ଟଙ୍କା ମୂଲ୍ୟ ଖସିଲା: ଡଲାର ମୂଲ୍ୟ ୭୭.୫୦ ଟଙ୍କା ଟପିଲା, ହସ୍ତକ୍ଷେପ ଆରମ୍ଭ କଲା ରିଜର୍ଭ ବ୍ୟାଙ୍କ

Advertisment

ଆମଦାନି, ବିଦେଶ ପାଠପଢ଼ା, ବିଦେଶ ଭ୍ରମଣ ମହଙ୍ଗା ହେବ

ଆମଦାନି, ବିଦେଶ ପାଠପଢ଼ା, ବିଦେଶ ଭ୍ରମଣ ମହଙ୍ଗା ହେବ

ଟଙ୍କା ମୂଲ୍ୟ ଖସିଲା: ଡଲାର ମୂଲ୍ୟ ୭୭.୫୦ ଟଙ୍କା ଟପିଲା, ହସ୍ତକ୍ଷେପ ଆରମ୍ଭ କଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ୭୭ ଟଙ୍କା ୫୦ ପଇସା ଗଣିବାକୁ ପଡ଼ୁଛି। ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ବହୁତ ବଡ଼ ବିପଦ ହେବାକୁ ଯାଉଛି। ତୈଳ ଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ଯେତେ ସବୁ ସାମଗ୍ରୀ ଭାରତ ଆମଦାନି କରୁଛି ସେଗୁଡ଼ିକ ମହଙ୍ଗା ହୋଇଯିବ। ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିବ। ବିଦେଶରେ ପାଠପଢ଼ୁଥିବା ପିଲାମାନଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବଢ଼ିଯିବ। ବିଦେଶ ଭ୍ରମଣ ମଧ୍ୟ ମହଙ୍ଗା ହେବାର ଆଶଙ୍କା ରହିଛି। ଦୁର୍ବଳ ସ୍ଥିତିରୁ ଟଙ୍କାକୁ ଉଦ୍ଧାର କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତପେକ୍ଷ ଆରମ୍ଭ କରିଛନ୍ତି। ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଡଲାରକୁ ବାହାର କରି ଏହା ବଜାରରେ ଉପଲବ୍ଧ କରାଇଛି।

ଡଲାର ତୁଳନା‌ରେ ଟଙ୍କା ଦୁର୍ବଳ ହେବାର ଅନେକ କାରଣ ରହିଛି। ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଥିବା ବେ‌ଳେ ବିଭିନ୍ନ ଦେଶରେ ଦରଦାମ୍ ବୃଦ୍ଧି ପାଇବା ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ହଠାତ୍ ସୁଧ ବଢ଼ାଇବା ଆରମ୍ଭ କରିଥିବାରୁ ଟଙ୍କା ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଛି। ତେବେ ମୁଦ୍ରା ବିନିମୟ ବଜାର ବିଶେଷଜ୍ଞମାନଙ୍କ ମତରେ ଆମେରିକୀୟ ଡଲାର ତୁଳନା‌ରେ ଚୀନ୍‌ର ମୁଦ୍ରା ୟୁଆନ୍ ଦୁର୍ବଳ ହୋଇଥିବାରୁ ତାହାର ପ୍ରଭାବ ଭାରତୀୟ ଟଙ୍କା ଉପରେ ପ୍ରତିଫଳିତ ହୋଇଛି। ଟଙ୍କା ଦୁର୍ବଳ ହେବା ସହିତ ସିଧାସଳଖ ପ୍ରଭାବ ଥିବା ଭଳି ଅନ୍ୟ କିଛି ବିଶେଷ କାରଣ ନାହିଁ। ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଲଗାତାର ଭାବେ ହ୍ରାସ ପାଉଥିବା ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ କ୍ରମାଗତ ଅଷ୍ଟମ ସପ୍ତାହ ପାଇଁ ମୁଦ୍ରା ଭଣ୍ଡାର ସଙ୍କୁଚିତ ହୋଇଛି। ଏବେ ସେଥିରେ ୬୦,୦୦୦ କୋଟି ଡଲାରରୁ କମ୍ ବିଦେଶୀ ମୁଦ୍ରା ରହିଛି। ଚଳିତ ବର୍ଷ ଫେବ୍ରୁଆରି ୨୫ରୁ ବର୍ତ୍ତମାନ ସୁଦ୍ଧା ବ‌ୈଦେଶିକ ମୁଦ୍ରା ଭଣ୍ଡାରରେ ୩୪୦୦ କୋଟି ଡଲାର ହ୍ରାସ ହୋଇଛି। ବିଦେଶୀ ମୁଦ୍ରା ଭଣ୍ଡାରକୁ ୬୩,୦୦୦ କୋଟି ଡଲାରରେ ପହଞ୍ଚାଇବା ଲାଗି ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା। ଏବେ ଦେଶରେ ଯେତିକି ବିଦେଶୀ ମୁଦ୍ରା ରହିଛି ତାହା ଦେଶର ମାତ୍ର ଦୁଇ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ।

ଗତକାଲି ଏଲ୍‌ପିଜି ଦର ବୃଦ୍ଧି ପାଇଁ ସରକାରଙ୍କୁ ସମାଲୋଚନା କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଟଙ୍କାର ଦୁର୍ବଳ ସ୍ଥିତିକୁ ନେଇ ସରକାରଙ୍କୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି। ଟୁଇଟ୍‌ କରି ସେ ଜଣାଇଛନ୍ତି ଯେ ଟଙ୍କା ଦୁର୍ବଳ ହେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମୋଦୀ ସମାଲୋଚନା କରିବାକୁ ପଛାଉନଥିଲେ। ଏବେ ଟଙ୍କା ଏହାର ସବୁଠୁ ଦୁର୍ବଳ ସ୍ତରରେ ପହଞ୍ଚିଛି। ଏହାକୁ ନେଇ ମୁଁ ଆପଣଙ୍କୁ ଅନ୍ଧଭଳି ସମାଲୋଚନା କରିବି ନାହିଁ। ଦୁର୍ବଳ ଟଙ୍କା ରପ୍ତାନିକାରୀଙ୍କ ପାଇଁ ଭଲ। କିନ୍ତୁ ସେଥିପାଇଁ ସେମାନଙ୍କୁ ସହାୟତା ମିଳିବା ଦରକାର। ଅର୍ଥନୀତି ପରିଚାଳନା ଉପରେ ଧ୍ୟାନ ଦିଅନ୍ତୁ, ଗଣମାଧ୍ୟମ ଶିରୋନାମା ଉପରେ ନୁହେଁ ବୋଲି ରାହୁଲ ଲେଖିଛନ୍ତି।

ଆମଦାନି, ବିଦେଶ ପାଠପଢ଼ା, ବିଦେଶ ଭ୍ରମଣ ମହଙ୍ଗା ହେବ
ତେଲଠାରୁ ଆରମ୍ଭ କରି କୋଇଲା, ଖାଇବା ତେଲ, ଏଭଳିକି କଣ୍ଢେଇ ପର୍ଯ୍ୟନ୍ତ ଭାରତ ଯାହା ସବୁ ଆମଦାନି କରୁଛି ସେସବୁ ମଗାଇବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। କିଣା ମୂଲ୍ୟ ବଢ଼ିଲେ ଦେଶ ଭିତରେ ତାହା ଅଧିକ ଦାମ୍‌ରେ ବିକ୍ରି ହେବ ଯାହା ଦରଦାମ୍ ସ୍ଥିତିକୁ ଆହୁରି ବିଗାଡ଼ିବା ଆଶଙ୍କା ରହିଛି।
ଦରଦାମ୍ ବଢ଼ିଲେ ତାହାର ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବ। ତାହା ହେଲେ ଋଣ ସୁଧ ଓ ଇଏମ୍‌ଆଇ ଆହୁରି ବୃଦ୍ଧି ପାଇବ।
ସମ୍ପୂର୍ଣ୍ଣ ରୂପେ ତିଆରି ହୋଇ ଦେଶକୁ ଆମଦାନି ହେଉଥିବା ବିଳାସପୂର୍ଣ୍ଣ କାର୍ ଓ ବାଇକ୍‌ଗୁଡ଼ିକ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଯେଉଁ ନିବେଶ କରିଛନ୍ତି ତାହା ପ୍ରତ୍ୟାହାର କରିନେ‌ବେ। କାରଣ ସେମାନଙ୍କ ପାଇଁ ନିବେଶ ଆକର୍ଷଣ ହରାଇବ।
ବିଦେଶରେ ପିଲାମାନଙ୍କୁ ପାଠପଢ଼ାଉଥିବା ଅଭିଭାବକମାନଙ୍କୁ ଅଧିକ ଟଙ୍କା ପଠାଇବାକୁ ପଡ଼ିବ।
ବିଦେଶ ବୁଲିବାକୁ ଚାହୁଥିବା ଲୋକମାନଙ୍କୁ ଟିକଟ, ରହଣୀ ଓ ଭ୍ରମଣ ପାଇଁ ଅଧିକ ଗଣିବାକୁ ପଡ଼ିବ। ବିଦେଶ ଟୁର ଓ ଟ୍ରାଭେଲ୍ ପ୍ୟାକେଜ୍ ମହଙ୍ଗା ହେବ।
ତେବେ ଟଙ୍କା ଦୁର୍ବଳ ହେବାର ଲାଭ ବିଦେଶରେ ଚାକିରି କରି ଦେଶକୁ ଅର୍ଥ ପଠାଉଥିବା ଲୋକମାନେ ପାଇପାରିବେ। ସେମାନେ ଯେତିକି ଡଲାର ପଠାଇବେ ତାହା ପୂର୍ବାପେକ୍ଷା ଅଧିକ ଟଙ୍କା ଭାବେ ବ୍ୟାଙ୍କରେ ଜମା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe