କଟକରେ ଶୀଘ୍ର ପାଇପ୍‌ରେ ରନ୍ଧନ ଗ୍ୟାସ୍‌ ଯୋଗାଣ ଆରମ୍ଭ ହେବ, ନୂଆ ସଂଯୋଗ ଉପରେ ପଞ୍ଜୀକରଣ ଫି’ ଛାଡ଼

Advertisment
କଟକରେ ଶୀଘ୍ର ପାଇପ୍‌ରେ ରନ୍ଧନ ଗ୍ୟାସ୍‌ ଯୋଗାଣ ଆରମ୍ଭ ହେବ, ନୂଆ ସଂଯୋଗ ଉପରେ ପଞ୍ଜୀକରଣ ଫି’ ଛାଡ଼

ଭୁବନେଶ୍ବର: ଗେଲ୍ ପକ୍ଷରୁ ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ୍‌ (ସିଜିଡି) ଅଧୀନରେ ଭୁବନେଶ୍ବରର ନାଲ୍‌କୋ କଲୋନି, ନିଉ ଆଣ୍ଡ୍ ଓଲଡ୍‌ ଏଲ୍‌ଆଇସି କଲୋନି, ରେଲ୍‌ୱେ କଲୋନି, ମୈତ୍ରୀ ବିହାର ପ୍ରାଚୀ ଏନ୍‌କ୍ଲେଭ୍‌ ଆଦି ସ୍ଥାନରେ ୧୦୦୦ରୁ ଅଧିକ ଘରକୁ ଗ୍ୟାସ ପାଇପ୍‌ ସଂଯୋଗ ଦିଆଯାଇଛି। ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର ଓ କଳିଙ୍ଗ ନଗର ଅଞ୍ଚଳରେ ଏହି ନେଟ୍‌ୱର୍କର ସମ୍ପ୍ରସାରଣ ଜାରି ରହିଛି। କଟକର ଚାରବାଟିଆ ଓ ସିଡିଏ ଅଞ୍ଚଳରେ ଖୁବ୍‌ଶୀଘ୍ର ପାଇପ୍‌ ଯୋଗେ ଗ୍ୟାସ ଯୋଗାଣ ଆରମ୍ଭ ହେବ। ଉତ୍ସବ ଅଫର ସ୍ବରୂପ, ପାଇପଡ୍‌ ନାଚୁରାଲ୍‌ ଗ୍ୟାସ୍‌ (ପିଏନ୍‌ଜି) ସଂଯୋଗ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କୁ ପଞ୍ଜୀକରଣ ଫି’ ଓ ସିକ୍ୟୁରିଟି ଡିପୋଜିଟ୍‌ ଛାଡ଼ ସୁବିଧା ମିଳିବ।

ଗେଲ୍‌ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ବର ସହରରେ ପିଏନ୍‌ଜି ସଂଯୋଗ ନେବା ଲାଗି ଗ୍ରାହକମାନେ ଆବେଦନ କରିବା ବେଳେ ଏହି ସୁବିଧା ପାଇପାରିବେ। ପୂର୍ବରୁ ଗ୍ରାହକମାନଙ୍କୁ ୩୫୪ ଟଙ୍କାର ନନ୍ ରିଫଣ୍ଡେବଲ୍‌ ପଞ୍ଜୀକରଣ ଫି’ ଏବଂ ୧୦୦୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ୁଥିଲା। ଗେଲ୍ ପକ୍ଷରୁ ରାଜ୍ୟରେ ୧୦ଟି ସିଏନ୍‌ଜି ଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି। ସେଥିରୁ ଚାରିଟି କଟକରେ ଏବଂ ୬ଟି ଭୁବନେଶ୍ବରରେ ଖୋଲିଛି। ବର୍ତ୍ତମାନ ପିଏନ୍‌ଜିର ଏସ୍‌ସିଏମ୍‌ ବା ଘନ ମିଟର ପିଛା ଦାମ୍ ୨୯ ଟଙ୍କା ୫୮ ପଇସା ଥିବା ବେଳେ ସିଏନ୍‌ଜି ଦାମ୍ ୬୯ ଟଙ୍କା ୪୦ ପଇସା ରହିଛି। ଗେଲ୍ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥା, ବାଣିଜ୍ୟିକ ଗ୍ରାହକ, ବ୍ୟକ୍ତିବିଶେଷ ଆଦକୁ ପିଏନ୍‌ଜି ଓ ପରିବହନ କ୍ଷେତ୍ରକୁ ସିଏନ୍‌ଜି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe