Image Courtesy of India Today
ନୂଆଦିଲ୍ଲୀ: ଆମେରିକାରେ ଘଟୁଥିବା ଘଟଣା ଆଉ ଭାରତୀୟ ଷ୍ଟକ ବଜାର କାରବାରକୁ ବିଶେଷ ପ୍ରଭାବିତ କରୁନାହିଁ। ଅନ୍ତତଃ ଆଜି ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଘଟିଥିବା ବୃଦ୍ଧିରୁ ଏହା ପ୍ରମାଣିତ ହୋଇଛି। ସୁଧ କମ୍ କରିବା ଲାଗି ଖୁବ୍ଶୀଘ୍ର ପଦକ୍ଷେପ ନେବ ବୋଲି ଆମେରିକାର ଫେଡେରାଲ୍ ରିଜର୍ଭ ଘୋଷଣା କରିବା ଭାରତ ଭଳି ବିକାଶଶୀଳ ଦେଶ ଲାଗି ଏକ ଖରାପ ଖବର ହୋଇଥିଲେ ମଧ୍ୟ ନିବେଶକମାନେ ସେଥିରେ ଭୟଭୀତ ହୋଇନାହାନ୍ତି। ଭଲ ମୌସୁମୀ ବର୍ଷା ଓ ଟିକାକରଣରେ ଅଗ୍ରଗତି ସେମାନଙ୍କ ମନୋବଳକୁ ଦୃଢ଼ ରଖିଛି। ସେଥିପାଇଁ ଆଜି ନିବେଶକମାନେ ବିପୁଳ ମାତ୍ରାର ସେୟାର କିଣିବାରୁ ସେନ୍ସେକ୍ସ ୯୫୮ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ସହ ୫୯,୮୮୫ ପଏଣ୍ଟ୍ରେ ବନ୍ଦ ହୋଇଛି। ଏହି ଧାରା ବଜାୟ ରହିଲେ ଆସନ୍ତାକାଲି ସେନ୍ସେକ୍ସ ଐତିହାସିକ ୬୦,୦୦୦ ପଏଣ୍ଟ୍ ସ୍ତର ଅତିକ୍ରମ କରିବ। ସେନ୍ସେକ୍ସରେ ଘଟିଥିବା ବୃଦ୍ଧି ଯୋଗୁଁ ନିବେଶକମାନଙ୍କୁ ୩.୧୪ ଲକ୍ଷ କୋଟି ଟଙ୍କାର ଲାଭ ମିଳିଛି। ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ସମସ୍ତ କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍) ୩.୧୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୬୧.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ମଧ୍ୟ ଆଜି ଭଲ କାରବାର ହୋଇଛି। ନିଫ୍ଟି ୨୭୬ ପଏଣ୍ଟ୍ ବୃଦ୍ଧି ପାଇ ୧୭,୮୨୨ ପଏଣ୍ଟ୍ରେ ବନ୍ଦ ହୋଇଛି। ଉଭୟ ସେନ୍ସେକ୍ସ ଓ ନିଫ୍ଟି ଏବେ ଐତିହାସିକ ଉଚ୍ଚ ସ୍ତରରେ ରହିଛି।
ଷ୍ଟକ ବଜାର କାରବାରରେ ଅଧିକ ଗୁରୁତ୍ବ ବହନ କରୁଥିବା କଂପାନିଗୁଡ଼ିକ ମଧ୍ୟରୁ ଆଜି ବଜାଜ ଫିନ୍ସର୍ଭ, ହିଣ୍ଡାଲ୍କୋ, ଏଲ୍ଆଣ୍ଡ୍ଟି, ଟାଟା ମୋଟର୍ସ, କୋଲ୍ ଇଣ୍ଡିଆ, ଏଚ୍ଡିଏଫ୍ସି, ଆକ୍ସିସ୍ ବ୍ୟାଙ୍କ, ଓଏନ୍ଜିସି ଓ ଇଣ୍ଡ୍ସଇଣ୍ଡ୍ ବ୍ୟାଙ୍କର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ଫଳରେ ଏହି ସବୁ କଂପାନିଗୁଡ଼ିକର ସେୟାର ରଖିଥିବା ଅଂଶଧନକାରୀମାନେ ଲାଭବାନ ହୋଇଛନ୍ତି। ଅନ୍ୟପକ୍ଷରେ ଏଚ୍ଡିଏଫ୍ସି ଲାଇଫ୍ ଇନ୍ସ୍ୟୁରାନ୍ସ, ଡକ୍ଟର ରେଡ୍ଡିସ୍ ଲ୍ୟାବ୍, ଜେଏସ୍ଡବ୍ଲୁ ଷ୍ଟିଲ୍, ଟାଟା କଞ୍ଜ୍ୟୁମର, ଆଇଟିସି, ନେସ୍ଲେ ଇଣ୍ଡିଆ, ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ ଓ ଭାରତ ପେଟ୍ରୋଲିୟମ୍ର ସେୟାର ମୂଲ୍ୟ ହ୍ରାସ ପାଇଛି।
Follow Us