News9Live
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ଭିତ୍ତିକ କଏନ୍ ଭେଣ୍ଡିଂ ମେସିନର ପରୀକ୍ଷଣ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୨ଟି ସହରର ୧୯ଟି ସ୍ଥାନରେ ଏହି ପରୀକ୍ଷଣ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ରେଳ ଷ୍ଟେସନ, ସପିଙ୍ଗ ମଲ୍ ଓ ବଜାର ଭଳି ପ୍ରମୁଖ ସ୍ଥାନରେ ଏହି ଭେଣ୍ଡିଂ ମେସିନ ଲଗାଯିବ। ଲୋକମାନେ ମେସିନର କ୍ୟୁଆର୍ କୋଡ୍କୁ ସ୍କାନ କରି ୟୁପିଆଇ ପେମେଣ୍ଟ୍ କଲେ ସେଥିରୁ ସମାନ ପରିମାଣର କଏନ ବାହାରିବ। କଏନ୍ ବାହାର କରିବା ଲାଗି କୌଣସି କାଗଜ ନୋଟ୍ ଭର୍ତ୍ତି କରିବାକୁ ପଡ଼ିବ ନାହିଁ। ଏହା ଦ୍ବାରା କଏନ ପାଇବା ବେଶ ସହଜ ହେବ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ତାହାକୁ ଦେଶର ବିଭିନ୍ନ ସ୍ଥାନକୁ ସମ୍ପ୍ରସାରିତ କରାଯିବ।
ଭେଣ୍ଡିଂ ମେସିନ ଜରିଆରେ କଏନ୍ ବିତରଣ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯିବ ବୋଲି ସେ କହିଛନ୍ତି। ଲୋକମାନେ ଯେଭଳି ସୁବିଧାରେ କଏନ ପାଇପାରିବେ ସେଥିପାଇଁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି ଯେ ବହୁ ପରିମାଣର କଏନ ବଣ୍ଟନ କରିବାକୁ ପଡ଼ୁଛି। ସେଗୁଡ଼ିକୁ ରଖିବା ଲାଗି ଅଧିକ ସ୍ଥାନ ଦରକାର ହେଉଛି ଏବଂ ବିଭିନ୍ନ ସମୟରେ ତାହା ଠିକ୍ ଭାବେ ବିତରଣ ହୋଇପାରୁନାହିଁ। କିଛି ସ୍ଥାନରେ କିନ୍ତୁ କଏନର ଚାହିଦା ଅଧିକ ରହୁଛି। ପେମେଣ୍ଟ୍ ବ୍ୟବସ୍ଥାରେ କଏନର ବ୍ୟବହାର ବଢ଼ାଇବା ଲାଗି ତାହାକୁ ସବୁ ଲୋକଙ୍କ ପାଖରେ ଉପଲବ୍ଧ କରାଇବା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ପୂର୍ବରୁ ବଜାର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କଏନ ଭେଣ୍ଡିଂ ମେସିନ ଲଗାଯାଇଥିଲା। ମାତ୍ର ସେଥିରେ ଏକ ବଡ଼ ଅସୁବିଧା ସାମ୍ନାକୁ ଆସିଥିଲା। ତାହା ହେଉଛି ଲୋକମାନେ ନକଲି ନୋଟ୍ ଭର୍ତ୍ତି କରି କଏନ୍ ନେଇଯାଉଥିଲେ।
Follow Us