ପାକିସ୍ତାନ ମୁଦ୍ରାର ଦୟନୀୟ ସ୍ଥିତି: ଗୋଟିଏ ଡଲାର ପାଇଁ ଗଣିବାକୁ ପଡ଼ୁଛି ୨୦୦ ଟଙ୍କା

Advertisment
ପାକିସ୍ତାନ ମୁଦ୍ରାର ଦୟନୀୟ ସ୍ଥିତି: ଗୋଟିଏ ଡଲାର ପାଇଁ ଗଣିବାକୁ ପଡ଼ୁଛି ୨୦୦ ଟଙ୍କା

Dawn

ଇସଲାମାବାଦ: ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରଦାମ୍ ବେଲଗାମ ହୋଇପଡ଼ିଥିବାରୁ ପାକିସ୍ତାନ ମୁଦ୍ରାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଇଛି। ଏକ ଡଲାର କିଣିବା ଲାଗି ପ୍ରାୟ ୨୦୦ ପାକିସ୍ତାନି ଟଙ୍କା ଗଣିବାକୁ ପଡ଼ୁଛି। ମୁଦ୍ରା ମୂଲ୍ୟରେ ସ୍ଥିରତା ଆଣିବା ଲାଗି ଇମ୍ରାନ ଖାନ୍‌ଙ୍କ ସରକାର ୩୬,୦୦୦ କୋଟି ଟଙ୍କାର ଏକ କ୍ଷୁଦ୍ର ବଜେଟ୍‌ ଘୋଷଣା କରିଛନ୍ତି। ଏହାପରେ ଯଦିଓ ମୁଦ୍ରା ମୂଲ୍ୟରେ ସୁଧାର ଘଟିଛି, କିନ୍ତୁ ଏହି ବଜେଟ୍‌ର ପ୍ରଭାବ କେତେଦିନ ରହିବ ତାହାକୁ ନେଇ ଅର୍ଥନୀତିଜ୍ଞମାନେ ସନ୍ଦିହାନ ଅଛନ୍ତି। ମୁଦ୍ରା ଦୁର୍ବଳ ହେବାର ଗମ୍ଭୀର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ। କାରଣ ଆମଦାନି ମହଙ୍ଗା ହୋଇଯିବ। ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବିଦେଶୀ ମୁଦ୍ରା ଭଣ୍ଡାରରେ ପାଣ୍ଠିର ଅଭାବ ଦେଖାଦେବ। ଯେହେତୁ କେହି ପାକିସ୍ତାନକୁ ନୂଆ ପାଣ୍ଠି ଦେବାକୁ ଚାହୁନାହାନ୍ତି, ତେଣୁ ସେଠାରେ ଲୋକମାନଙ୍କ ମଧ୍ୟରେ ଜିନିଷ କିଣିବାକୁ ନେଇ ହାହାକାର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତର ଅନ୍ୟତମ ପଡ଼ୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ବିଦେଶୀ ମୁଦ୍ରା ସଙ୍କଟ ଦେଇ ଗତି କରୁଛି। ସେଠାରେ କଞ୍ଚା ଲଙ୍କା କିଲୋ ପିଛା ଦାମ୍ ୭୦୦ ଟଙ୍କାରୁ ଅଧିକ ହୋଇଯାଇଛି।

ପାକିସ୍ତାନ ସରକାର କୌଣସି ଅଂଶୀଦାରଙ୍କ ସହ ଆଲୋଚନା ନକରି ଏକ ପାଖିଆ ଭାବେ ମୁଦ୍ରା ବିନିମୟ କରୁଥିବା ସଂସ୍ଥାଗୁଡ଼ିକ ଉପରେ ୧୬% ଟିକସ ଲଗାଇଛନ୍ତି। ସେହି ବୋଝକୁ ସେମାନେ ଗ୍ରାହକଙ୍କ ଉପରେ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ମିନି ବଜେଟ୍‌କୁ ବିରୋଧୀ ଦଳର ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ ମଧ୍ୟ ବହୁ ସମୟ ଆଲୋଚନା ପରେ ସେହି ବିବାଦୀୟ ବିଲ୍ ପାସ୍ ହୋଇଥିଲା। ୨୦୧୪ରେ ସେଠାକାର ସରକାର ଏହି ଟିକସ ଲଗାଇଥିଲେ ଓ ୨୦୧୬ରେ ପ୍ରତ୍ୟାହାର କରିନେଇଥିଲେ। ପୁଣି ଥରେ ସେହି ଟିକସ ଲାଗୁ କରାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାଣ୍ଠି ଦେବାକୁ ମନା କରିବାରୁ ପାକିସ୍ତାନ ସରକାରଙ୍କୁ ଏହି କଠୋର ନି‌ଷ୍ପତ୍ତି ନେବାକୁ ପଡ଼ିଛି। ପାକିସ୍ତାନର ମୁଦ୍ରାସ୍ଫୀତି ହାର ୧୨-୩୦% ଭଳି ଉଚ୍ଚ ସ୍ତରରେ ରହୁଛି। ଦରଦାମ୍ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଲୋକମାନେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନ ଅର୍ଥନୀତି ଭେଣ୍ଟିଲେଟରରେ ଥିଲା। ମିନି ବଜେଟ୍ ଅର୍ଥନୀତିର ସ୍ବାସ୍ଥ୍ୟକୁ ଆହୁରି ବିଗାଡ଼ି ଦେଇଛି ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe