ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ବରରେ ଏକ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆୟୋଜନ କରିବା ଲାଗି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଆଗ୍ରହ ପ୍ରକାଶ କରିଛି। ଏ ବାବଦରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସରକାର ତାହା ଉପରେ ବିଚାର କରୁଛନ୍ତି। ୨୦୨୨ ମାର୍ଚ୍ଚରେ ଏହି ବାଣିଜ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ୟୁସିସିଆଇର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଶିଳ୍ପ ସଂଘ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ ସୂଚନା ଦେଇଛନ୍ତି। ଲୁହା ଓ ଇସ୍ପାତ ଏବଂ ଆଲୁମିନିୟମ ଶିଳ୍ପରେ କୋଇଲା ସଙ୍କଟ, ବକ୍ସାଇଟ୍ ଓ ଡୋଲୋମାଇଟ୍ ସଙ୍କଟ ଓ ଲୁହାପଥର ଅଭାବ ଭଳି ସମସ୍ୟା ସମ୍ପର୍କରେ ୟୁସିସିଆଇ ଅତୀତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେଗୁଡ଼ିକର ସମାଧାନ କରିବାରେ ସଫଳ ହୋଇଥିବା ସେ କହିଛନ୍ତି।
ଚୀନ୍ ଓ ଇଣ୍ଡୋନେସିଆରୁ ଆସୁଥିବା ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦ ଉପରେ ପ୍ରତିସ୍ତୂପୀକରଣ ଶୁଳ୍କ ପୁନର୍ବାର ଲାଗୁ କରିବା ଲାଗି ୟୁସିସିଆଇ ଯେଉଁ ପ୍ରସ୍ତାବ ଦେଇଥିଲା ତାହା ବିଚାରକୁ ନେଇ ରାଜ୍ୟ ସରକାର ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି। ଆଗ୍ରୋ ଫୁଡ୍ ପ୍ରୋସେସିଂରେ ବିଭିନ୍ନ ପ୍ରକାର ୟୁନିଟ୍କୁ ଯୋଡ଼ିବା ଲାଗି ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ଫଳରେ ୩୨ ପ୍ରକାର ୟୁନିଟ୍କୁ ବ୍ୟାଖ୍ୟା ତାଲିକାରେ ସ୍ଥାନ ଦିଆଯାଇଛି। ବିଭିନ୍ନ ପ୍ରସଙ୍ଗକୁ ଭଲ ଭାବେ ଶୁଣିବା ଓ ତାହାର ସମାଧାନ ପ୍ରଦାନ କରିଥିବାରୁ ୟୁସିସିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରବାସୀ ଓଡ଼ିଆ ଶିଳ୍ପପତି ଅଜିତ ମିଶ୍ର, ୟୁସିସିଆଇର ଉପସଭାପତି ଅଶୋକ ସାରଦା, ବିନୋଦ ଦାଶ ଓ ଦୀପକ ରାଠୋର, ସହ ସମ୍ପାଦକ ଅକ୍ଷୟ ଖଣ୍ଡେଲୱାଲ୍ ଓ ସହ କୋଷାଧ୍ୟକ୍ଷ ନାରାୟଣ କୁମାର ଉପସ୍ଥିତ ଥିଲେ।
Follow Us