ଏଲ୍‌ପିଜିରେ ପୁଣି ମିଳିବ ଆଖିଦୃଶିଆ ସବ୍‌ସିଡି: ସରକାର କରୁଛନ୍ତି ସର୍ଭେ, କେତେ ଟଙ୍କା ମିଳିବ ଧାର୍ଯ୍ୟ ହୋଇନି

Advertisment
ଏଲ୍‌ପିଜିରେ ପୁଣି ମିଳିବ ଆଖିଦୃଶିଆ ସବ୍‌ସିଡି: ସରକାର କରୁଛନ୍ତି ସର୍ଭେ, କେତେ ଟଙ୍କା ମିଳିବ ଧାର୍ଯ୍ୟ ହୋଇନି

Image Courtesy of Zee News

ନୂଆଦିଲ୍ଲୀ: ଏଲ୍‌ପିଜି ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି ରାଶି ନଗଣ୍ୟ ସ୍ତରକୁ ଖସିଯିବାରୁ ତାହା ଗୁରୁତ୍ବହୀନ ହୋଇପଡ଼ିଛି। ଏଭଳି ସମୟରେ ଏଲ୍‌ପିଜି ଦାମ୍ ୧୦୦୦ ଟଙ୍କା ପାଖାପାଖି ବୃଦ୍ଧି ପାଇବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ନିୟମିତ ବ୍ୟବଧାନରେ ଏଲ୍‌ପିଜି ଦାମ୍ ବୃଦ୍ଧି ପାଇବା ଓ ଲୋକମାନଙ୍କୁ ବଜାର ଦରରେ ତାହାକୁ କିଣିବାକୁ ପଡ଼ୁଥିବାରୁ ଜନ ଅ‌ସନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ପୁଣି ଥରେ ଗ୍ରାହକଙ୍କୁ ଆଖିଦୃଶିଆ ସବ୍‌ସିଡି ଦେବା ବିଷୟରେ ସରକାର ବିଚାର କରୁଛନ୍ତି। ଏଥିପାଇଁ ଏକ ସର୍ଭେ ଆରମ୍ଭ କରାଯାଇଛି। ତେବେ ଗ୍ରାହକଙ୍କୁ କେତେ ଟଙ୍କାର ସବ୍‌ସିଡି ଦିଆଯିବ ତାହା ଧାର୍ଯ୍ୟ ହୋଇନାହିଁ। ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି। ସେଥିରୁ ଗୋଟିଏ ହେଉଛି ଉଜ୍ଜ୍ବଳା ଯୋଜନା ଅଧୀନରେ ଯେଉଁ ଗରିବ ଲୋକମାନଙ୍କୁ ଏଲ୍‌ପିଜି ସଂଯୋଗ ଦିଆଯାଇଛି, ଦରକାର ପଡ଼ିଲେ ସବ୍‌ସିଡି କେବଳ ସେଭଳି ଗ୍ରାହକଙ୍କ ପାଇଁ ସୀମିତ ରଖାଯିବ।

୨୦୨୦ ମେ’ରେ ଏଲ୍‌ପିଜି ସବ୍‌ସିଡିକୁ ଏକ ପ୍ରକାର ଉଚ୍ଛେଦ କରାଯାଇଥିଲା। ସେହି ସମୟରେ ନୂଆଦିଲ୍ଲୀରେ ବିକ୍ରି ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୫୮୧ ଟଙ୍କା ୫୦ ପଇସା ଥିଲା। ଏହା ପରେ ବାରମ୍ବାର ଦାମ୍ ବଢ଼ିବା ଯୋଗୁଁ ସିଲିଣ୍ଡର ମୂଲ୍ୟ ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସିଲିଣ୍ଡର ମୂଲ୍ୟ ୯୧୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି। ଘରୋଇ ବ୍ୟବହାରରେ ଲାଗୁ ଥିବା ସିଲିଣ୍ଡର ଉପରେ ସବ୍‌ସିଡି ମିଳୁନାହିଁ। ତେବେ ପରିବହନ ଖର୍ଚ୍ଚ ବାବଦରେ କିଛି ସବ୍‌ସିଡି ଦିଆଯାଉଛି। ବିଭିନ୍ନ ରାଜ୍ୟରେ ସବ୍‌ସିଡି ରାଶି ଭିନ୍ନ ଭିନ୍ନ ରହିଥିବା ବେଳେ ସର୍ବାଧିକ ୩୦ ଟଙ୍କାର ସବ୍‌ସିଡି ମିଳୁଛି। ଜଣେ ଗ୍ରାହକ ସର୍ବାଧିକ କେତେ ଟଙ୍କାରେ ସହଜରେ ଏକ ସିଲିଣ୍ଡର କିଣିପାରିବେ ତାହା ଜାଣିବା ଲାଗି ସରକାର ଏକ ସର୍ଭେ କରୁଛନ୍ତି।

୨୦୨୨ ମାର୍ଚ୍ଚ ସୁଦ୍ଧା ଏଲ୍‌ପିଜି ଗ୍ରାହକ ସଂଖ୍ୟା ୩୦ କୋଟିରୁ ଅଧିକ ସ୍ତରରେ ପହଞ୍ଚିବ। ସେମାନଙ୍କ ମଧ୍ୟରୁ ୨୦.୭୨ କୋଟି ହେଉଛନ୍ତି ଅଣ-ଉଜ୍ଜ୍ବଳା ଗ୍ରାହକ। ଏବେ ସବୁ ପ୍ରକାର ଗ୍ରାହକ ସିଲିଣ୍ଡର ରିଫିଲ୍ କରିବା ଲାଗି ସମାନ ଟଙ୍କା ଗଣୁଛନ୍ତି। ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନେ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ସିଲିଣ୍ଡର ରିଫିଲ୍‌ କରୁନଥିବା ଅଭିଯୋଗ ମଧ୍ୟ ହେଉଛି ଯାହାକୁ ସରକାର ଖଣ୍ଡନ କରୁଛନ୍ତି। ଗତ କିଛି ବର୍ଷ ଭିତରେ ଏଲ୍‌ପିଜି ସବ୍‌ସିଡିରେ ଅନେକ ପରିବର୍ତ୍ତନ ଘଟିଛି। ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ପାଇଁ ୨୦୧୫ ଡିସେମ୍ବରରେ ଏଲ୍‌ପିଜି ସବ୍‌ଓିଡି ବନ୍ଦ କରାଯାଇଥିଲା। ଏହା ବ୍ୟତୀତ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ଏଲ୍‌ପିଜି ସବ୍‌ସିଡି ସମର୍ପଣ କରିବା ଲାଗି ମଧ୍ୟ ସରକାର ଆହ୍ବାନ ଦେଇଥିଲେ। ବର୍ଷକୁ ପ୍ରତି ପରିବାର ପାଇଁ ୧୨ଟି ସିଲିଣ୍ଡର ସବ୍‌ସିଡି ମୂଲ୍ୟରେ ଦିଆଯାଉଛି। ଏବେ ଯେହେତୁ ସବ୍‌ସିଡି ରାଶି ନଗଣ୍ୟ ସ୍ତରରେ ରହିଛି ତେଣୁ ଗ୍ରାହକମାନେ ବଜାର ଦରରେ ହିଁ ସିଲିଣ୍ଡର କିଣୁଛନ୍ତି କହିଲେ ଭୁଲ ହେବ ନାହିଁ। ପୂର୍ବରୁ ଏଲ୍‌ପିଜି ସବ୍‌ସିଡି ଲାଗି ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ରହୁଥିଲା। ସବ୍‌ସିଡି ରାଶିର ବାଟମାରଣା ରୋକିବା ଲାଗି ଏଲ୍‌ପିଜିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଲାଗୁ କରାଯାଇଛି ଯେଉଁଥିରେ ସବ୍‌ସିଡି ରାଶି ସିଧାସଳଖ ଗ୍ରାହକଙ୍କ ଖାତାରେ ଜମା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe