Image Courtesy of DNA India
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ କୋଇଲା ମନ୍ତ୍ରାଳୟ ୨୦୩୦ ସୁଦ୍ଧା ୧୪୦ ନିୟୁତ ଟନ୍ କୋକିଂ କୋଲ୍ ଉତ୍ପାଦନ ଲକ୍ଷ୍ୟ ରଖିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ମୋଟ ୫୧.୭ ନିୟୁତ ଟନ୍ କୋକିଂ କୋଲ ଉତ୍ପାଦନ କରିଛି। ୨୦୨୦-୨୧ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ। ୨୦୨୧ ମେ ମାସରେ ୬.୯ ନିୟୁତ ଟନ କୋକିଂ କୋଲ୍ ଉତ୍ପାଦନ ହୋଇଥିଲା। ୨୦୨୨ ମେ’ରେ ଏଥିରେ ୨୦ ପ୍ରତିଶତ ବୃଦ୍ଧି ଘଟି ୮.୩ ନିୟୁତ ଟନ ରହିଛି।
ଦେଶରେ ସଂପ୍ରତି କୋକିଂ କୋଲ୍ ୱାସିଂ କ୍ଷମତା ପ୍ରାୟ ୨୩ ନିୟୁତ ଟନ ରହିଛି। ଏଥିରେ ଘରୋଇ କ୍ଷେତ୍ରର କ୍ଷମତା ୯.୨୬ ନିୟୁତ ଟନ। ତେବେ କୋଲ୍ ଇଣ୍ଡିଆ ଲିମିଟେଡ ୯ଟି ନୂଆ ୱାସେରି କାର୍ଯ୍ୟକ୍ଷମ କରିବା ଯୋଜନା ରଖିଛି। ସେଗୁଡ଼ିକର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ନିୟୁତ ଟନ। ଇସ୍ପାତ କ୍ଷେତ୍ରକୁ କୋଲ ଇଣ୍ଡିଆ ଲିମିଟେଡ ପ୍ରାୟ ୧୫ ନିୟୁତ ଟନ କୋକିଂ କୋଲ୍ ଯୋଗାଇ ଦେବ। ଫଳରେ ଦେଶର କୋକିଂ କୋଲ୍ ଆମଦାନି ହ୍ରାସ ପାଇବ। ୨୦୨୧-୨୨ରେ କୋଲ ଇଣ୍ଡିଆ ଲିମିଟେଡ ୧.୭ ନିୟୁତ ଟନ କୋକିଂ କୋଲ୍ ଇସ୍ପାତ କ୍ଷେତ୍ରକୁ ଯୋଗାଇ ଥିବାବେଳେ ୨୦୨୨-୨୩ ପାଇଁ ୩.୪୫ ନିୟୁତ ଟନ୍ ଯୋଗାଇବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି। କୋକିଂ କୋଲ୍ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କୋଇଲା ମନ୍ତ୍ରାଳୟ ଗତ ୨ ବର୍ଷରେ ୧୦ଟି କୋଇଲା ବ୍ଲକ ନିଲାମ କରିଛି। ଏଗୁଡ଼ିକରୁ ଉତ୍ପାଦନ ୨୦୨୫ ସୁଦ୍ଧା ଆରମ୍ଭ ହେବା ନେଇ ଆଶା ରହିଛି। କୋଲ୍ ଇଣ୍ଡିଆ ବର୍ତ୍ତମାନର ଖଣିଗୁଡ଼ିକରୁ କୋକିଂ କୋଲ୍ ଉତ୍ପାଦନ କ୍ଷମତା ୨୬ ନିୟୁତ ଟନକୁ ବୃଦ୍ଧି କରିବା ଯୋଜନା ରଖିଛି।
Follow Us