Image Courtesy of The Financial Express
ନୂଆଦିଲ୍ଲୀ: ଋଣ ଉପରେ ଦିଆଯାଇଥିବା ମୋରାଟୋରିଅମ୍ ସୁବିଧାର ମହଲତକୁ ସୁପ୍ରିମକୋର୍ଟ ଚଳିତ ମାସ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ନେଇ କୋର୍ଟ ଅନ୍ତରୀଣ ନିର୍ଦେଶ ଜାରି କରିଛନ୍ତି। ପରବର୍ତୀ ଆଦେଶ ନମିଳିବା ପର୍ଯ୍ୟନ୍ତ କୌଣସି ଋଣ ଖାତାକୁ ନନ୍ ପରଫରମିଂ ଆସେଟ୍ (ଏନ୍ପିଏ) ବର୍ଗରେ ସାମିଲ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ମୋରାଟୋରିଅମ୍ ଅବଧିର ଋଣ ଛାଡ଼ କରିବା ଲାଗି ଆବେଦନକାରୀମାନେ ଯେଉଁ ଦାବି କରିଛନ୍ତି ତାହା ଉପରେ ଦୁଇ ସପ୍ତାହ ଭିତରେ ନିଜର ପକ୍ଷ ରଖିବାକୁ କେନ୍ଦ୍ର ସରକାର, ବ୍ୟାଙ୍କଗୁଡ଼ିକୁ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ କୋର୍ଟ କହିଛନ୍ତି। କେନ୍ଦ୍ରକୁ ଶେଷ ଥର ଲାଗି କୋର୍ଟ ଏହି ସୁଯୋଗ ଦେଇଛନ୍ତି। ଦୁଇ ସପ୍ତାହ ଭିତରେ ସମାଧାନ ପନ୍ଥା ବିଷୟରେ ସ୍ପଷ୍ଟ ଭାବେ ଜଣାଇବାକୁ ପଡ଼ିବ। ଏହି ମାମଲାକୁ ଆଉ ମୁଲତବୀ କରାଯିବ ନାହିଁ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି।
ଆଜି ଏହି ମାମଲାର ଶୁଣାଣି ବିଚାରପତି ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡି ଓ ଏମ୍ଆର୍ ଶାହଙ୍କ ଖଣ୍ଡପୀଠରେ ହୋଇଥିଲା। ମୋରାଟୋରିଅମ୍ ଅବଧି ପାଇଁ ସୁଧ ଛାଡ଼ କରିବା ଏବଂ ଏହି ସମୟରେ ସୁଧ ଉପରେ ଯେଉଁ ସୁଧ ଲଗାଯାଇଛି ତାହା ଛାଡ଼ କରିବା ଲାଗି ବିଭିନ୍ନ ଆବେଦନକାରୀ ଯେଉଁ ଆବେଦନ କରିଥିଲେ ସେଗୁଡ଼ିକର ଶୁଣାଣି ହୋଇଥିଲା। କରୋନା ମହାମାରୀ ମୁକାବିଲା ଲାଗି କେନ୍ଦ୍ର ସରକାର ଗତ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା କରିଥିଲେ ଯାହା ଦୁଇଟି ପର୍ଯ୍ୟାୟରେ ମେ' ୩ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ରହିବାରୁ ଋଣ ନେଇଥିବା ବ୍ୟକ୍ତି ଓ ସଂସ୍ଥାମାନେ କିସ୍ତି ପଇଠ କରିବାରେ ସମସ୍ୟା ସାମ୍ନା କରିପାରନ୍ତି ବୋଲି ହୃଦୟଙ୍ଗମ କରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ତିନି ଓ ପରେ ଆଉ ତିନି ମାସ, ଏଭଳି ଭାବେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋଟ ୬ ମାସର ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା। ଯେହେତୁ କରୋନାକୁ ନେଇ ସ୍ଥିତିରେ କୌଣସି ପରିବର୍ତନ ହୋଇନାହିଁ, ତେଣୁ ମୋରାଟୋରିଅମ୍ ଅବଧି ଆହୁରି ବଢ଼ାଇବା ଲାଗି ସାଧାରଣ ଗ୍ରାହକ ଏବଂ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ମୋରାଟୋରିଅମ୍ ଅବଧି ବଢ଼ାଇବା କିମ୍ବା ଏହି ସମୟର ସୁଧ ଛାଡ଼ କରିବାକୁ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ଚାହୁନାହାନ୍ତି। ସୁଧ ଛାଡ଼ କଲେ ଅର୍ଥନୀତିକୁ ବଡ଼ ଧରଣର କ୍ଷତି ହେବ ବୋଲି ଏହି ଦୁଇ ପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି।
ମୋରାଟୋରିଅମ୍ ପ୍ରସଙ୍ଗକୁ ନେଇ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଦୁଇ ସପ୍ତାହ ଭିତରେ ସରକାର ନିଜ ସ୍ଥିତି ସ୍ପଷ୍ଟ କରିବେ ବୋଲି ଆଜି କୋର୍ଟଙ୍କୁ ସଲିସିଟର ଜେନେରାଲ୍ ତୁଷାର ମେହତା ଜଣାଇଥିଲେ। ମୋରାଟୋରିଅମ୍ ପ୍ରସଙ୍ଗରେ ରହିଥିବା ସବୁ ପ୍ରକାର ସମସ୍ୟା ଉପରେ ନଜର ରଖିବା ଏବଂ ସରକାର କ'ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଜାଣିବା ଲାଗି ବିଶେଷଜ୍ଞମାନଙ୍କ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକ ତରଫରୁ ଭାରତୀୟ ବ୍ୟାଙ୍କିଙ୍ଗ୍ ସଂଘ (ଆଇବିଏ) କୋର୍ଟଙ୍କୁ ଜଣାଇଛି ଯେ ଏହା ଏକ ଜଟିଳ ପ୍ରସଙ୍ଗ ହୋଇଥିବାରୁ କେବଳ ରିଜର୍ଭ ବ୍ୟାଙ୍କ ନୁହେଁ, ଅର୍ଥ ମନ୍ତ୍ରଣାଳୟ ମଧ୍ୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହେବା ଦରକାର। ମୋରାଟୋରିଅମ୍ ଅବଧିର କୌଣସି ଖାତାକୁ ଏନ୍ପିଏ ଘୋଷଣା କରାଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ କହିଥିଲେ। ସେହି ନିର୍ଦେଶ ଜାରି ରହିବ। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ହେବା ଦରକାର। ବ୍ୟାଙ୍କଗୁଡ଼ିକ ସେମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଆଜିର ଶୁଣାଣିରେ ବ୍ୟାଙ୍କ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରର ସଂଘ ଅଂଶଗ୍ରହଣ କରିଥିଲେ।
Follow Us