ଟାଇମ୍‍ସ ହାୟର ଏଜୁକେସନ୍‌ ‘ଇମ୍ପାକ୍ଟ’ ରୢାଙ୍କ: ବିଶ୍ୱରେ ୬, ଭାରତରେ ପ୍ରଥମ ସ୍ଥାନରେ କିଟ୍‍

ଟାଇମ୍‍ସ ହାୟର ଏଜୁକେସନ୍‌ ‘ଇମ୍ପାକ୍ଟ’ ରୢାଙ୍କ: ବିଶ୍ୱରେ ୬, ଭାରତରେ ପ୍ରଥମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ଚଳିତବର୍ଷର ଟାଇମ୍‍ସ ହାୟର ଏଜୁକେସନ୍‍ ‘ଇମ୍ପାକ୍ଟ’ (ସାମାଜିକ ପ୍ରଭାବ) ରୢାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ଜାତିସଂଘର ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ରାଙ୍କିଙ୍ଗ କରାଯାଇଥାଏ। ବିଭିନ୍ନ ମାନଦଣ୍ଡକୁ ଭିତ୍ତି କରି ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ରୢାଙ୍କ ପ୍ରଦାନ କରାଯାଇଥାଏ। ଖୁସିର କଥା ଚଳିତ ବର୍ଷ ରୢାଙ୍କିଙ୍ଗରେ ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟ ଅସମାନତା ଦୂର କ୍ଷେତ୍ରରେ ସମଗ୍ର ବିଶ୍ୱରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ଏହାଛଡ଼ା ସମଗ୍ର ବିଶ୍ୱରେ ଶାନ୍ତି ଓ ନ୍ୟାୟରେ କିଟ୍‍ର ସାମାଗ୍ରିକ ରୢାଙ୍କ ୭୧ରେ ଥିବା ବେଳେ ଭାରତରେ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ବିଶ୍ୱରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ୫୫ତମ ସ୍ଥାନରେ ରହିଥିବା ବେଳେ ଭାରତରେ ୫ମ ସ୍ଥାନରେ ରହିଛି। ସହଭାଗିତା କ୍ଷେତ୍ରରେ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ୫ମ ସ୍ଥାନରେ ରହିଛି। କିଟ୍‍ ବିଶ୍ୱବିଦ୍ୟାଳୟର ମୋଟ ସ୍କୋର ୭୯.୩-୮୩.୯ ରହିଥିବା ବେଳେ କିଟ୍‍ ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ୨୦୧-୩୦୦ ସ୍ଥାନରେ ରହିଛି।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ମଜୁଭୂତ ଅନୁଷ୍ଠାନ, ଅସମାନତା ହ୍ରାସ ତଥା ଲକ୍ଷ୍ୟ ହାସଲ ପାଇଁ ସହଭାଗିତା ଆଦି ମାନଦଣ୍ଡରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‍ ସ୍ଥାନିତ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି। ଦଶନ୍ଧି ଦଶନ୍ଧି ଧରି ସମାଜ ପ୍ରତି କିଟ୍‍ର ଯୋଗଦାନର ଏହା ଏକ ପ୍ରତିଫଳନ ମାତ୍ର। ଏଥିପାଇଁ ଶ୍ରୀ ସାମନ୍ତ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍‍ ଏକ କମ୍ୟୁନିଟି-ଭିତ୍ତିକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ, ଗ୍ରାମାଞ୍ଚଳ ବିକାଶ, ଜନଜାତି ବିକାଶ, କଳା, ସଂସ୍କୃତି ଓ ସାହିତ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe