ବିଦେଶୀ ନିବେଶକଙ୍କ ମୋହ ଭଙ୍ଗ: ପ୍ରତ୍ୟାହାର କଲେଣି ୪ ଲକ୍ଷ କୋଟି

ସେନ୍‌ସେକ୍ସରେ ୯୨୯ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ପ୍ରତି ବିଦେଶୀ ନିବେଶକମାନଙ୍କ ମୋହ ଭଙ୍ଗ ହୋଇଥିବା ଭଳି ମନେ ହେଉଛି। ଗତ ୧୫ ମାସ ମଧ୍ୟରେ ସେମାନେ ୪.୧ ଲକ୍ଷ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି। କେବଳ ଜୁନ୍‌ ମାସରେ ସେମାନେ ୪୬ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ୨୦୦୮ର ମାନ୍ଦାବସ୍ଥା ସମୟ ତୁଳନାରେ ବିଦେଶୀ ନିବେଶକମାନେ ଏବେ ଅଧିକ ଟଙ୍କା ପ୍ରତ୍ୟାହାର କରୁଛନ୍ତି। ଗତ ଦୁଇ ବର୍ଷ ସାରା ବିଶ୍ବରେ ସୁଧ ହାର ନିମ୍ନ ସ୍ତରରେ ରହିଥିଲା। କିନ୍ତୁ ଗତ କିଛି ଦିନ ଭିତରେ ଆମେରିକାଠାରୁ ଆରମ୍ଭ କରି ବ୍ରିଟେନ୍ ଓ ଭାରତ ପର୍ଯ୍ୟନ୍ତ ଅଧିକାଂଶ ଦେଶରେ ସୁଧ ହାର ବୃଦ୍ଧି ପାଇଛି। ତେଣୁ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ରଣନୀତି ବଦଳାଇବା ବିଷୟରେ ବିଚାର କରୁଛନ୍ତି। ଭାରତର ଷ୍ଟକ ବଜାରରେ ଏକ ଭିନ୍ନ ପ୍ରକାର ସ୍ଥିତି ଦେଖିବାକୁ ମିଳିଛି।

ବିଦେଶୀ ନିବେଶକମାନେ ବିକ୍ରି କରିଥିବା ସେୟାରଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ (ପ୍ରାୟ ୩.୩ ଲକ୍ଷ କୋଟି ଟଙ୍କାର) ସେୟାରକୁ ସ୍ଥାନୀୟ ନିବେଶକମାନେ କିଣିଛନ୍ତି। ଚଳିତ ତ୍ରୟମାସରେ ହାରାହାରି ମାସିକ ଏସ୍‌ଆଇପି ପରିମାଣ ୧୨,୧୦୦ କୋଟି ଟଙ୍କା ରହିଛି। ୫ ବର୍ଷ ପୂର୍ବେ ତାହା ୩,୭୦୦ କୋଟି ଟଙ୍କା ଥିଲା। ବିଦେଶୀ ନିବେଶକମାନେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକରୁ ମୁହଁ ଫେରାଉଥିବାର ଅନେକ କାରଣ ରହିଛି। ସେଥି ମଧ୍ୟରୁ ଗୋଟିଏ ହେଉଛି ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି। ଅନ୍ୟ ପକ୍ଷରେ ଆମେରିକା ସୁଧ ବଢ଼ାଇବା ପରେ ବିକାଶଶୀଳ ଦେଶଗୁଡ଼ିକର ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇ ଚମକ ହରାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁ‌ଧରେ ଆହୁରି ବୃଦ୍ଧି କରିବ ବୋଲି ସଙ୍କେତ ଦେଇଥିବାରୁ ଟଙ୍କା ଆହୁରି ଦୁର୍ବଳ ହେବାର ଆଶଙ୍କା ରହିଛି। ସେଥିପାଇଁ ନିବେଶକମାନେ ଅଧିକ ଚିନ୍ତିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe