India TV
କଲମ୍ବୋ: ଶ୍ରୀଲଙ୍କାରେ ଏବେ ଘୋର ଆର୍ଥିକ ସଂକଟ ଦେଖାଦେଇଛି। କରୋନା ମହାମାରୀ ଓ ସରକାରଙ୍କ ଆର୍ଥିକ କୁପରିଚାଳନାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ବିଦେଶୀ ମୁଦ୍ରାର ଅଭାବରୁ ସରକାର ପେଟ୍ରୋଲ ଓ ଡିଜେଲ ଆମଦାନି କରିବାକୁ ସମର୍ଥ ହେଉନାହାନ୍ତି। ଏଥିପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲର ସାଂଘାତିକ ଅଭାବ ପରିଲକ୍ଷିତ ହୋଇଛି। ଏଭଳି ସମସ୍ୟାକୁ ଟାଳିବା ପାଇଁ ଶ୍ରୀଲଙ୍କା ସରକାର ସରକାରୀ କର୍ମଚାରୀମାନଙ୍କୁ ୧୫ ଦିନ ପାଇଁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସ୍ବାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀଲଙ୍କାରେ ବର୍ତ୍ତମାନ ଯେତିକି ପେଟ୍ରୋଲ, ଡିଜେଲ ରହିଛି ତାହା ଅଳ୍ପଦିନର ଆବଶ୍ୟକତା ପୂରଣ କରିବ। ତେଣୁ ସାଧାରଣ ପ୍ରଶାସନ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ସୋମବାରଠାରୁ ଖୁବ୍ କମ୍ ସଂଖ୍ୟାରେ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ଲାଗି କୁହାଯାଇଛି। ଶ୍ରୀଲଙ୍କାରେ ପ୍ରାୟ ୧୦ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି। ତେଣୁ ସ୍ବାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବାକୁ ବାଦଦେଲେ ଅନ୍ୟ କର୍ମଚାରୀମାନେ ଘରୁ ଦୁଇ ସପ୍ତାହ ପାଇଁ କାମ କରିବେ। ବିଦ୍ୟାଳୟଗୁଡ଼ିକୁ ମଧ୍ୟ ସୋମବାରଠାରୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ବିଜୁଳି ଉପଲବ୍ଧ ଥିଲେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ ଶିକ୍ଷାଦାନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ସରକାରୀ କର୍ମଚାରୀଙ୍କ ପାଇଁ ଶ୍ରୀଲଙ୍କା ସପ୍ତାହରେ ୪ ଦିନ କାର୍ଯ୍ୟାଳୟକୁ ଆସିବା ନିୟମ କରିଥିଲା। ଅନେକ ପେଟ୍ରୋଲ ପମ୍ପ ଆଗରେ ଅନେକ କିଲୋମିଟରର ଲମ୍ବା ଲାଇନ ଗାଡ଼ିଗୁଡ଼ିକ ଲଗାଇଛନ୍ତି। ଏପରିକି କିଛି ଗାଡ଼ି ଚାଳକଙ୍କୁ ପେଟ୍ରୋଲ, ଡିଜେଲ ପାଇବା ପାଇଁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଅନ୍ୟପକ୍ଷରେ ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ବିଜୁଳି କାଟ ଦୀର୍ଘ ସମୟ ଧରି ହେଉଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ପ୍ୟାକେଜ ପାଇବା ଲାଗି ଆଲୋଚନା ଚଳାଇଛି। ଆଇଏମଏଫର ପ୍ରତିନିଧି ମଣ୍ଡଳୀ ଆସନ୍ତା ସୋମବାର କଲମ୍ବୋରେ ପହଞ୍ଚିବାର ଆଶା ରହିଛି।
Follow Us