ଆହୁରି ଦୁର୍ବଳ ହେବ ଅର୍ଥନୀତି: ୭%କୁ ଖସିବ ବୃଦ୍ଧି ହାର

Advertisment
ଆହୁରି ଦୁର୍ବଳ ହେବ ଅର୍ଥନୀତି: ୭%କୁ ଖସିବ ବୃଦ୍ଧି ହାର

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଆହୁରି ଦୁର୍ବଳ ହେବ। ଷ୍ଟାଣ୍ଡାର୍ଡ ଆଣ୍ଡ ପୁଅର୍ସ ଗ୍ଲୋବାଲ ରେଟିଙ୍ଗ୍‌ସ ସଂସ୍ଥା ପକ୍ଷରୁ କରାଯାଇଥିବା ସଦ୍ୟ ଆକଳନରୁ ଏହା ଜଣାଯାଇଛି। ବିଶ୍ବ ଅର୍ଥନୀତିରେ ମନ୍ଥରତା, ରୁଷ-ୟୁକ୍ରେନ ଯୁଦ୍ଧ, ‌କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧହାର ବୃଦ୍ଧି ଏବଂ ଭାରତର ଉଚ୍ଚ ମୁଦ୍ରାସ୍ଫୀତିକୁ ଏହାର କାରଣ ଭାବେ ଦର୍ଶାଯାଇଛି। ଦୁଇମାସ ତଳେ ସେପ୍ଟେମ୍ବରରେ ଉକ୍ତ ସଂସ୍ଥା ଭାରତର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ହାର ୭.୩ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। କିନ୍ତୁ ଆଜି କରିଥିବା ଆକଳନରେ ଅଭିବୃଦ୍ଧି ୭ ପ୍ରତିଶତକୁ କମିବ ବୋଲି କହିଛି। ସେହିଭଳି ଆସନ୍ତା ଆର୍ଥିକବର୍ଷ ଅର୍ଥାତ ୨୦୨୩-୨୪ରେ ଭାରତର ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ପୂର୍ବରୁ ଦର୍ଶାଇଥିବାବେଳେ ଆଜି ଏହାକୁ ୬ ପ୍ରତିଶତକୁ କମାଇ ଦେଇଛି। ଗତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୮.୫ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା। ଭାରତୀୟ ଅର୍ଥନୀତି ଏବେ ଅନେକ ପ୍ରକାର ସମସ୍ୟା ଦେଇ ଗତି କରୁଛି। ଯଦି ଅଭିବୃଦ୍ଧି କମେ ତାହେଲେ ସମସ୍ୟା ଆହୁରି ବଢ଼ିଯିବ। ଲୋକଙ୍କ ରୋଜଗାର ପ୍ରଭାବିତ ହେବ।

ବେକାରୀ ହାର ବଢ଼ିବ। ଟଙ୍କାର ବିନିମୟ ମୂଲ୍ୟ ଠାରୁ ଆରମ୍ଭ କରି ରପ୍ତାନି ଆଦି ହ୍ରାସ ପାଇବା ସମ୍ଭାବନା ରହିଛି। ଏସ୍‌ ଆଣ୍ଡ୍ ପିର ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତର ହାରାହାରି ମୁଦ୍ରାସ୍ଫୀତି ୬.୮ ପ୍ରତିଶତ ରହିବ। ୨୦୨୩ ମାର୍ଚ୍ଚ ସୁଦ୍ଧା ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୬.୨୫ ପ୍ରତିଶତରେ ରଖିବ ବୋଲି ଏହି ସଂସ୍ଥା କହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସୁଦ୍ଧା ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୯ ପ୍ରତିଶତ ବୃଦ୍ଧି କରିସାରିଲାଣି। ବର୍ତ୍ତମାନ ରେପୋ ହାର ୫.୯ ପ୍ରତିଶତ ରହିଛି। ଏହା ସତ୍ତ୍ବେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ଏବଂ ପାଇକାରୀ ମୁଦ୍ରାସ୍ଫୀତି ୮.୩୯ ପ୍ରତିଶତରେ ରହିଛି। ଅବଶ୍ୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କିଛିଟା ସୁଧାର ଆସି ମାର୍ଚ୍ଚ ଶେଷବେଳକୁ ୭୯.୫୦ ଟଙ୍କାରେ ରହିବ ବୋଲି କୁହାଯାଇଛି। ପୂର୍ବରୁ ରିଜର୍ଭ ବ୍ୟାଙ୍କ, ବିଶ୍ବ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଆଦି ଭାରତର ଅଭିବୃଦ୍ଧିକୁ ସେମାନଙ୍କ ଆକଳନରେ ହ୍ରାସ କରିସାରିଛନ୍ତି। ବିଶ୍ବ ବ୍ୟାଙ୍କ ଅନୁଯାୟୀ ୬.୫ ପ୍ରତିଶତକୁ, ଆଇଏମଏଫ ୬.୮ ପ୍ରତିଶତକୁ, ଏଡିବି ଏବଂ ରିଜର୍ଭ ବ୍ୟାଙ୍କ ୭ ପ୍ରତିଶତକୁ ହ୍ରାସ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe