ଏସିସି, ଅମ୍ବୁଜା ପାଇଁ ଆଦାନି ସହ ଜେଏସ୍‌ଡବ୍ଲ୍ୟୁର ପ୍ରତିଯୋଗିତା ହେବ

Advertisment
ଏସିସି, ଅମ୍ବୁଜା ପାଇଁ ଆଦାନି ସହ ଜେଏସ୍‌ଡବ୍ଲ୍ୟୁର ପ୍ରତିଯୋଗିତା ହେବ

india mart and cement concrete

ନୂଆଦିଲ୍ଲୀ: ବିଦେଶୀ ସିମେଣ୍ଟ କମ୍ପାନି ହୋଲସିମ୍‌ର ଭାରତୀୟ ବ୍ୟବସାୟକୁ କିଣିବା ପାଇଁ ଦୁଇ ଭାରତୀୟ ଉଦ୍ୟୋଗୀଙ୍କ ମଧ୍ୟରେ ‌ପ୍ରତିଯୋଗିତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଦାନି ଗ୍ରୁପ୍ ସହିତ ଜୋରଦାର ପ୍ରତିଯୋଗିତା କରିବା ପାଇଁ ‌ଜେଏସ୍‌ଡବ୍ଲ୍ୟୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ହୋଲସିମ୍‌ ଗ୍ରୁପ୍‌ର ସିମେଣ୍ଟ୍ ବ୍ୟବସାୟକୁ ଭାରତରେ ଏମାନଙ୍କ ଭିତରୁ ଯିଏ କିଣିବ ସିଏ ଭାରତର ଦ୍ବିତୀୟ ବୃହତ୍ ସିମେଣ୍ଟ ଉତ୍ପାଦନକାରୀରେ ପରିଣତ ହେବ। ହୋଲସିମ୍‌ର ସହାୟକ କମ୍ପାନି ଅମ୍ବୁଜା ସିମେଣ୍ଟ୍ସ ଏବଂ ଏସିସିକୁ କିଣିବା ପାଇଁ ନିଲାମରେ ୭ ବିଲିଅନ ଡଲାରର ପ୍ରସ୍ତାବ ଦେବେ ବୋଲି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସଜ୍ଜନ ଜିନ୍ଦଲ ଏକ ସାକ୍ଷାତ୍‌କାରରେ କହିଛନ୍ତି। କିନ୍ତୁ ଏହି କମ୍ପାନି କିଣିବା ପାଇଁ ବଡ଼ ଧରଣର ଆର୍ଥିକ ଡିଲ୍‌ ହେବ ବୋଲି ଅନୁମାନ କରାଯାଉଛି। କାରଣ ଯେଉଁ କମ୍ପାନି ଏଥିରେ ବିଜୟୀ ହେବ ଭାରତରେ ତାହାର ଉପସ୍ଥିତି ଅଧିକ ସୁଦୃଢ଼ ହେବ।

ପୂର୍ବରୁ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ୍‌ ବ୍ୟବସାୟରେ ଥିବାବେଳେ ଆଦାନି ଏହି ଅଧିଗ୍ରହଣ ମାଧ୍ୟମରେ ସିମେଣ୍ଟ ବ୍ୟବସାୟରେ ପ୍ରବେଶ ଯୋଜନା କରୁଛି। ତେବେ କେବଳ ଆର୍ଥିକ ମୂଲ୍ୟ ନୁହେଁ, ଅନ୍ୟାନ୍ୟ ସର୍ତ୍ତ ପୂରଣ ମଧ୍ୟ ହୋଲସିମ୍‌ର ଭାରତୀୟ ବ୍ୟବସାୟ କିଣିବା କ୍ଷେତ୍ରରେ ଗୁରୁତ୍ବ ବହନ କରିବ। ଅମ୍ବୁଜା ଏବଂ ଏସିସିର ମୋଟ ବାର୍ଷିକ ସିମେଣ୍ଟ୍ ଉତ୍ପାଦନ କ୍ଷମତା ପାଖାପାଖି ୬୬ ନିୟୁତ ଟନ୍ ରହିଛି। ଭାରତରେ ଅଲ୍ଟ୍ରାଟେକ୍‌ର ମୋଟ ଉତ୍ପାଦନ କ୍ଷମତା ୧୨୦ ନିୟୁତ ଟନ୍ ରହିଛି। ତେଣୁ ଅଲ୍ଟ୍ରାଟେକ୍‌ ଦେଶର ବୃହତ୍ ସିମେଣ୍ଟ ନିର୍ମାତା ରହିଛି। ଜେଏସ୍‌ଡବ୍ଲ୍ୟୁର ଏବେ ବାର୍ଷିକ ୧୪ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦ କ୍ଷମତା‌ ରହିଛି ଏବଂ କମ୍ପାନି ଏହାକୁ ଆସନ୍ତାବର୍ଷ ସୁଦ୍ଧା ୨୫ ନିୟୁତ ଟନକୁ ବୃଦ୍ଧି ଯୋଜନା ରଖିଛି। ତେବେ ଅନ୍ୟ କିଛି ସୂତ୍ରରୁ ଜଣାଯାଇଛି ଯେ କେବଳ ଉପରୋକ୍ତ ଦୁଇ କମ୍ପାନି ନୁହେଁ ଇସ୍ପତା କମ୍ପାନି ଆର୍ସେଲର ମିତ୍ତଲ ମଧ୍ୟ ଏସିସି ଓ ଅମ୍ବୁଜା ସିମେଣ୍ଟ କମ୍ପାନି କ୍ରୟ ଉପରେ ବିଚାର କରୁଛି। ବିଶ୍ବରେ ଭାରତ ଦ୍ବିତୀୟ ବୃହତ୍ ସିମେଣ୍ଟ୍ ଉତ୍ପାଦନକାରୀ ଦେଶ। ବିଶ୍ବର ମୋଟ ସିମେଣ୍ଟ ଉତ୍ପାଦନ କ୍ଷମତାର ୭ ପ୍ରତିଶତ ଭାରତରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe