ନୂଆଦିଲ୍ଲୀ : ଲକଡାଉନ୍ ଅବଧି ବୃଦ୍ଧି ଯୋଗୁଁ ଦେଶରେ ଚଳିତମାସ ୧୫ ତାରିଖରୁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ଦେଶରେ ଯାତ୍ରୀବ୍ରାହୀ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ଏପ୍ରିଲ ୧୫ରୁ ମେ ୩ ତାରିଖ ମଧ୍ୟରେ ବୁକିଂ ହୋଇଥିବା ପ୍ରାୟ ୩୯ ଲକ୍ଷ ଟିକଟକୁ ରେଳବାଇକୁ ଫେରାଇବାକୁ ହେବ। ଏ ବାବଦରେ ଅର୍ଥ ଆକାରରେ ଯାତ୍ରୀଙ୍କୁ ପ୍ରାୟ ୬୬୦ କୋଟି ଟଙ୍କା ଫେରାଇବାକୁ ହେବ ବୋଲି ରେଳ ମନ୍ତ୍ରଳାୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍ଡାଉନ୍ କରୋନା ପାଇଁ ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିଲା। କିନ୍ତୁ ଦେଶରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସି ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲକ୍ଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ସମ୍ପ୍ରସାରିତ ଅବଧି ପାଇଁ ଟିକଟ ବୁକ୍ କରିଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଅର୍ଥ ରେଳବାଇ ଫେରସ୍ତ କରିବ। ଅନଲାଇନ ଟିକଟ କାଟିଥିବା ଗ୍ରାହକଙ୍କୁ ଏହି ଅର୍ଥ ଆପେ ଫେରସ୍ତ ହୋଇଯିବ। ତେବେ ଯେଉଁମାନେ କାଉଣ୍ଟରରୁ ଟିକଟ କାଟିଛନ୍ତି ସେମାନେ ଏହି ଅର୍ଥକୁ ଆସନ୍ତା ଜୁଲାଇ ୩୧ ସୁଦ୍ଧା ନେଇପାରିବେ। ଦେଶରେ ଦୈନିକ ପ୍ରାୟ ୧୫ ହଜାର ଟ୍ରେନ୍ ୨ କୋଟି ଯାତ୍ରୀଙ୍କୁ ନେବାଆଣିବା କରିଥାଏ। ତେବେ ରେଳବାଇ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଅନ୍ୟାଦେଶ ନଆସିବା ପର୍ଯ୍ୟନ୍ତ ଇ-ଟିକଟ ସମେତ ଅଗ୍ରିମ ସଂରକ୍ଷଣ ଟିକଟ କରାଯିବ ନାହିଁ। ତେବେ ଅନଲାଇନରେ ଟିକଟ ବାତିଲ ଜାରି ରହିବ।
ରେଳବାଇ ଯାତ୍ରୀଙ୍କୁ ଫେରାଇବ ୬୬୦ କୋଟି
Advertisment
Follow Us