ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏୟାରଲାଇନ୍ ଇଣ୍ଡିଗୋରେ ଦେଖାଦେଇଥିବା ସଙ୍କଟର କୌଣସି ଠୋସ୍ ସମାଧାନ ବାଟ ବାହାରିପାରିନାହିଁ। ଫଳରେ ଶୁକ୍ରବାର ଦିନ କମ୍ପାନି ଆଉ ୧୦୦୦ ବିମାନର ଉଡ଼ାଣ ବାତିଲ କରିଛି। ତେବେ ଏହି ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ବିଭ୍ରାଟର ପ୍ରକୃତ କାରଣ ଖୋଜିବା ଲାଗି ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି। ସୋମବାର ସୁଦ୍ଧା ଏହି ସଙ୍କଟର ସମାଧାନ ହୋଇଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କହିଛନ୍ତି। କିନ୍ତୁ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ କହିଛନ୍ତି ଯେ ଏହି ସମସ୍ୟା ଆଉ କିଛି ଦିନ ଲାଗି ରହିବ। ଚଳିତ ମାସ ୧୫ ସୁଦ୍ଧା ସ୍ଥିତି ସ୍ବାଭାବିକ ହେବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପ୍ରଭାବିତ ଯାତ୍ରୀମାନଙ୍କୁ ସେ କ୍ଷମା ମାଗିଛନ୍ତି।
ମନ୍ତ୍ରୀ ଶ୍ରୀ ନାଇଡ଼ୁ ଆଜି କହିଛନ୍ତି ଯେ ବିମାନ ସେବା ସ୍ବାଭାବିକ କରିବା ଲାଗି ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ବିମାନ ସମୟ ସୂଚୀ ସ୍ଥିର ହେବ। ତିନିଦିନ ମଧ୍ୟରେ ଉଡ଼ାଣ ସ୍ବାଭାବିକ ହେବ। ଏହି ସମୟ ଭିତରେ ଯାତ୍ରୀମାନଙ୍କୁ ନିୟମିତ ଓ ସଠିକ୍ ସୂଚନା ଦେବାକୁ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ବିମାନ ବାତିଲ ହେଲେ ଏୟାରଲାଇନ୍ସ ନିଜ ଆଡ଼ୁ ଯାତ୍ରୀଙ୍କୁ ଟିକଟ ମୂଲ୍ୟ ଫେରାଇବେ। ସେଥିପାଇଁ ଯାତ୍ରୀମାନଙ୍କୁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ। ଦୀର୍ଘ ସମୟ ଅପେକ୍ଷା କରୁଥିବା ଯାତ୍ରୀମାନଙ୍କୁ ହୋଟେଲ୍ରେ ରଖିବା ବ୍ୟବସ୍ଥା କରିବାକୁ କମ୍ପାନିକୁ କୁହାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଡ଼ାଣ ବିଳମ୍ବ ଦ୍ବାରା ପ୍ରଭାବିତ ସବୁ ଯାତ୍ରୀଙ୍କୁ ଜଳଖିଆ ଓ ଅନ୍ୟାନ୍ୟ ଅତ୍ୟାଶ୍ୟକୀୟ ସେବା ଯୋଗାଇଦେବାକୁ କୁହାଯାଇଛି।
ଇଣ୍ଡିଗୋ କହୁଛି ୧୫ ପର୍ଯ୍ୟନ୍ତ ସମୟ ଲାଗିବ
ଶୁକ୍ରବାର ୧୦୦୦ ଉଡ଼ାଣ ବାତିଲ
ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଏହି ବିଭ୍ରାଟ ପାଇଁ ଇଣ୍ଡିଗୋ ତରଫରୁ କ’ଣ ଭୁଲ ହୋଇଛି ତାହା ଜାଣିବାକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଭବିଷ୍ୟତରେ ଏଭଳି ସଙ୍କଟ ରୋକିବା ଲାଗି ସରକାର ପଦକ୍ଷେପ ନେବେ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ଚାରିଜଣିଆ କମିଟି ଗଠନ କରାଯାଇଛି। ୧୫ ଦିନ ଭିତରେ କମିଟି ଏହାର ରିପୋର୍ଟ ଦେବ। ଘଟଣା ଉପରେ ନଜର ରଖିବା, ସୁଧାର ପାଇଁ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ତାହାର ନମ୍ବର ହେଉଛି ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩ ଓ ୦୯୬୫୦୩୯୧୮୫୯।
Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ
ଏହି ସଙ୍କଟର ସମାଧାନ କରିବା ଲାଗି ଏକ ବିରଳ ଘଟଣା ଭାବେ ଇଣ୍ଡିଗୋର ବିମାନ ଚଲାଇବାକୁ ଡିଜିସିଏ ଏହାର ଇନ୍ସ୍ପେକ୍ଟରମାନଙ୍କୁ ଅନୁମତି ଦେଇଛି। ଡିଜିସିଏ ପାଞ୍ଚବର୍ଷିଆ ଚୁକ୍ତିରେ ପାଇଲଟ୍ଙ୍କୁ ନିଯୁକ୍ତ କରିଥାଏ। ସେମାନେ ଅଡିଟର୍ ଭାବେ କାର୍ଯ୍ୟ କରନ୍ତି। ସେଭଳି ପାଇଲଟ୍ କୌଣସି କମ୍ପାନିର ବିମାନ ଉଡ଼ାଇପାରନ୍ତି ନାହିଁ। ସେହି ନିୟମକୁ କିନ୍ତୁ ଡିଜିସିଏ ବଦଳାଇଛି। ଏଥି ସହିତ ବିଭ୍ରାଟର ମୂଳ କାରଣ ଥିବା ନୂଆ ପାଇଲଟ୍ ବିଶ୍ରାମ ନିୟମକୁ ମଧ୍ୟ ଡିଜିସିଏ କୋହଳ କରିଛି। ଇଣ୍ଡିଗୋ ସଙ୍କଟ ପ୍ରଭାବରେ ଅନ୍ୟ ଏୟାରଲାଇନ୍ସର ଟିକଟ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ଶେଷ ମୁହୂର୍ତରେ ଟିକଟ କାଟିବାକୁ ଚାହୁଥିବା ଯାତ୍ରୀମାନଙ୍କୁ ୫ ଗୁଣା ପର୍ଯ୍ୟନ୍ତ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଦିଲ୍ଲୀ-ମୁମ୍ବାଇରେ ରୁଟ୍ରେ ସ୍ପାଇସ୍ଜେଟ୍ର ଟିକଟ ଦାମ୍ ୩୫,୮୫୧ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଏୟାର ଇଣ୍ଡିଆର ଦାମ୍ ୨୫,୧୬୧ ଟଙ୍କା ରହିଛି।
Follow Us