TFIPOST
ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଘୋଷଣା କରାଯାଇଥିବା ଲକ୍ଡାଉନ୍ ଗରିବ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା। ୨୦୨୦କୁ ଏକ ଅଶୁଭ ବର୍ଷ ଭାବେ ବିଚାର କରାଯାଉଥିଲା। କିନ୍ତୁ ଦେଶର କିଛି ହାତଗଣତି ଧନୀ ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ବର୍ଷ ସାବ୍ୟସ୍ତ ହୋଇଛି। ୨୦୨୦ରେ ଦେଶରେ ୪୦ ଜଣ ନୂଆ ବିଲିଓନେୟାର ସୃଷ୍ଟି ହୋଇଛନ୍ତି। ଯେଉଁମାନଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଥାଏ ସେମାନଙ୍କୁ ବିଲିଓନେୟାର କୁହାଯାଏ। ଦେଶରେ ଏଭଳି ଧନୀଙ୍କ ସଂଖ୍ୟା ଏବେ ୧୭୭ରେ ପହଞ୍ଚିଛି।ହୁରୁନ୍ ବିଶ୍ବ ଧନୀ ତାଲିକାରୁ ଜଣାପଡ଼ିଛି ଯେ ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨୪ ପ୍ରତିଶତ ବୃଦ୍ଧି ପାଇ ୮୩୦୦ କୋଟି ଡଲାରରେ ପହଞ୍ଚିଛି। ସେ ବିଶ୍ବ ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ପହଞ୍ଚିଥିବା ବେଳେ ଭାରତରେ ଏକ ନମ୍ବର ଧନୀ ହୋଇରହିଛନ୍ତି। ଏହି ସମୟରେ ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ପ୍ରାୟ ଦୁଇ ଗୁଣା ବୃଦ୍ଧି ପାଇ ୩୨୦୦ କୋଟି ଡଲାରରେ ପହଞ୍ଚିଛି। ବିଶ୍ବ ଧନୀ ତାଲିକାରେ ସେ ୨୦ ପାହାଚ ଉପରକୁ ଉଠି ୪୮ତମ ସ୍ଥାନରେ ପହଞ୍ଚିଥିବା ବେଳେ ଭାରତର ଦ୍ବିତୀୟ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି।
ଗୌତମଙ୍କ ଭାଇ ବିନୋଦଙ୍କ ସମ୍ପତ୍ତି ୧୨୮% ବୃଦ୍ଧି ପାଇ ୯୮୦ କୋଟି ଡଲାରରେ ପହଞ୍ଚିଛି। କରୋନା ମହାମାରୀ ପ୍ରଭାବରେ ଭାରତର ଅର୍ଥନୀତି ପ୍ରଥମ ତ୍ରୟମାସରେ ୨୩.୯% ଓ ଦ୍ବିତୀୟ ତ୍ରୟମାସରେ ୭.୩% ହ୍ରାସ ପାଇବା ପରେ ତୃତୀୟ ତ୍ରୟମାସରେ ୦.୪%ର ଅଭିବୃଦ୍ଧି ହାସଲ କରିଛି। ଆର୍ଥିକ ବର୍ଷ ସାରାରେ କିନ୍ତୁ ଅର୍ଥନୀତି ୭ ପ୍ରତିଶତରୁ ଅଧିକ ତଳକୁ ଖସିବ ବୋଲି ଆକଳନ କରାଯାଇଛି। ଅର୍ଥନୀତିରେ ଇଂରାଜି ଅକ୍ଷର ‘V’ ଭଳି ନୁହେଁ ବରଂ ‘K’ ଭଳି ସୁଧାର ହୋଇଥିବା ନେଇ ଯେଉଁ ଆଲୋଚନା ହେଉଛି ତାହାକୁ ଏହି ରିପୋର୍ଟ ଅଧିକ ଖୋରାକ ଯୋଗାଇଛି। ‘K’ ଭଳି ସୁଧାରର ଅର୍ଥ ହେଉଛି କିଛି ହାତଗଣତି ଲୋକଙ୍କ ସମ୍ପତ୍ତି ବହୁତ ବଢ଼ିଥିବା ବେଳେ ଅନ୍ୟମାନେ ଗରିବ ହୋଇଛନ୍ତି। ହୁରୁନ୍ର ସଦ୍ୟତମ ରିପୋର୍ଟ ସମ୍ପର୍କରେ ଏହି ସଂସ୍ଥାର ଏମ୍ଡି ଅନାସ ରେହମାନ୍ ଜୁନୈଦ କହିଛନ୍ତି ଯେ ଭାରତରେ ପାରମ୍ପରିକ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସମ୍ପତ୍ତି ଅଧିକ ବଢ଼ିଛି। କିନ୍ତୁ ଆମେରିକା ଓ ଚୀନ୍ରେ ପ୍ରଯୁକ୍ତି କୈନ୍ଦ୍ରୀକ ସଂସ୍ଥାଗୁଡ଼ିକ ସମ୍ପତ୍ତି ସୃଷ୍ଟି କରିବାରେ ଆଗରେ ରହିଛନ୍ତି। ଯେତେବେଳେ ଭାରତରେ ପ୍ରଯୁକ୍ତିରୁ ଅଧିକ ସମ୍ପତ୍ତି ସୃଷ୍ଟି ହେବ ସେତେବେଳେ ବିଲିଓନେୟାର ସଂଖ୍ୟାରେ ଆମେରିକାକୁ ଭାରତ ଟପିଯିବ। ବିଶ୍ବ ଧନୀ ତାଲିକାରେ ଟେସ୍ଲାର ଏଲନ୍ ମସ୍କ ୧୯,୭୦୦ କୋଟି ଡଲାର ସମ୍ପତ୍ତି ସହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ୧୮,୯୦୦ କୋଟି ଡଲାର ସମ୍ପତ୍ତି ସହ ଦ୍ବିତୀୟ ଓ ଫ୍ରାନ୍ସର ବର୍ନାଡ୍ ଆର୍ନଲ୍ଟ ୧୧,୪୦୦ କୋଟି ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି।
Follow Us