Business Insider
ନୂଆଦିଲ୍ଲୀ: ଭାରତରେ କାରବାର କରୁଥିବା ଚୀନ୍ର ସାତଟି କଂପାନି ଏବେ ଟାର୍ଗେଟରେ। ଏସବୁ କମ୍ପାନିର ଚୀନ୍ ସେନା ସହିତ ସମ୍ପର୍କ ରହିଛି। ଭାରତ ସରକାର ସେହି କଂପାନିଗୁଡ଼ିକୁ ଚିହ୍ନଟ କରିଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଲା ଆଲିବାବା, ଟେନ୍ସେଣ୍ଟ୍, ହୁୱେଇ, ଜିଣ୍ଡିଆ ଷ୍ଟିଲସ୍ ଲିମିଟେଡ୍, ଜିଙ୍ଗିଙ୍ଗ୍ କାଥେ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍, ଚାଇନା ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ୍ କର୍ପୋରେସନ ଓ ଏସ୍ଏଆଇସି ମୋଟର କର୍ପୋରେସନ୍ ଲିମିଟେଡ୍। ସରକାରଙ୍କ କହିବାନୁସାରେ ଏହି କଂପାନିଗୁଡ଼ିକର ଚୀନ୍ର ପିପୁଲସ୍ ଲିବରେସନ୍ ଆର୍ମି (ପିଏଲ୍ଏ) ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପର୍କ ରହିଛି। ଆଲିବାବା, ଟେନ୍ସେଣ୍ଟ୍, ହୁୱେଇ, ଜିଣ୍ଡିଆ ଷ୍ଟିଲ୍ ଲିମିଟେଡ୍ ଯୌଥ ଉଦ୍ୟୋଗ ମାଧ୍ୟମରେ ଭାରତରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଛନ୍ତି। ଜିଙ୍ଗିଙ୍ଗ୍ କାଥେ ଇଣ୍ଟରନ୍ୟାସନାଲ୍ ଗ୍ରୁପ୍ ୧୦୦୦ କୋଟି ଟଙ୍କା ବିନିଯୋଗରେ ଛତିଶଗଡ଼ ଠାରେ ଏକ ବିଶାଳ କାରଖାନା ସ୍ଥାପନ କରିଛି। ଅନ୍ୟ ଦୁଇଟି ସଂସ୍ଥା ମଧ୍ୟ ଭାରତରେ ପୁଞ୍ଜିନିବେଶ କରିଛନ୍ତି। ଏସ୍ଏଆଇସି ମୋଟର କର୍ପୋରେସନ୍ ଲିମିଟେଡ୍ ହେଉଛି ଏମ୍ଜି ମୋଟର୍ସର ମୂଳ କଂପାନି। ଏହା ଭାରତରେ ଏମ୍ଜି ହେକ୍ଟର ବିକ୍ରି କରୁଛି। ଏହାର ଅନ୍ୟତମ ସହଯୋଗୀ ସଂସ୍ଥା ନାଜିଙ୍ଗ୍ ଅଟୋମୋବାଇଲସ୍ ଏହା ପୂର୍ବରୁ ଚୀନ୍ ସେନାକୁ ଯାନ ସେବା ଯୋଗାଉଥିଲା। ଯେଉଁ ସଂସ୍ଥାଗୁଡ଼ିକର ଚୀନ୍ ସେନା ସହିତ ସମ୍ପର୍କ ରହିଛି ସେମାନଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା ରଖିଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ କେଉଁ ଧରଣର ହେବ ତାହାର ନିଷ୍ପତ୍ତି ନିଆଯାଇପାରୁନାହିଁ।
ଭାରତରେ ଏସବୁ ସଂସ୍ଥା ବିପୁଳ ନିବେଶ କରିଛନ୍ତି
ଅନେକ ଷ୍ଟାର୍ଟଅପ୍ ସଂସ୍ଥାର ନିୟନ୍ତ୍ରଣ ଚୀନ୍ କଂପାନି ହାତରେ
ଭାରତ ଯାହାବି ପଦକ୍ଷେପ ଗ୍ରହଣ କରିବ ତାହା ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମ ଭିତରେ ରହିବା ଦରକାର। ଅନ୍ୟଥା ଭାରତକୁ ଟଡବ୍ଲୁଟିଓ ପର୍ଯ୍ୟନ୍ତ ଟାଣିବା ପାଇଁ ଚୀନ୍ ପାଖରେ ସୁଯୋଗ ରହିବ। ସେଭଳି ଭୁଲ୍ କରିବାକୁ ଭାରତ ଚାହୁନାହିଁ। ବର୍ତମାନ ବିଭିନ୍ନ ପ୍ରକାର ବିକଳ୍ପ ଉପରେ ବିଚାରବିମର୍ଶ ଜାରି ରହିଛି। ଚୀନ୍ କଂପାନିଗୁଡ଼ିକର ସେଠାକାର ସରକାରଙ୍କ ସହ ସମ୍ପର୍କ ରହିଛି ବୋଲି ଅନେକ ସମୟରେ ଅଭିଯୋଗ କରାଯାଏ। ଏଭଳି ଅଭିଯୋଗ କରିବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗରେ ରହିଛନ୍ତି। ଚୀନ୍ କଂପାନିଗୁଡ଼ିକ ସେଠାକାର ସରକାରଙ୍କ ପାଇଁ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରୁଛନ୍ତି। କିଛି ଦିନ ତଳେ ଲଦାଖ୍ର ଗଲ୍ୱାନ୍ ଘାଟିରେ ଚୀନ ଓ ଭାରତ ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ସରକାର ଚୀନ୍ର ୫୯ଟି ମୋବାଇଲ୍ ଆପ୍କୁ ନିଷିଦ୍ଧ କରିଛନ୍ତି। ସେହି ତାଲିକାରେ ଟିକ୍ଟକ୍ ଭଳି ଲୋକପ୍ରିୟ ଆପ୍ ରହିଛି, ଯାହାକୁ ଭାରତରେ ପ୍ରାୟ ୨୦ କୋଟି ଲୋକ ବ୍ୟବହାର କରୁଥିଲେ। ଆମେରିକା କଂଗ୍ରେସର ଏକ କମିସନ ନିକଟରେ ଜଣାଇଥିଲା ଯେ, ଚୀନ୍ରେ ସାମରିକ-ଘରୋଇ କ୍ଷେତ୍ର ମିଶ୍ରଣ ନୀତି ରହିଛି ଯାହା ଜରିଆରେ ବିଭିନ୍ନ କ୍ଷେତ୍ରରେ ନୂତନତ୍ବ ଆଣିବା ଲାଗି ସରକାର ସହାୟତା ଦେଉଛନ୍ତି। ଭେଞ୍ଚର୍ କ୍ୟାପିଟାଲ୍ ଫଣ୍ଡ୍ ଠାରୁ ଆରମ୍ଭ କରି ଅନେକ ପ୍ରକାର ନୀତି ଭିତ୍ତିକ ସହାୟତା ଚୀନ୍ ସରକାର ଦେଉଛନ୍ତି। ଏହା ବଦଳରେ ଘରୋଇ କ୍ଷେତ୍ର ଯେଉଁ ନୂତନ ବ୍ୟବସ୍ଥା ବିକଶିତ କରୁଛନ୍ତି ତାହାର ଲାଭ ଆମେରିକାର ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ମିଳୁଛି। ଆମେରିକା କଂଗ୍ରେସର ଏହି ରିପୋର୍ଟ ଭାରତ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଯଦି ତାହା ସତ ହୋଇଥିବ ତେବେ ଭାରତରେ ଚୀନ୍ର କଂପାନି ଆଲିବାବା ଏବଂ ଟେନ୍ସେଣ୍ଟ୍ ଯେଉଁ ନିବେଶ କରିଛନ୍ତି ତାହା ଉପରେ ସିଧାସଳଖ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। ଏହି ଦୁଇ କଂପାନି ଭାରତରେ ଅନେକ ଷ୍ଟାର୍ଟଅପ୍ ସଂସ୍ଥାକୁ ପାଣ୍ଠି ଦେଇଛନ୍ତି। ଚୀନ ସରକାର କିମ୍ବା ସେନା ଦ୍ବାରା ପରିଚାଳିତ ହେଉଥିବା ୨୦ଟି କଂପାନିର ତାଲିକା ଗତ ଜୁନ୍ରେ ଆମେରିକା ଜାରି କରିଥିଲା। ୨୦୧୮ରେ ସରକାର କରିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଭାରତର ଅନେକ ଷ୍ଟାର୍ଟଅପ୍ ସଂସ୍ଥାର ମାଲିକାନା ନିୟନ୍ତ୍ରଣ ଚୀନ୍ ନିବେଶକଙ୍କ ହାତରେ ରହିଛି। ଇ-କମର୍ସ, ଅନ୍ଲାଇନ୍ ଓ ସୋସିଆଲ ମିଡିଆ ଏବଂ କଣ୍ଟେଣ୍ଟ୍ କ୍ଷେତ୍ରରେ ଚୀନ୍ ନିବେଶକମାନେ ଅଧିକ ସକ୍ରିୟ ଅଛନ୍ତି। ଏହି ତିନି କ୍ଷେତ୍ରରେ ସେମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଛନ୍ତି।
Follow Us