ମହାମାରୀର ଦ୍ବିତୀୟ ଲହର ପ୍ରଭାବ: ୫.୪ ଲକ୍ଷ କୋଟି କ୍ଷତି ହେବ, ସରକାର ଘୋଷଣା କରିବେ ପ୍ୟାକେଜ୍

Advertisment

ବାର୍‌କ୍ଲେଜ୍‌ର ଆକଳନ

ବାର୍‌କ୍ଲେଜ୍‌ର ଆକଳନ

ମହାମାରୀର ଦ୍ବିତୀୟ ଲହର ପ୍ରଭାବ: ୫.୪ ଲକ୍ଷ କୋଟି କ୍ଷତି ହେବ, ସରକାର ଘୋଷଣା କରିବେ ପ୍ୟାକେଜ୍

ICCR India

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ ଲଗାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଭାରତୀୟ ଅର୍ଥନୀତି ୫.୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ବିଶ୍ବସ୍ତରୀୟ ବ୍ୟାଙ୍କ ବାରକ୍ଲେଜ୍‌ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୨.୪ ପ୍ରତିଶତ ସହ ସମାନ। ‌ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତି ୪.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ବାର୍‌କ୍ଲେଜ୍ ତରଫରୁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହି ସଂସ୍ଥା ଆକଳନ କରିଥିଲା ଯେ ଭାରତର ଅଭିବୃଦ୍ଧି ୧୦.୫% ହେବ। ଏବେ କିନ୍ତୁ ଏହା ସଂଶୋଧିତ ଆକଳନରେ ଉଲ୍ଲେଖ କରିଛି ଯେ ଅଭିବୃଦ୍ଧି ହାର ୯.୨% ରହିବ। ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିବ। ପୂର୍ବରୁ ଏହାର ଭାରତର ପାଇଁ ଅଭିବୃଦ୍ଧି ଆକଳନ ଥିଲା ୧୦.୪%। ଏସ୍‌ବିଆଇ ରିସର୍ଚ୍ଚର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟ କାନ୍ତି ଘୋଷ କହିଛନ୍ତି ଯେ ଦ୍ବିତୀୟ ଲହରରେ ଗମନାଗମନକୁ ନେଇ ନୁହେଁ ବରଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ନେଇ ଅଧିକ କ୍ଷତି ହେବ। ବାର୍‌କ୍ଲେଜ୍ ରିପୋର୍ଟରେ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ବିଷୟରେ ଆଲୋଚନା କରାଯାଇଛି। ଯେହେତୁ ଟିକାକରଣ ଆଶାନୁରୂପ ରହିନାହିଁ ତେଣୁ ତୃତୀୟ ଲହର ଦେଖାଦେଲେ ଭାରତର ଅଭିବୃଦ୍ଧି ଆହୁରି ହ୍ରାସ ପାଇ ୭.୭% ହେବ ବୋଲି ଏହି ସଂସ୍ଥା ପୂର୍ବାନୁମାନ ଲଗାଇଛି।

ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ନିୟମିତ ଭାବେ ହ୍ରାସ ପାଉଛି। ତେଣୁ ସଂକ୍ରମଣ ଶୀର୍ଷରେ ପହଞ୍ଚିସାରିଥିବା କୁହାଯାଉଛି। ରେଟିଂ ଏଜେନ୍ସି କ୍ରିସିଲ୍‌ ଏହାର ରିପୋର୍ଟରେ ଜଣାଇଛି ଯେ ମେ' ୨୩ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ୨୨% ହ୍ରାସ ପାଇଛି। ନୂତନ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ସ୍ଥିତରେ ସୁଧାର ହେବ ବୋଲି ଆଶା କରାଯାଉଛି। ଚଳିତ ମାସ ୬ରେ ଦେଶରେ ଦୈନିକ ସଂକ୍ରମଣ ସର୍ବାଧିକ ୪.୧୪ ଲକ୍ଷ ଥିଲା। ବହୁ ଦିନ ପରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷ ତଳକୁ ହ୍ରାସ ପାଇଛି। ଗତବର୍ଷ କରୋନା ମହାମାରୀର ପ୍ରଥମ ଲହରରେ ଇଂରାଜି ଅକ୍ଷର ‘ଭି’ ସଦୃଶ ସୁଧାର ଘଟିଥିଲା। ଅର୍ଥାତ ଅର୍ଥନୀତି ଯେଉଁଭଳି ଭାବେ ତଳକୁ ଖସିଥିଲା, ସେହିଭଳି ସେଥିରେ ସୁଧାର ମଧ୍ୟ ହୋଇଥିଲା। ଏଥର କିନ୍ତୁ ଇଂରାଜି ଅକ୍ଷର 'ୟୁ' ସଦୃଶ ସୁଧାର ହେବ। ଅର୍ଥାତ ସୁଧାର ହେବା ଲାଗି କିଛି ସମୟ ଲାଗିବ।

ସରକାର ଘୋଷଣା କରିବେ ପ୍ୟାକେଜ୍

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରକୁ ସାମ୍ନା କରୁଥିବା ଅର୍ଥନୀତିର ଅନେକ କ୍ଷେତ୍ର ଦୁର୍ବଳ ‌ହୋଇପଡ଼ିଛନ୍ତି। କିଛି କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ଯେଭଳି ଅଣ୍ଟା ସଳଖି ଠିଆ ହୋଇପାରିବେ ତାହାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିବେ। ଅର୍ଥ ମନ୍ତ୍ରଣାଳୟ ଏହି ପ୍ୟାକେଜ୍ ଉପରେ କାର୍ଯ୍ୟ ଜାରି ରଖିଛି। ବିଶେଷ କରି ପର୍ଯ୍ୟଟନ, ବିମାନ ଚଳାଚଳ, ଆତିଥେୟତା ଶିଳ୍ପ ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର କଂପାନିଗୁଡ଼ିକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ସରକାର ଯୋଜନା ରଖିଛନ୍ତି। ବର୍ତ୍ତମାନ ଏହି ପ୍ରସ୍ତାବ ଆଦ୍ୟ ସ୍ତରରେ ରହିଛି। ପ୍ୟାକେଜ୍ କେବେ ଘୋଷାଣା ହେବ ଓ କେଉଁ କ୍ଷେତ୍ରକୁ କ'ଣ କେତେ ମିଳିବ ତାହା ଜଣାପଡ଼ିନାହିଁ।

କରୋନା ମହାମାରୀର ଦ୍ବିତୀୟ ଲହର ମାର୍ଚ୍ଚରେ ଦେଖାଦେବା ପରଠାରୁ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ଠପ୍ ରହିଛି। ସର୍ବଭାରତୀୟ ସ୍ତରରେ ଲକ୍‌ଡାଉନ୍ ଘୋଷଣା କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିବା ପରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ଘୋଷଣା ହୋଇଛି। ଯଦିଓ ସର୍ବଭାରତୀୟ ସ୍ତରରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗି ତଥାପି ଅନେକ ରାଜ୍ୟରେ ଏବେବି ମହାମାରୀ ବେଲଗାମ ସ୍ଥିତିରେ ରହିଛି। ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ରାଜ୍ୟରେ କଟକଣା ଲଗାଯାଇଥିବାରୁ ଶିଳ୍ପ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ସେଥିପାଇଁ ଅନେକ ସଂସ୍ଥା ଓ ଏଜେନ୍ସି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ବଦଳାଇବା ଆରମ୍ଭ କରିଛନ୍ତି। ପୁଣି ଥରେ ଦେଶରେ ବେକାରି ସଂଖ୍ୟା ବଢ଼ିବା, ଘର ଭିତର ଥିବା ସଞ୍ଚୟ ରାଶି କମିବା ଓ ଗ୍ରାହକମାନେ କିଣାକିଣି କମାଇ ଦେଇଥିବାରୁ ଭାରତ ଯେ ଏବର୍ଷ ଦୁଇ ଅଙ୍କ ବିଶିଷ୍ଟ ଅଭିବୃ୍ଦ୍ଧି ହାସଲ କରିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ହାର ୨୦୨୧-୨୨ରେ ୧୨.୫% ରହିବ। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ହେଉଛି ଅର୍ଥନୀତି ୧୦.୫% ଅଭିବୃଦ୍ଧି ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe