ଗ୍ରାମାଞ୍ଚଳରେ ଗାଡ଼ି ପାଇଁ ଚାହିଦା ରହିବାରୁ ‌ସୋ’ରୁମ୍‌ଗୁଡ଼ିକରେ କୌଣସି ପ୍ରକାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାର୍‌ କ୍ଷେତ୍ରରେ ମଧ୍ୟ ନିର୍ବାଚନ ଓ ପ୍ରବଳ ଗରମ ବଡ଼ କାରଣ ଭାବେ ଉଭା ହୋଇଥିଲା। ବଜାରରେ ନୂଆ ମଡେଲ୍‌ର ଅଭାବ ଓ ଦୁର୍ବଳ ମାର୍କେଟିଂ ମଧ୍ୟ ସ୍ଥିତିକୁ ବିଗାଡ଼ିଥିଲା। କିଛି ଗ୍ରାହକ ଗାଡ଼ି କିଣିବା ନିଷ୍ପତ୍ତିକୁ ଟାଳି ଦେଇଥିବା ବେଳେ ସୋ’ରୁମ୍‌ଗୁଡ଼ିକରେ ନୂଆ ଗାଡ଼ି ପାଇଁ ଗ୍ରାହକଙ୍କ ପଚରାଉଚୁରା ମଧ୍ୟ କମ୍ ରହିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe