ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ: ଦାମ୍‌ରେ ୭-୧୦% ବୃଦ୍ଧି ହେବ

Advertisment
ଜୁଲାଇରୁ ବଦଳିବ ଏସିର ଏନର୍ଜି ରେଟିଂ: ଦାମ୍‌ରେ ୭-୧୦% ବୃଦ୍ଧି ହେବ

www.crownpower.com.au

ନୂଆଦିଲ୍ଲୀ: ଏୟାର କଣ୍ଡିସନର (ଏସି) ପାଇଁ ଦିଆଯାଉଥିବା ଏନର୍ଜି ରେଟିଂ ଆସନ୍ତା ମାସଠାରୁ ବଦଳିବ। ଷ୍ଟାର୍‌ ରେଟିଂକୁ ଆଉ ଗୋଟିଏ ସ୍ତର ଉପରକୁ ନିଆଯିବ। ଫଳରେ ଯେଉଁମାନେ ନିକଟରେ ୫-ଷ୍ଟାର ରେଟିଂର ଏସି କିଣିଛନ୍ତି ତାହାକୁ ୪-ଷ୍ଟାର ବୋଲି ବିଚାର କରାଯିବ। ପ୍ରତି ରେଟିଂ ଗୋଟିଏ ପାହାଚ ତଳକୁ ଖସିଯିବ। ଉଚ୍ଚ ମାନର ରେଟିଂ ଥିବା ଏସି ତିଆରି କରିବା ଲାଗି କଂପାନିଗୁଡ଼ିକୁ ଅଧିକ ବ୍ୟୟ କରିବାକୁ ପଡ଼ିବ। ଖର୍ଚ୍ଚ ବାହାର କରିବା ଲାଗି କଂପାନିଗୁଡ଼ିକ ଏସି ଦାମ୍‌ରେ ୭-୧୦% ପର୍ଯ୍ୟନ୍ତ ବୃଦ୍ଧି କରିବେ ବୋଲି ଆଶା କରାଯାଉଛି।

ଜୁଲାଇରୁ ଏସି ଓ ଆସନ୍ତା ବର୍ଷ ଜାନୁଆରିରୁ ରେଫ୍ରିଜରେଟରର ଏନର୍ଜି ରେଟିଂକୁ କଡ଼ାକଡ଼ି କରାଯିବ। ଗାଇଡ୍‌ଲାଇନ୍‌ରେ କରାଯାଇଥିବା ପରିବର୍ତ୍ତନ ଯୋଗୁଁ ୪-ଷ୍ଟାର ଓ ୫-ଷ୍ଟାର ଫ୍ରିଜ୍ ନିର୍ମାଣ କରିବା କଷ୍ଟକର ହୋଇପଡ଼ିଛି ବୋଲି କଂପାନିଗୁଡ଼ିକ କହିଛନ୍ତି। ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ ନୂଆ ଏନର୍ଜି ରେଟିଂ ନିୟମ ଯୋଗୁଁ ଏସିର ଶକ୍ତି ମିତବ୍ୟୟିତା ୨୦% ବଢ଼ିବ, ଫଳରେ ତାହା ପୂର୍ବାପେକ୍ଷା କମ୍ ବିଦ୍ୟୁତ ଶକ୍ତି ବ୍ୟବହାର କରିବ। ପୁରୁଣା ଷ୍ଟକ୍ ‌ଶେଷ କରିବା ଲାଗି ୬ ମାସର ସମୟ ଦିଆଯାଇଛି। ଆଗକୁ ଯେଉଁ ଏସି ତିଆରି ହେବ ତାହାକୁ ନୂତନ ଗାଇଡ୍‌ଲାଇନ୍ ଅନୁସାରେ ପ୍ରସ୍ତୁତ କରିବାକୁ ପଡ଼ିବ। ଏସିର ନୂଆ ଏନର୍ଜି ରେଟିଂ ନିୟମ ଚଳିତ ବର୍ଷ ଜାନୁଆରିରେ ଲାଗୁ ହେବାର ଥିଲା। ମାତ୍ର ଏହି ମହଲତ ୬ ମାସ ବଢ଼ାଇବା ଲାଗି କଂପାନିଗୁଡ଼ିକ ବ୍ୟୁରୋ ଅଫ୍‌ ଏନର୍ଜି ଏଫିସିଏନ୍ସିକୁ ଅନୁରୋଧ କରିଥିଲେ। କୋଭିଡ୍ ଲକ୍‌ଡାଉନ୍ ପାଇଁ ବିକ୍ରି ହୋଇପାରିନଥିବା ପୁରୁଣା ଏସିଗୁଡ଼ିକୁ ବିକ୍ରି କରିବା ଲାଗି ସେମାନେ ୬ ମାସ ସମୟ ମାଗିଥିଲେ। ଚଳିତ ବର୍ଷ ଜୁଲାଇ ପରେ ୨୦୨୫ରେ ଏସିର ଏନର୍ଜି ରେଟିଂ ପୁଣି ଥରେ ବଦଳିବ। ଲୟଡ୍‌ସର ବିକ୍ରି ମୁଖ୍ୟ ରାଜେଶ ରାଠି କହିଛନ୍ତି ଯେ ନୂଆ ଏନର୍ଜି ରେଟିଂ ନିୟମ ଯୋଗୁଁ ଏସି ପିଛା ଉତ୍ପାଦନ ଖର୍ଚ ୨୦୦୦-୨୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe