ଛୋଟମୋଟ ଭୁଲ ପାଇଁ ଜେଲ୍ ହେବନି: କଂପାନି ବିଲ୍‌ର ୪୮ଟି ଅପରାଧିକ ଧାରା କୋହଳ

୧୧ଟି ଧାରା ଦଣ୍ଡ ବ୍ୟବସ୍ଥାରୁ ଜେଲ୍ ହଟିଲା, ୬ ଧାରାରେ ଥିବା ଜରିମାନା ରାଶି ହ୍ରାସ

ଛୋଟମୋଟ ଭୁଲ ପାଇଁ ଜେଲ୍ ହେବନି: କଂପାନି ବିଲ୍‌ର ୪୮ଟି ଅପରାଧିକ ଧାରା କୋହଳ

Image Source: India Today

ନୂଆଦିଲ୍ଲୀ: କଂପାନିଗୁଡ଼ିକ ଲାଗି ବ୍ୟବସାୟ ବାତାବରଣକୁ ଆହୁରି ସହଜ କରିବା ପାଇଁ କଂପାନି ନିୟମରେ ରହିଥିବା ବିଭିନ୍ନ ଅପରାଧିକ ଧାରାକୁ ସରକାର ହଟାଇଛନ୍ତି ଓ ଆଉ କିଛି ଧାରାରେ ରହିଥିବା ଦଣ୍ଡ ବ୍ୟବସ୍ଥାକୁ କୋହଳ କରିଛନ୍ତି। ପ୍ରାୟ ୪୮ଟି ଅପରାଧିକ ଧାରାରେ ପରିବର୍ତ୍ତନ କରାଯାଇଛି।ସଂଶୋଧିତ କଂପାନି ବିଲ୍ ଲୋକସଭାରେ ଗୃହୀତ ହୋଇଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କଂପାନି ବିଲ୍‌ର ବିଭିନ୍ନ ଅପରାଧିକ ଧାରାକୁ କୋହଳ କରାଯାଇଥିବାରୁ କ୍ଷୁଦ୍ର ସଂସ୍ଥାଗୁଡ଼ିକ ଲାଭବାନ ହେବେ। ସେମାନଙ୍କ ଉପରେ ରହିଥିବା ବିଭିନ୍ନ ବିବାଦର ସଂଖ୍ୟା ହ୍ରାସ ପାଇବ। ଜାତୀୟ କଂପାନି ଲ' ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ନିୟମ ପାଳନ କରିବାରେ ବିଫଳ ହେଲେ ଜେଲ୍ ଦଣ୍ଡ ପାଇଁ ୯ଟି ଧାରା ରହିଥିଲା।

ସେହି ସମସ୍ତ ଧାରାର ଦଣ୍ଡ ବ୍ୟବସ୍ଥାରୁ ଜେଲ୍‌କୁ ବାଦ ଦିଆଯାଇଛି। କଂପାନି ବନ୍ଦ କରିବା, ସେୟାର ପୁଞ୍ଜି କମ୍ କରିବା ସମ୍ପର୍କିତ ଏନ୍‌‌ସିଏଲ୍‌ଟିର ନିର୍ଦେଶ ପ୍ରକାଶ କରିବାରେ ବିଫଳତା, ପ୍ରତିଭୂତିଧାରୀଙ୍କ ରେଜିଷ୍ଟରରେ ସଂଶୋଧନ କରିବା ଓ ସୁଧ ଦେବା ଆଦି କ୍ଷେତ୍ରରେ ବ୍ୟତିକ୍ରମ ହେଲେ କଂପାନି ଓ ଏହାର ଅଧିକାରୀଙ୍କୁ ଜେଲ୍‌ ପଠାଇବାର ବ୍ୟବସ୍ଥା ଥିଲା। କଂପାନି ବିଲ୍‌ରେ ସଂଶୋଧନ କରାଯାଇଥିବାରୁ ଏହି ସବୁ ଭୁଲ୍‌ ପାଇଁ ଆଉ ଜେଲ୍ ଯିବାକୁ ପଡ଼ିବନି। କର୍ପୋରେଟ୍‌ ସାମାଜିକ ଦାୟିତ୍ବ (ସିଏସ୍‌ଆର୍‌) ‌କ୍ଷେତ୍ରରେ କେବଳ ଜରିମାନାକୁ ଦ୍ବିଗୁଣିତ କରାଯାଇଛି। ଏକ ନିର୍ଦିଷ୍ଟ ପାଣ୍ଠିକୁ ସିଏସ୍‌ଆର୍‌ ଟଙ୍କା ହସ୍ତାନ୍ତର କରିବାରେ ବିଫଳ ହେଉଥିବା କଂପାନିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କଂପାନି ବିଲ୍‌ରେ ବ୍ୟବସ୍ଥା ରହିଥିଲା। ଏହି ତ୍ରୁଟି ପାଇଁ ତିନି ବର୍ଷର ଜେଲ୍ ଦଣ୍ଡ ଓ ସର୍ବାଧିକ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିବାର ବ୍ୟବସ୍ଥା ଥିଲା। ସେଥିରୁ ଜେଲ୍ ଦଣ୍ଡ ହଟାଇ ଦିଆଯାଇଛି। ଏହା ପୂର୍ବରୁ କଂପାନି ବିଲ୍‌ରେ ସରକାର ପରିବର୍ତ୍ତନ କରି ୧୬ଟି ଅପରାଧିକ ଧାରାକୁ କୋହଳ କରିଥିଲେ। ଏଥର ଅଧିକାଂଶ ଅପ‌‌ରାଧିକ ଧାରାର ଦଣ୍ଡ ବ୍ୟବସ୍ଥାରୁ ଜେଲ୍‌ ଦଣ୍ଡକୁ ବାଦ ଦିଆଯାଇଛି। କଂପାନି ବିଲ୍‌ରେ ସଂଶୋଧନ ଦ୍ବାରା କର୍ପୋରେଟ୍ ଜଗତ ଲାଭବାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe