ଦ୍ବିତୀୟ ଲହର କମ୍ କ୍ଷତି କରିବ: ଅଭିବୃଦ୍ଧି ପୂର୍ବାନୁମାନ ବଦଳାଇଲେ ମୁଡିସ୍‌, ନୁମୋରା

ଦ୍ବିତୀୟ ଲହର କମ୍ କ୍ଷତି କରିବ: ଅଭିବୃଦ୍ଧି ପୂର୍ବାନୁମାନ ବଦଳାଇଲେ ମୁଡିସ୍‌, ନୁମୋରା

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରଥମ ଲହର ମୁକାବିଲା ଲାଗି ୨୦୨୦ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏଥିପାଇଁ ଅର୍ଥନୀତିକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ୨୦୨୦ ଏପ୍ରିଲ୍-ଜୁନ୍ ତ୍ରୟମାସରେ ଦେଶର ଅଭିବୃଦ୍ଧି ୨୩.୯% ହ୍ରାସ ପାଇଥିଲା। କିନ୍ତୁ ଏବେ ଦେଶରେ ଦେଖାଦେଇଥିବା କରୋନା ମହାମାରୀର ଦ୍ବିତୀୟ ଲହର ଅର୍ଥନୀତି ପାଇଁ ସେତେଟା କ୍ଷତିକାରକ ହେବନି ବୋଲି ରେଟିଂ ଏଜେନ୍ସି ଫିଚ୍ ମତ ଦେଇଛି। ଯଦିଓ ଏଥର କରୋନା ସଂକ୍ରମଣ ମାମଲା ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି କିନ୍ତୁୂ ଅର୍ଥନୀତିକୁ ତାହା ବିଶେଷ ପ୍ରଭାବିତ କରିବନି। ସରକାର ଲକ୍‌ଡାଉନ୍‌କୁ ଏତେଟା କଠୋର ଭାବେ ଲାଗୁ କରିନାହାନ୍ତି। ବ୍ୟବସାୟିକ ସଂସ୍ଥା ଓ ବ୍ୟକ୍ତିବିଶେଷମାନେ ଏଭଳି ସ୍ଥିତିରେ କିଭଳି ଖାପଖୁଆଇ ଚଳିବାକୁ ହୁଏ ତାହା ଶିଖିଯାଇଛନ୍ତି।

ଅର୍ଥ ମନ୍ତ୍ରଣାଳୟର ମାସିକ ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରର ପ୍ରଭାବ କମ୍ ରହିବ। ଯଦିଓ ଦ୍ବିତୀୟ ଲହର ପ୍ରଭାବରେ ଅର୍ଥନୈତିକ ଗତିବିଧି ହ୍ରାସ ପାଇବ କିନ୍ତୁ ତାହା ଏତେଟା କ୍ଷତିକାରକ ହେବନି। ୨୦୨୦ ମହାମାରୀର ପ୍ରଭାବରୁ ଭାରତୀୟ ଅର୍ଥନୀତି ଧୀରେ ଧୀରେ ସୁଧାର ଆଡ଼କୁ ଗତି କରୁଥିଲା। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଓ କାରଖାନା ଉତ୍ପାଦନ ତଥ୍ୟରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ୨୦୨୦-୨୧ରେ ଟିକସ ସଂଗ୍ରହ ସଂଶୋଧିତ ଆକଳନ ଠାରୁ ୪.୫% ଅଧିକ ରହିଛି। କ୍ରମାଗତ ଛଅ ମାସ ପର୍ଯ୍ୟନ୍ତ ମାସିକ ଜିଏସ୍‌ଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଗତ ଏପ୍ରିଲ୍‌ ମାସରେ ସର୍ବକାଳୀନ ରେକର୍ଡ ୧.୪୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ‌ତେବେ ଫିଚ୍‌ ତରଫରୁ କୁହାଯାଇଛି ଯେ ମହାମାରୀର ଦ୍ବିତୀୟ ଲହର ଷ୍ଟକ ବଜାର କାରବାରକୁ ପ୍ରଭାବିତ କରିଛି। ଉଭୟ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି। ଏକ ଡଲାର ମୂଲ୍ୟ ୭୪ ଟଙ୍କା ୫୧ ପଇସା ଭଳି ସ୍ତରରେ ପହଞ୍ଚିଛି। ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। କେବଳ ଏପ୍ରିଲ୍‌ ମାସରେ ସେମାନେ ୧୧,୮୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଭାରତୀୟ ବଜାରରେ ନଗଦ ରାଶିକୁ ନେଇ ବିଶେ‌ଷ ସମସ୍ୟା ନାହିଁ। ଗତବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ୩.୧୭ ଲକ୍ଷ କୋଟି ଟଙ୍କା ଜାରି କରିଥିଲେ ତାହା ସ୍ଥିତିକୁ ନିୟନ୍ତ୍ରଣରେ ରଖିଛି। କିନ୍ତୁ ଋଣ ଆବଣ୍ଟନ ସ୍ଥିର ରହିଛି ବୋଲି ଫିଚ୍‌ ତରଫରୁ କୁହାଯାଇଛି।

କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବକୁ ନଜରରେ ରଖି ବିଭିନ୍ନ ସଂସ୍ଥା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ନେଇ ଯେଉଁ ପୂର୍ବାନୁମାନ କରିଥିଲେ ସେଥିରେ ପରିବର୍ତନ କରୁଛନ୍ତି। ମୁଡିସ୍‌ ଆକଳନ କରିଛି ଯେ ଭାରତର ଅଭିବୃଦ୍ଧି ୯.୩% ରହିବ। ଗତ ଫେବ୍ରୁଆରିରେ ଏହାର ଆକଳନ ୧୩.୭% ଭଳି ଉଚ୍ଚ ସ୍ତରରେ ଥିଲା। ସେହିପରି ଜାପାନର ଆର୍ଥିକ ସଂସ୍ଥା ନୁମୋରା ଆକଳନ କରିଛି ଯେ ଭାରତର ଅଭିବୃ୧୦.୮%କୁ ହ୍ରାସ ପାଇବ। ଏହାର ପୂର୍ବ ଆକଳନ ଥିଲା ୧୨.୬%। ଲକ୍‌ଡାଉନ୍ ପ୍ରଭାବରେ ଅଭିବୃଦ୍ଧି କମିବ ବୋଲି ନୁମୋରା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe