Image Courtesy of India Today
କେନ୍ଦୁଝର: ସାରଦା ମାଲିକାନାରେ ଥିବା ଠାକୁରାଣୀ-ବି ଖଣିରୁ ଲୁହାପଥର ଉତ୍ତୋଳନ ଓ ପରିବହନ ପାଇଁ ସୋମବାର ମାନ୍ୟବର ହାଇକୋର୍ଟ ରାୟ ଦେଇଥିଲେ। ଏବେ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ଯଦି ସରକାର ସୁପ୍ରିମକୋର୍ଟ ଯାଆନ୍ତି, ତେବେ ସାରଦା ଖଣିରୁ ଲୁହାପଥର ଉତ୍ତୋଳନ ହୋଇପାରିବ ନାହିଁ।
ଠାକୁରାଣୀ-ବି ଲୁହାପଥର ଖଣିକୁ ନେଇ କିଛିବର୍ଷ ଧରି ରାଜ୍ୟ ସରକାର ଏବଂ ଲିଜ୍ଧାରୀ ସାରଦା ମାଇନସ୍ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ପୂର୍ବରୁ ୨୦୧୨ରୁ ୨୦୧୪ ମସିହା ମଧ୍ୟରେ ଚୁକ୍ତି ମୁତାବକ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡକୁ ସାରଦା ମାଇନସ୍ ଲୁହାପଥର ବିକ୍ରି କରିବା କଥା। ମାତ୍ର ଅନିୟମିତତା ପାଇଁ ଦୀର୍ଘବର୍ଷ ଧରି ଏହି ଖଣି ବନ୍ଦ ହୋଇ ପଡ଼ିଥିଲା। ଖଣିଜ ପରିବହନ ହୋଇ ପାରିନଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଖଣି ପୁଣି ୨୦୨୦ ଫେବ୍ରୁଆରିରେ କାର୍ଯ୍ୟକ୍ଷମ ହୋଇଥିଲା। ୧୩.୫ ମିଲିୟନ ଟନ୍ ଲୁହାଥର ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରକୁ ଯୋଗାଇଥିଲା। ଏହାର ରୟାଲଟି ବାବଦକୁ ୩୧୬.୬୬ କୋଟି ଟଙ୍କା ସହ ଅତିରିକ୍ତ ଦେୟ ୨୯୯.୭୩ କୋଟି ଏବଂ ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟକୁ ୧୯.୯ କୋଟି ଏଭଳି ମୋଟ ୬୨୦ କୋଟି ଟଙ୍କା ଦେବାକୁ ଖଣି ନିର୍ଦ୍ଦେଶାଳୟ ଡିମାଣ୍ଡ ନୋଟିସ୍ କରିଥିଲା। ଏହାକୁ ସାତଦିନ ମଧ୍ୟରେ ପଇଠ କରିବାକୁ ମାର୍ଚ୍ଚ ମାସରେ ନୋଟିସ୍ ହୋଇଥିଲା।
ସେତେବେଳେ ସାରଦା ଖଣି ଏବଂ ରାଜ୍ୟ ସରକାର ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ। ଗତ ୨୮ ତାରିଖରୁ ଏହି ଖଣିରୁ ଉତ୍ତୋଳନ ଓ ପରିବହନ ବନ୍ଦ ପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ପୁଣି ନିର୍ଦ୍ଦେଶ ଦିଆଯାଇଥିଲ। ଖଣି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ, ସାରଦା ମାଲିକାନାରେ ଥିବା ଠାକୁରାଣୀ-ବି ଖଣିର ଲିଜ୍ ଅବଧି ଅଗଷ୍ଟ ୧୩ ତାରିଖରେ ଶେଷ ହେବା କଥା। ଏହି ସମୟ ମଧ୍ୟରେ ମୋଟ ୪ ନିୟୁତ ମେଟ୍ରିକ୍ ଟନ୍ ଲୁହାପଥର ଉତ୍ତୋଳନ ପାଇଁ ଅନୁମତି ଥିଲା। କିନ୍ତୁ ଖଣିରୁ ୬ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଉତ୍ତୋଳନ କରାଯାଇଥିଲା। ଯାହା ପରିବେଶ ମଞ୍ଜୁରିଠାରୁ ଅଧିକ। ଏଥିପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ କରାଯାଇ ଖଣିଜ ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହା ବିରୋଧରେ ସାରଦା ମାଇନସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
Follow Us