Image Courtesy of The Star
ନୂଆଦିଲ୍ଲୀ: ଟିକ୍ଟକ୍କୁ ନିଷିଦ୍ଧ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ତାହା ବିରୋଧରେ ଚୀନ୍ର କଂପାନି ବାଇଟ୍ଡ୍ୟାନ୍ସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପେର ବିଚାର କରୁଛି। ଖୁବ୍ଶୀଘ୍ର ଏହା ଟ୍ରମ୍ପ୍ଙ୍କ ଏହି ନିର୍ଦେଶକୁ ଅଦାଲତରେ ଚ୍ୟାଲେଞ୍ଜ୍ କରିବା ଲାଗି ମାମଲା ରୁଜୁ କରିବ। ଟିକ୍ଟକ୍ ଏକ ବିବୃତି ଜାରି କରି ଜଣାଇଛି ଯେ ବିଗତ ଏକ ବର୍ଷ ଧରି ଆମେରିକା ସରକାରଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରାଯାଉଛି।
ମାତ୍ର ଟ୍ରମ୍ପ୍ ସରକାର ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ବ୍ୟବହାରକାରୀମାନଙ୍କ ସ୍ବାର୍ଥ ରକ୍ଷା କରିବା ଏବଂ ଆଇନ ପାଳନକୁ ନିଶ୍ଚିତ କରିବା ଲାଗି ଟ୍ରମ୍ପ୍ଙ୍କ ଏକ୍ଜିକ୍ୟୁଟିଭ୍ ଅର୍ଡରକୁ ଅଦାଲତରେ ବିରୋଧ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ବାଟ ନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଟିକ୍ଟକ୍କୁ ନିଷିଦ୍ଧ କରିବା ଲାଗି ଆମେରିକା ସରକାର ଚଳିତ ମାସ ୧୪ରେ ଏକ୍ଜିକ୍ୟୁଟିଭ୍ ଅର୍ଡର ଜାରି କରିଥିଲେ। ଆମେରିକାରେ ଥିବା କଂପାନିର ସମସ୍ତ ସମ୍ପତ୍ତି ବିକ୍ରି କରିବା ଲାଗି ବାଇଟ୍ଡ୍ୟାନ୍ସକୁ ଆମେରିକା ୯୦ ଦିନର ସମୟ ଦେଇଛି। ବ୍ୟବହାରକାରୀଙ୍କ ତଥ୍ୟକୁ ବାଇଟଡ୍ୟାନ୍ସ ଚୀନ୍ ପଠାଉଥିବା ଆମେରିକା ସନ୍ଦେହ କରୁଛି। ସେଥିପାଇଁ ଟିକ୍ଟକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Follow Us