ଫେରିଲା କମ୍ ଦାମ୍ ବାଇକ୍ ଯୁଗ, ବଜାରକୁ ଆସିିଲା ୫୦ ହଜାର ଟଙ୍କିଆ ବାଇକ୍

ଫେରିଲା କମ୍ ଦାମ୍ ବାଇକ୍ ଯୁଗ, ବଜାରକୁ ଆସିିଲା ୫୦ ହଜାର ଟଙ୍କିଆ ବାଇକ୍

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଗମନାଗମନ ପାଇଁ ପ୍ରତିଟି ବ୍ୟକ୍ତି ନିଜର ‌ଏକ ଗାଡ଼ି ଚାହୁଛନ୍ତି। କରୋନା ପାଇଁ ଲୋକମାନଙ୍କ ଆୟ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବ୍ୟକ୍ତିଗତ ଯାନରଆବଶ୍ୟକତା ବହୁତ ବଢ଼ିଯାଇଛି। ଏହା ଦୁଇଚକିଆ ଯାନ ତିଆରି କରୁଥିବା କଂପାନିଗୁଡ଼ିକ ଲାଗି ବିକ୍ରି ବଢ଼ାଇବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ପ୍ରଥମ ଥର ଗାଡ଼ି କିଣିବାକୁ ଚାହୁଥିବା ଅନେକ ଲୋକ ୧୦୦-୧୧୦ ସିସି ବାଇକ୍ କିଣିବା ପ୍ରତି ଧ୍ୟାନ ଦେଉଛନ୍ତି। ଏହି ବାଇକ୍‌ଗୁଡ଼ିକର ଲାଭ ହେଉଛି ‌ତାହା କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା ବେଳେ ମାଇଲେଜ୍‌ ମଧ୍ୟ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଦୁଇଟି ପ୍ରମୁଖ ଗାଡ଼ି କଂପାନି ହିରୋ ମୋଟୋକର୍ପ ଓ ବଜାଜ ଅଟୋ ତରଫରୁ ସୁଲଭ ବା କମ୍ ମୂଲ୍ୟର ବାଇକ୍‌ ବିକ୍ରି ପୁଣି ଥରେ ଆରମ୍ଭ କରାଯାଇଛି। ଆଜି ହିରୋ ମୋଟୋକର୍ପ ତରଫରୁ ହିରୋ ଏଚ୍‌ଏଫ୍ ୧୦୦ ସିସି ବାଇକ୍‌କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୪୯,୪୯୦ ଟଙ୍କା ରହିଛି। କିଛି ଦିନ ପୂର୍ବରୁ ବଜାଜ୍ ପକ୍ଷରୁ ଏହାର ବହୁ ଲୋକପ୍ରିୟ ବାଇକ୍ ସିଟିର ୧୧୦ ସିସି ମଡେଲ୍‌କୁ ଉନ୍ମୋଚନ କରାଯାଇଥିଲା। ତାହାର ଏକ୍ସ ସୋ’ରୁମ୍ ଦାମ୍ ୫୫ ହଜାର ୪୯୪ ଟଙ୍କା ରଖାଯାଇଛି।

ହିରୋର ନୂଆ ଏଚ୍‌ଏଫ୍‌ ୧୦୦ ହେଉଛି ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ସବୁଠୁ ସୁଲଭ ମୂଲ୍ୟର ବାଇକ୍। ଏହା କେବଳ କଳା ଓ ଲାଲ୍‌ ରଙ୍ଗର ମିଶ୍ରଣରେ ଉପଲବ୍ଧ ହେଉଛି। ଏହି ନୂଆ ବାଇକ୍‌ରେ କଂପାନି ୯୭.୨ ସିସି ସିଙ୍ଗିଲ ସିଲିଣ୍ଡର୍‌ ଇଞ୍ଜିନ ବ୍ୟବହାର କରିଥିବା ବେଳେ ସେଥିରେ ଚାରି ଷ୍ଟ୍ରୋକ୍ ଗିୟରବକ୍ସ ରହିଛି। ଚାଳକଙ୍କ ଆରାମ ଲାଗି ଏଥିରେ ହାଇଡ୍ରଲିକ୍ ସକ୍‌ଅବ୍‌ଜର୍‌ବର୍‌ ବ୍ୟବହାର କରାଯାଇଛି। ଏହାର ଓଜନ ହେଉଛି ୧୧୦ ଗ୍ରାମ୍। ହିରୋର ନୂଆ ବାଇକ୍‌ରେ ଆଇ୩ଏସ୍‌ ଷ୍ଟାର୍ଟ-ଷ୍ଟପ୍ ବ୍ୟବସ୍ଥା ରହିଛି।

ବଜାଜ ‌ଅଟୋ ଆଣିଥିବା ସିଟି ୧୧୦ ଏକ୍ସରେ ଗୋଲାକାର ହେଡ୍‌ଲାଇଟ୍‌ ବ୍ୟବହାର କରାଯାଇଛି। ଏହା ପଛରେ ଥିବା ଲଗେଜ୍ କ୍ୟାରିୟରରେ ସାତ କେଜି ଓଜନର ଜିନିଷ ନେବା ଆଣିବା କରିହେବ। କଂପାନି ତରଫରୁ ଏଥିରେ ୧୧୫ ସିସିର ଡିଟିଏସ୍‌-ଏସ୍‌ଆଇ ଇଞ୍ଜିନ ବ୍ୟବହାର କରାଯାଇଛି। ଏହାର ଓଜନ ହେଉଛି ୧୧୮ କେଜି। ଏହା ଚାରିଟି ରଙ୍ଗର ବିଭିନ୍ନ ମିଶ୍ରଣରେ ବିକ୍ରି ପାଇଁ ଉପଲବ୍ଧ ରହିଛି। କରୋନା ମହାମାରୀ ୨୦୨୦-୨୧ ଆର୍ଥିକ ବର୍ଷରେ ଗାଡ଼ି ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍‌) ତଥ୍ୟ ଅନୁସାରେ ଏହି ବର୍ଷ ଦେଶରେ ୧,୫୧,୧୯,୩୮୭ଟି ଦୁଇ ଚକିଆ ଯାନ ବିକ୍ରି ହୋଇଛି ଯାହା ୨୦୨୯-୨୦ରେ ହୋଇଥିବା ୧,୭୪,୧୬,୪୩୨ଟି ଦୁଇଚକିଆ ବିକ୍ରି ତୁଳନାରେ ୧୩.୧୯% କମ୍। ବିଗତ କିଛି ବର୍ଷରେ ଦୁଇ ଚକିଆ ଯାନ ନିର୍ମାଣ କରୁଥିବା କଂପାନିଗୁଡ଼ିକ ୧୦୦-୧୧୦ ସିସି ବର୍ଗ ତୁଳନାରେ ୧୨୫ ସିସି ଓ ତା’ଠାରୁ ଅଧିକ ପ୍ରିମିୟମ୍ ବାଇକ୍ ଓ ସ୍କୁଟର ଉପରେ ବିଶେଷ ଧ୍ୟାନ ଦେଉଥିଲେ। ମାତ୍ର ବଜାଜ ଓ ହିରୋ ଭଳି ବଡ଼ କଂପାନି ତରଫରୁ ସୁଲଭ ମୂଲ୍ୟର ବାଇକ୍ ଉନ୍ମୋଚନ କରାଯାଇଥିବାରୁ ଆଗାମୀ ଦିନରେ ଅନ୍ୟ ପ୍ରମୁଖ କଂପାନିଗୁଡ଼ିକ ମଧ୍ୟ ନିଜର ସୁଲଭ ମୁଲ୍ୟର ବାଇକ୍ ଉନ୍ମୋଚନ କରିପାରନ୍ତି ବୋଲି ଆଶା କରାଯାଉଛି।

ବଜାଜ୍‌ର ନୂଆ ପଲ୍‌ସର୍‌

ନୂଆଦିଲ୍ଲୀ: ବଜାଜ୍ ପକ୍ଷରୁ ନୂଆ ପଲ୍‌ସର୍‌ ଏନ୍‌ଏସ୍‌ ୧୨୫ର ବଜାର ପ୍ରବେଶ ଘୋଷଣା କରିଛି। ଏହା ଏକ ଏଣ୍ଟ୍ରି ଲେଭେଲ୍ ସ୍ପୋର୍ଟସ ବାଇକ୍‌। ଦିଲ୍ଲୀରେ ଏହି ବାଇକ୍‌ର ଏକ୍ସ ସୋ'ରୁମ୍ ମୂଲ୍ୟ ୯୩,୬୯୦ ଟଙ୍କା ରହିଛି। ବଜାରରେ ମୁଖ୍ୟତଃ କେଟିଏମ୍‌ ୧୨୫ ବାଇକ୍ ସହିତ ଏହାର ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥିରେ ୧୨୫ ସିସି ବିଏସ୍‌-୬ ଡିଟିଏସ୍‌-ଆଇ ଇଞ୍ଜିନ ଲାଗିଛି। ୪ଟି ଆକର୍ଷଣୀୟ ରଙ୍ଗ ଯଥା ବିଚ୍‌ ବ୍ଲ୍ୟୁ, ଫିଏରି ଅରେଞ୍ଜ, ବର୍ଣ୍ଣଟ୍‌ ରେଡ୍‌ ଏବଂ ପିୟୁଟର ଗ୍ରେରେ ଉପଲବ୍ଧ ହେବ। ନୂଆ ବାଇକ୍‌ ମାଧ୍ୟମରେ ବଜାଜ୍ ବଜାରରେ ଏଣ୍ଟ୍ରି ଲେଭେଲ୍ ‌ବାଇକ୍ ସେଗ୍‌ମେଣ୍ଟ୍‌ରେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିବ ବୋଲି କମ୍ପାନିର ସଭାପତି (ମୋଟର ସାଇକଲ୍‌) ସାରଙ୍ଗ କାନାଡ଼େ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe