୩.୫ ଲକ୍ଷ କୋଟିର କେହି ଦାବିଦାର ନାହାନ୍ତି: କେନ୍ଦ୍ର, ରିଜର୍ଭ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ବ୍ୟାଙ୍କଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ଅନୁଷ୍ଠାନରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ପଡ଼ି ରହିଛି ଯାହାକୁ କେହି ଦାବି କରୁନାହାନ୍ତି। ଏ ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର....

reserve bank

Photograph: (Mint)

ନୂଆଦିଲ୍ଲୀ: ବ୍ୟାଙ୍କଠାରୁ ଆରମ୍ଭ କରି ବୀମା କମ୍ପାନି ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ଅନୁଷ୍ଠାନରେ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ପଡ଼ି ରହିଛି ଯାହାକୁ କେହି ଦାବି କରୁନାହାନ୍ତି। ଏ ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ), ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି), ଇପିଏଫ୍ଓ, ପିଏଫ୍ଆର୍‌ଡିଏ ଭଳି ନିୟାମକ ସଂସ୍ଥାଠାରୁ ଜବାବ ତଲବ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି। ଉତ୍ତର ମିଳିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଜଷ୍ଟିସ୍ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ନିୟାମକ ସଂସ୍ଥାଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। ଆକାଶ ଗୋୟଲ ନାମକ ଜଣେ ସମାଜସେବୀ ଦାଖଲ କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି। ଦାବିଦାର ନଥିବା ଜମାକୁ ଯେଭଳି ଲୋକମାନେ ସହଜରେ ଖୋଜିପାରିବେ, ସେଥିପାଇଁ ଏକ ବ୍ୟବସ୍ଥା ବିକାଶ କରିବାକୁ ସେ ଦାବି କରିଛନ୍ତି। ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଏମ୍ ଗୁପ୍ତା କୋର୍ଟଙ୍କୁ ଜଣାଇଥିଲେ ଯେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ଏକ ଗମ୍ଭୀର ସମସ୍ୟା ବୋଲି ସ୍ବୀକାର କରିଛନ୍ତି। କିନ୍ତୁ ସରକାର କିମ୍ବା ନିୟାମକ ସଂସ୍ଥାଗୁଡ଼ିକ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। 

ଏହି ପ୍ରସଙ୍ଗରେ ଆଇନ ପ୍ରସ୍ତୁତ କରିବା ଲାଗି ସରକାରଙ୍କ ଉପରେ ସବୁ କିଛି ଛାଡ଼ି ଦିଆଯାଇଥିଲା। ତଥାପି ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ଟଙ୍କା ବ୍ୟାଙ୍କ, ବୀମା କମ୍ପାନି, ମ୍ୟୁଚୁଆଲ୍ ଫଣ୍ଡ୍‌ ଓ ପେନ୍‌ସନ୍ ସ୍କିମ୍‌ରେ ଫସିରହିଛନ୍ତି। ଆବେଦନରୁ ଜଣାପଡ଼ିଛି ଯେ ଦେଶରେ ୯.୨୨ କୋଟିରୁ ଅଧିକ ନିଷ୍କ୍ରିୟ ବ୍ୟାଙ୍କ ଖାତା ରହିଛି। ଖାତାଗୁଡ଼ିକରେ ହାରା‌ହାରି ୩୯୧୮ ଟଙ୍କା ରହିଛି। ଦାବିଦାର ନଥିବା ରାଶି ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ଅତୀତରେ ହୋଇଥିବା ଉଦ୍ୟମ ବିଶେଷ ଫଳପ୍ରଦ ହୋଇନାହିଁ। ଏକକ ପ୍ଲାଟଫର୍ମ ବିକାଶ ହେଲେ ଲୋକମାନେ ସହଜରେ ସେମାନଙ୍କ ନାମରେ ଥିବା ନିସ୍କ୍ରିୟ ଆକାଉଣ୍ଟଗୁଡ଼ିକୁ ‌ଖୋଜିପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe