ନିତି ଆୟୋଗ ସିଇଓଙ୍କ ଆକଳନ: ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍ ଦୁଇଚକିଆ

ନିତି ଆୟୋଗ ସିଇଓଙ୍କ ଆକଳନ: ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍ ଦୁଇଚକିଆ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନକୁ ନେଇ ଦେଶରେ ଏବେ ଏକ ବିଚିତ୍ର ପ୍ରକାର ସ୍ଥିତି ରହିଛି। ନୂଆ ଗାଡ଼ି କିଣିବାକୁ ଚାହୁଥିବା ଗ୍ରାହକମାନେ ପେଟ୍ରୋଲ୍ ଓ ଡିଜେଲ୍‌ରେ ଚାଲୁଥିବା ଗାଡ଼ି କିଣିବେ ନା ଇଲେକ୍ଟ୍ରିକ୍ ଗାଡ଼ି କିଣିବେ, ସେହି ନିଷ୍ପତ୍ତି ନେଇପାରୁନାହାନ୍ତି। ସେମାନଙ୍କ ମନରୁ ଏହି ଦ୍ବନ୍ଦ୍ବ ଦୂର କରିବା ଲାଗି କାହା ପାଖରେ ସଠିକ୍ ଉତ୍ତର ନାହିଁ। କିନ୍ତୁ ନିତି ଆୟୋଗର ସିଇଓ ଅମିତାଭ କାନ୍ତ ସିଏନ୍‌ବିସି-ଟିଭି୧୮କୁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି ଏକ କଥା କହିଛନ୍ତି ଯାହା ଗ୍ରାହକଙ୍କ ମନରେ ଥିବା ଦ୍ବନ୍ଦ୍ବକୁ ଅନେକାଂଶରେ ଦୂର କରିପାରିବ।

publive-image the economic times

ସେ କହିଛନ୍ତି ଯେ ୨୦୨୫ ପରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଦହନଶୀଳ ଇଞ୍ଜିନ ଏତେ ଗ୍ରହଣୀୟ ହେବ ନାହିଁ। ଯୁବବର୍ଗର ଗ୍ରାହକମାନେ ସେଭଳି ଗାଡ଼ି କିଣିବାକୁ ପସନ୍ଦ କରିବେନି। ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ବିକ୍ରି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ନିତି ଆୟୋଗର ସିଇଓ ଶ୍ରୀ କାନ୍ତ କହିଛନ୍ତି ଯେ ସାରା ବିଶ୍ବରେ ଦହନଶୀଳ ଇଞ୍ଜିନ ଥିବା ଗାଡ଼ିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଉଛି। ଦ୍ରୁତ ଗତିରେ ଏହି ପରିବର୍ତ୍ତନ ହେଉଛି। ସବୁଜ ଶକ୍ତିକୁ ଗ୍ରହଣ କରୁଥିବା କଂପାନିଗୁଡ଼ିକ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛନ୍ତି। ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲାର ଉଦାହରଣ ଦେଇ ସେ କହିଛନ୍ତି ଯେ ଏଲନ୍ ମସ୍କଙ୍କ ଏହି ସଂସ୍ଥାର ବଜାର ମୂଲ୍ୟ ହେଉଛି ୨ ଲକ୍ଷ କୋଟି ଡଲାର ଯାହା ୧୧ଟି ଅଟୋମୋବାଇଲ୍‌ କଂପାନିର ବଜାର ମୂଲ୍ୟ ସହ ସମାନ। ଆଗାମୀ ଦିନରେ ଅକ୍ଷୟ ଶକ୍ତି, ବ୍ୟାଟେରି ଷ୍ଟୋରେଜ୍, ସ୍ବଚ୍ଛ ଶକ୍ତିରେ ପରିଚାଳିତ ଗମନାଗମନ ବ୍ୟବସ୍ଥା, ଇଲେକ୍ଟ୍ରୋଲାଇଜର ଓ ଗ୍ରିନ୍ ହାଇଡ୍ରୋଜେନ୍‌ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଭାରି ଶିଳ୍ପମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ସଚିବ ଅରୁଣ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ କୌଣସି କ୍ଷେତ୍ର ଲାଗି ଇଲେକ୍ଟ୍ରିକ୍ ଗାଡ଼ିକୁ ବାଧ୍ୟତାମୂଳକ କରାଯିବ ନାହିଁ। ଇଲେକ୍ଟ୍ରିକ୍ ଗାଡ଼ିର ଭବିଷ୍ୟତ କ’ଣ ତାହା ବଜାର ହିଁ ନିର୍ଧାରଣ କରିବ ବୋଲି ‌ଦୁହେଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe