ଆଇପିଓ ଚିଠା ଦସ୍ତାବିଜ ଦାଖଲ କରିବ ଏଲ୍‌ଆଇସି

ନଭେମ୍ବରରେ ସେବି ନିକଟରେ ଆବେଦନ କରିବ

ଆଇପିଓ ଚିଠା ଦସ୍ତାବିଜ ଦାଖଲ କରିବ ଏଲ୍‌ଆଇସି

Wikipedia

ନୂଆଦିଲ୍ଲୀ: ସେୟାର ବଜାରରେ ପ୍ରବେଶ କରିବାକୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପ୍ରସ୍ତୁତ ହୋଇଯାଇଛି। ଏହା ଆସନ୍ତା ମାସରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଆବେଦନ କରିବା ସହ ଚିଠା ଦସ୍ତାବିଜ ଦାଖଲ କରିବ। କଂପାନି ଦେଶର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଲ୍‌ଆଇସିକୁ ସେୟାର ବଜାରରେ ତାଲିକାଭୁକ୍ତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। କେଉଁ ସମୟରେ କେଉଁ କାର୍ଯ୍ୟ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି ଓ ସେହି ଅନୁସାରେ ଯେଭଳି କାର୍ଯ୍ୟ ଆଗକୁ ବଢ଼ଇବ ତାହା ନିଶ୍ଚିତ କରାଯାଉଛି।

ଏଲ୍‌ଆଇସି ଆଇପିଓର ପରିଚାଳନା କରିବା ଲାଗି ଗୋଲ୍ଡମ୍ୟାନ୍‌ ସଚ୍‌ସ, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍‌ ଇଣ୍ଡିଆ, ନୋମୁରା ଫାଇନାନ୍ସିଆଲ୍ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍‌ ଭଳି ୧୦ଟି ମର୍ଚାଣ୍ଟ୍ ବ୍ୟାଙ୍କର୍‌ ନିଯୁକ୍ତ କରାଯାଇଛି। ଏହି ତାଲିକାରେ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌, ଜେଏମ୍‌ ଫାଇନାନ୍ସିଆଲ୍‌, ଆକ୍ସିସ୍ କ୍ୟାପିଟାଲ୍, ବିଓଏଫ୍‌ଏ ସିକ୍ୟୁରିଟିଜ୍, ଜେପି ମୋର୍ଗାନ, ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ଓ କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍‌ର ନାମ ରହିଛି। ଆସନ୍ତା ମାସରେ ଏଲ୍‌ଆଇସି ପକ୍ଷରୁ ଚିଠା ରେଡ୍‌ ହେରିଂ ପ୍ରୋ‌ସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯିବା ପରେ ମର୍ଚାଣ୍ଟ୍‌ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବାହାରେ ରୋଡ୍ ସୋ’ ଆୟୋଜନ କରି ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ୨୦୨୨ ଜାନୁଆରିରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ସିରିଲ୍‌ ଅମରଚାନ୍ଦ ମଙ୍ଗଳଦାସକୁ ଆଇପିଓର ଆଇନ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

ଏଲ୍ଆଇସି ସରକାରଙ୍କ ୧୦୦% ମାଲିକାନାରେ ରହିଛି। ସେୟାର ବଜାରରେ ପ୍ରବେଶ କଲେ ଏଲ୍‌ଆଇସିର ବଜାର ମୂଲ୍ୟ କେ‌ତେ ରହିବ ତାହା ନିର୍ଧାରଣ ହୋଇଯିବା ବେଳେ କଂପାନିର କେତେ ପ୍ରତିଶତ ସେୟାର ବିକ୍ରି କରାଯିବ ସେହି ନିଷ୍ପତ୍ତି ଗ୍ରହଣ କରାଯିବ। ପୁଞ୍ଜି ପ୍ରତ୍ୟାହାରକୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀ ସେହି ନିଷ୍ପତ୍ତି ନେବ। କଂପାନିର ବଜାର ପୁଞ୍ଜି ନିର୍ଧାରଣ କରିବା ଲାଗି ମିଲିମାନ୍ ଆଡଭାଇଜର୍ସ ଏଲ୍‌ଏଲ୍‌ପି ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଛି। ଏଲ୍‌ଆଇସି ସେୟାର ବିକ୍ରି ପ୍ରକ୍ରିୟାରେ ବିଦେଶୀ ନିବେଶକଙ୍କୁ ଭାଗ ନେବାର ସୁଯୋଗ ମିଳିବ। ଏଲ୍‌ଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବା ଲାଗି ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ଏହି ପ୍ରସ୍ତାବକୁ ଚଳିତ ବର୍ଷ ଜୁଲାଇରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe