ଠକେଇର ନୂଆ ଅସ୍ତ୍ର ‘ସିମ୍ ବକ୍ସ’: ଏସ୍‌ଏମ୍ଏସ୍‌ ଲିଙ୍କ୍‌ରେ କ୍ଲିକ୍‌ କରି କ୍ଷତି ସହିଲେ ୪୦ ଗ୍ରାହକ

Advertisment
ଠକେଇର ନୂଆ ଅସ୍ତ୍ର ‘ସିମ୍ ବକ୍ସ’: ଏସ୍‌ଏମ୍ଏସ୍‌ ଲିଙ୍କ୍‌ରେ କ୍ଲିକ୍‌ କରି କ୍ଷତି ସହିଲେ ୪୦ ଗ୍ରାହକ

ମୁମ୍ବାଇ: ଏକ ଏସ୍‌ଏମ୍ଏସ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ଗୋଟିଏ ବ୍ୟାଙ୍କର ୪୦ ଜଣ ଗ୍ରାହକ ଆର୍ଥିକ କ୍ଷତି ସହିଛନ୍ତି। ତିନି ଦିନ ଭିତରେ ସେମାନେ ଲକ୍ଷାଧିକ ଟଙ୍କା ହରାଇଛନ୍ତି। କେୱାଇସି ଅପ୍‌ଡେଟ୍‌ କରିବା ଏବଂ ପାନ୍ ବିବରଣୀ ଦେବା ପାଇଁ ଠକାମିର ଶିକାର ହୋଇଥିବା ଗ୍ରାହକମାନଙ୍କ ପାଖକୁ ଏକ ଏସ୍‌ଏମ୍ଏସ୍‌ ଲିଙ୍କ୍‌ ଆସିଥିଲା। ତଥ୍ୟ ନଦେଲେ ଖାତା ଅଚଳ ହୋଇଯିବ ବୋଲି ସେଥିରେ ଲେଖାଥିଲା। ଅପରାଧୀମାନେ ପଠାଇଥିବା ସେହି ଲିଙ୍କ୍‌ ପଛର ରହସ୍ୟକୁ ଯେଉଁ ଗ୍ରାହକମାନେ ବୁଝିନପାରି ତାହାକୁ ଖୋଲିଥିଲେ ଏବଂ ତଥ୍ୟ ଦେଇଥିଲେ ସେମାନଙ୍କ ବ୍ୟାଙ୍କ ଖାତାରୁ ହଜାର ହଜାର ଟଙ୍କା କଟିଯାଇଛି। ଏସ୍‌ଏମ୍ଏସ୍‌ ଲିଙ୍କ୍‌ ଖୋଲିବା ମାତ୍ରେ ଏକ ନକଲି ୱେବସାଇଟ୍‌ ଖୋଲିଥାଏ ଯାହା ବ୍ୟାଙ୍କର ଅସଲି ୱେବସାଇଟ୍‌ ଭଳି ଦେଖାଯାଏ। ସେଥିରେ ଆଇଡି, ପାସ୍‌ୱାର୍ଡ ଓ ଅନ୍ୟାନ୍ୟ ଗୋପନ ତଥ୍ୟ ଦେ‌ଲେ ତାହା ଅପରାଧୀଙ୍କ ପାଖରେ ପହଞ୍ଚିଯାଏ। ସେମାନେ ସେହି ତଥ୍ୟ ବ୍ୟବହାର କରି ଗ୍ରାହକଙ୍କ ଖାତାରୁ ଟଙ୍କା ଉଠାଇ ନିଅନ୍ତି। ସେଭଳି ଲିଙ୍କ୍‌‌ ନଖୋଲିବାକୁ ମୁମ୍ବାଇ ପୁଲିସ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ଘଟଣାରେ ଟିଭି ଅଭିନେତ୍ରୀ ଶ୍ବେତା ମେମନଙ୍କ ଖାତାରୁ ୫୭,୬୩୬ ଟଙ୍କା କଟିଯାଇଛି।

ନୂଆଦିଲ୍ଲୀ: ଫୋନ୍ କଲ୍‌ ମାଧ୍ୟମରେ ହେଉଥିବା ଠକେଇର ନୂଆ ଅସ୍ତ୍ର ପାଲଟିଛି ‘ସିମ୍‌ ବକ୍ସ’। ଏହା ହେଉଛି ଏକ ମେସିନ୍ ଯେଉଁଥିରେ ୨୦ରୁ ୫୦୦ଟି ପର୍ଯ୍ୟନ୍ତ ସିମ୍‌ ରହିବାର ବ୍ୟବସ୍ଥା ଅଛି। ଜାଲ୍‌ କାଗଜପତ୍ର ଦେଇ ସିମ୍‌ଗୁଡ଼ିକୁ ସଂଗ୍ରହ କରାଯାଏ। ସିମ୍‌ ବକ୍ସର ବଡ଼ ବିଶେଷତ୍ବ ହେଉଛି ଟେଲିକମ୍ ନେଟ୍‌ୱର୍କକୁ ଏହା ଅତି ସହଜରେ ଏଡ଼ାଇଯାଇପାରୁଛି। ଏହାର ଅର୍ଥ ହେଉଛି ସିମ୍‌ ବକ୍ସ ଜରିଆରେ ହେଉଥିବା କଲ୍‌ ବିଷୟରେ ମୋବାଇଲ୍‌ କଂପାନି କିଛି ବି ଜାଣିପାରୁନାହାନ୍ତି। ବିଦେଶୀ କଲ୍‌କୁ ତାହା ଅତି ସହଜରେ ସ୍ଥାନୀୟ କଲ୍‌ରେ ପରିଣତ କରୁଛି। ଫଳରେ ଲୋକମାନଙ୍କ ବିଶ୍ବାସ ଜିତିବା ଅପରାଧୀମାନଙ୍କ ଲାଗି ସହଜ ହେଉଛି।
ସିମ୍‌ ବକ୍ସ ଦେଶର ଜାତୀୟ ନିରାପତ୍ତା, ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ଟେଲିକମ୍ କଂପାନିଗୁଡ଼ିକର ରାଜସ୍ବ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଟେଲିକମ୍ ଶିଳ୍ପ ‘ସିମ୍‌ ବକ୍ସ’କୁ ବଡ଼ ବିପଦ ଭାବେ ଅଭିହିତ କରିଛି। ୨୦୧୭ରେ ଓଡ଼ିଶାରେ ଡନ୍ ଛୋଟା ରାଜନର ସହଯୋଗୀମାନେ ମୁଣ୍ଡଜାମିନ ପାଇଁ ଲୋକଙ୍କୁ କଲ୍‌ କରିବା ଲାଗି ସିମ୍ ବକ୍ସ ବ୍ୟବହାର କରିଥିଲେ। ମଧ୍ୟପ୍ରାଚ୍ୟ ଅଞ୍ଚଳ ଯେଉଁଠାରେ ହ୍ବାଟସ୍‌ଆପ୍ ନିଷିଦ୍ଧ କରାଯାଇଛି, ସେଠାରେ ଥିବା ଭାରତୀୟମାନେ ସୁଲଭ ମୂଲ୍ୟରେ କଲ୍ କରିବା ପାଇଁ ସିମ୍ ବକ୍ସ ବ୍ୟବହାର କରୁଛନ୍ତି।

ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ପାଇଁ ସିମ୍‌ ବକ୍ସ ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି। ୨୦୨୦ ସେପ୍ଟେମ୍ବର‌ରେ ଗୁଜରାଟରେ ଦୁଇ ଜଣ ଯୁବକଙ୍କୁ ସାବରମତୀ ନଦୀ ପାଖରେ ଗିରଫ କରାଯାଇଥିଲା। ସେମାନେ ସିମ୍‌ ବକ୍ସକୁ ଏକ ସ୍କୁଟରରେ ରଖି ସେଥିରୁ ଠକେଇ ପାଇଁ କଲ୍ କରୁଥିଲେ। ଏହି ମେସିନ୍‌ ଏକ ଭଏସ୍‌ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ୍‌ (ଭିଓଆଇପି) ଗେଟ୍‌ୱେ ଭାବେ କାମ କରୁଛି। ବିଦେଶୀ କଲ୍‌କୁ ଇଣ୍ଟରନେଟ୍‌ କଲ୍‌ରେ ପରିଣତ କରି ତାହାକୁ ସ୍ଥାନୀୟ କଲ୍‌ରେ ରୂପାନ୍ତରିତ କରିପାରୁଛି। ଯଦି ଜଣେ ଅପରାଧୀ ଲଣ୍ଡନରେ ରହି ସେଠାରୁ ସିମ୍ ବକ୍ସ ବ୍ୟବହାର କରି ଫୋନ୍‌ କରନ୍ତି ତାହା ବିଦେଶୀ କଲ୍ ବୋଲି ଜଣାପଡ଼ିବନି। ତାହା ଲୋକାଲ୍‌ କଲ୍ ଭାବେ ଲୋକଙ୍କ ପାଖରେ ପହଞ୍ଚିବ।

ଫଳରେ କଲ୍ ପଛରେ ଅପରାଧ ଭଳି ଆଭିମୁଖ୍ୟ ରହିଛି ବୋଲି ଲୋକମାନେ ଜାଣିପାରୁନାହାନ୍ତି। ସିମ୍‌ ବକ୍ସ ନମ୍ବରକୁ କେବଳ ସେହି ସମୟରେ ଜାଣିହେବ ଯଦି ସେହି ନମ୍ବରରୁ କଲ୍‌ ପାଇଥିବା ବ୍ୟକ୍ତି ସେବିଷୟରେ ସୂଚନା ଦେବେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଲୋକଙ୍କୁ ଠକିବା ଲାଗି ଅପରାଧୀମାନେ ତିନି ପ୍ରକାର ମାଧ୍ୟମ ବ୍ୟବହାର କରୁଛନ୍ତି। ତାହା ହେଉଛି ଫିସିଂ, ସ୍ମିସିଂ ଓ ଭିସିଂ। ଫିସିଂ ହେଉଛି ଇ-ମେଲ୍‌ରେ ଲିଙ୍କ୍‌ ପଠାଇ ବ୍ୟାଙ୍କ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା। ସ୍ମିସିଂ ହେଉଛି ଏସ୍‌ଏମ୍ଏସ୍‌ ଓ ଭିସିଂ ହେଉଛି ଫୋନ୍‌ କଲ୍‌ କିମ୍ବା ଭଏସ୍‌ ମେସେଜ୍‌ ମାଧ୍ୟମରେ କରାଯାଉଥିବା ଏପ୍ରକାର ଠକେଇ। ଗୋଟିଏ ସିମ୍ ବକ୍ସ ଦୈନିକ ହଜାର ହଜାର ବିଦେଶୀ କଲ୍‌କୁ ସ୍ଥାନୀୟ କଲ୍‌ରେ ରୂପାନ୍ତରିତ କରିପାରିବ। ତାହାକୁ ସନ୍ଧାନ କରିବା ମଧ୍ୟ କଷ୍ଟକର ବ୍ୟାପାର। ଥରକେ ଏହି ମେସିନ୍‌ରୁ ହଜାର ହଜାର ଏସ୍‌ଏମ୍ଏସ୍‌ ପଠାଇହେଉଛି। ହାଣ୍ଡ୍‌ସେଟ୍‌ରେ ଥିବା ଇଏମ୍‌ଆଇଇ ନମ୍ବରକୁ ଧରି ହେଉନି।ଅବଶ୍ୟ ସିମ୍‌ ବକ୍ସ ବ୍ୟବହାର କରୁଥିବା ଅପରାଧୀମାନଙ୍କୁ ଧରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଯଦି କୌଣସି ସିମ୍‌ରୁ ଇନ୍‌କମିଂ କଲ୍‌ ତୁଳନାରେ ଅତ୍ୟଧିକ ଆଉଟ୍‌ଗୋଇଙ୍ଗ୍‌ କଲ୍‌ କରାଯାଉଛି ତାହା ଉପରେ ନଜର ରଖି ପୁଲିସ ଜରିଆରେ ଚଢ଼ଉ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe